କିନ୍ନରଙ୍କୁ ସାଥୀ କଲେ ଯୁବକ
କିନ୍ନରଙ୍କୁ ସାଥୀ କଲେ ଯୁବକ
admin
Jul 21, 2020 - 15:18
Updated: Jul 21, 2020 - 15:18
କେନ୍ଦ୍ରାପଡ଼ା: ହାଇଦ୍ରାବାଦରେ ଦେଖାଚାହାଁ । କ୍ରମେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ସମ୍ପର୍କ । ପରେ ସମ୍ପର୍କ ନେଇଥିଲା ପ୍ରେମର ରୂପ । ତୃତୀୟ ଲିଙ୍ଗି ବା କିନ୍ନର ହୋଇଥିବା ଜାଣି ମଧ୍ୟ ଯୁବକ ଜଣକ ତାଙ୍କୁ ନିଜ ଜୀବନସାଥୀ ଭାବେ ବାଛି ନେଇଥିଲେ । କେନ୍ଦ୍ରାପଡ଼ା ସଦର ଥାନା ପୁଲିସ ଉପସ୍ଥିତିରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ଏଭଳି ଏକ ଚଚ୍ଚିର୍ତ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାରେ । ରାଜନଗର ବ୍ଲକ ଖଣ୍ଡେଇପଡ଼ା ଗ୍ରାମର କାହ୍ନୁ ଚରଣ ସାହୁ ଦୀର୍ଘ ବର୍ଷ ହେବ ହାଇଦ୍ରାବାଦରେ ରହି ରଡ଼ ବାଇଣ୍ଡିଂ କାମ କରୁଥିଲେ । ସେଠାରେ ତାଙ୍କର ଦେଖା ହୁଏ ମହାକାଳପଡ଼ା ବ୍ଲକ ଲାଞ୍ଜୁଡ଼ା ଗ୍ରାମର କଣ୍ଢେଇଙ୍କ ସହ । ଉଭୟ ଏକତ୍ର ଗୋଟିଏ ସ୍ଥାନରେ କାମ କରୁଥିବାରୁ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କର ସେତୁ । କ୍ରମେ ଏହି ସମ୍ପର୍କ ପ୍ରେମରେ ରୂପ ନେଇଥିଲା । କଣ୍ଢେଇ କିନ୍ନର ବୋଲି ଜାଣି ମଧ୍ୟ କାହ୍ନୁ ତାଙ୍କୁ ଜୀବନସାଥୀ ରୂପେ ଗ୍ରହଣ କରିବାକୁ ସ୍ଥିର କରିଥିଲେ । ଏପରିକି ଉଭୟ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଥିଲେ । ଇତି ମଧ୍ୟରେ କରୋନା ଜନିତ ଲକଡାଉନ ଯୋଗୁଁ କାମଧନ୍ଦା ବନ୍ଦ ଥିବାରୁ ଉଭୟ କାହ୍ନୁ ଏବଂ କଣ୍ଢେଇ ନିଜ ଭିଟାମାଟି କେନ୍ଦ୍ରାପଡ଼ାକୁ ଚାଲିଆସିଥିଲେ । କାହ୍ନୁ ନିଜ ଘରକୁ ନ ଯାଇ କେନ୍ଦ୍ରାପଡ଼ା ଶ୍ୟାମସୁନ୍ଦର ପୁରଠାରେ ରହୁଥିବା କେତେ ଜଣ କିନ୍ନରଙ୍କ ମେଳରେ କଣ୍ଢେଇଙ୍କ ସହ ଏକାଠି ରହୁଥିଲେ । ଘର ଲୋକ ସେମାନଙ୍କ ସମ୍ପର୍କ ବିଷୟରେ ଜାଣି କଣ୍ଢେଇଙ୍କଠାରୁ ଅଲଗା ହେବା ପାଇଁ କାହ୍ନୁଙ୍କୁ ଯେତେ ବୁଝାଇଲେ ମଧ୍ୟ କିଛି ଫଳ ହେଲା ନାହିଁ । ପରେ ଘଟଣା ସଂକ୍ରାନ୍ତରେ କାହ୍ନୁଙ୍କ ମାମୁଁ ଗଗନ ବିହାରୀ ଲେଙ୍କା ଥାନାରେ ଅଭିଯୋଗ କରିବା ପରେ ଘଟଣାଟି ଲୋକଲୋଚନକୁ ଆସିଥିଲା । ଏତଲା ଭିତ୍ତିରେ ସଦର ପୁଲିସ ଉଭୟଙ୍କୁ ଶ୍ୟାମସୁନ୍ଦରପୁରରୁ ଉଦ୍ଧାର କରିଛି । ଉଭୟ ସାବାଳକ ହୋଇଥିଲା ବେଳେ ପରସ୍ପରକୁ ବିବାହ କରିବାକୁ ଜଣାଇବା ପରେ ପୁଲିସ ଉପସ୍ଥିତିରେ ସୋମବାର ବିଳମ୍ବିତ ରାତିରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିବା ସଦର ଆଇଆଇସି ପ୍ରମୋଦ ମଲିକ ସୂଚନା ଦେଇଛନ୍ତି । ଏ ପ୍ରକାର ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଥମ ବୋଲି କୁହାଯାଉଛି ।