ଘରୁ ବାହାରିଲେ ଗିରଫ କରୁଛି ପୋଲିସ

ଘରୁ ବାହାରିଲେ ଗିରଫ କରୁଛି ପୋଲିସ

ଘରୁ ବାହାରିଲେ ଗିରଫ କରୁଛି ପୋଲିସ
ଫ୍ରାନ୍ସରେ କରୋନା ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଦେଶକୁ ଦୁଇ ସପ୍ତାହ ପାଇଁ ଅଚଳ କରିଦେଇଛନ୍ତି । ସବୁ ଲୋକଙ୍କୁ ଘରୁ ନ ବାହାରିବା ପାଇଁ କୁହାଯାଇଛି । କେବଳ ଡାକ୍ତରଙ୍କୁ ସାକ୍ଷାତ କରିବା, କୁକୁରକୁ ବୁଲାଇ ନେବା ଭଳି କେତେକ କାମ ପାଇଁ ଘରୁ ବାହାରିବାକୁ ଅନୁମତି ଦିଆଯାଇଛି । ଗତ ମଙ୍ଗଳବାର ଠାରୁ ଏହି କଟକଣା ଲାଗୁ ହୋଇଛି । ହେଲେ ଅନେକ ଲୋକ ଏହି କଟକଣାକୁ ମାନୁ ନାହାନ୍ତି । ତେଣୁ ପୁଲିସ ଏବେ ସେମାନଙ୍କୁ ଗିରଫ କରିବା ଆରମ୍ଭ କରିଛି । ପୂର୍ବରୁ ପୁଲିସ କଟକଣା ଉଲ୍ଲଂଘନକାରୀ ବ୍ୟକ୍ତିଙ୍କ ଉପରେ କେବଳ ଜରିମାନା ଲଗାଉଥିଲା । ହେଲେ ଏବେ ସେମାନଙ୍କୁ ଗିରଫ କରାଯାଇଛି । ଗୁରୁବାର ପ୍ୟାରିସରେ ଏପରି ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ମନ୍ତ୍ରୀ କଟକଣା ଭାଙ୍ଗୁଥିବା ଲୋକଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି । ସେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଦେଶରେ ଲଗାଯାଇଥିବା କଟକଣାକୁ ଆଉ କିଛି ସପ୍ତାହ ଯାଏଁ ବୃଦ୍ଧି କରାଯାଇପାରେ । ଫ୍ରାନ୍ସର କେତେକ ଭାଗରେ ଲୋକଙ୍କୁ କଟକଣା ନେଇ ସତର୍କ କରାଇବା ପାଇଁ ଡ୍ରୋନକୁ ବ୍ୟବହାର କରାଯାଉଛି । ଯଦି କେହି ଘରୁ ବାହାରକୁ ବାହାରୁଛି, ତାହା ହେଲେ ପୁଲିସର ଡ୍ରୋନ ତା’ର ମୁଣ୍ଡ ଉପରକୁ ଯାଇ ତା’କୁ ତୁରନ୍ତ ସେଠାରୁ ଘରକୁ ଚାଲିଯିବା ପାଇଁ କହୁଛି । ଦେଶରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ ଗୁରୁବାର ସୁଦ୍ଧା ୩୭୨ ଜଣଙ୍କ ଜୀବନ ଗଲାଣି । ଆହୁରି ୧୦,୯୯୫ ଆକ୍ରାନ୍ତ ଅଛନ୍ତି ।