ଘରୋଇ ଟ୍ରେନ୍ ଚଳାଇବେ ଟାଟା, ଆଦାନି, ହ୍ୟୁଣ୍ଡାଇ: ୨୦୨୦ ବଜେଟ୍‌ରେ ଆଗତ

ଘରୋଇ ଟ୍ରେନ୍ ଚଳାଇବେ ଟାଟା, ଆଦାନି, ହ୍ୟୁଣ୍ଡାଇ: ୨୦୨୦ ବଜେଟ୍‌ରେ ଆଗତ

ଘରୋଇ ଟ୍ରେନ୍ ଚଳାଇବେ ଟାଟା, ଆଦାନି, ହ୍ୟୁଣ୍ଡାଇ: ୨୦୨୦ ବଜେଟ୍‌ରେ ଆଗତ
ନୂଆଦିଲ୍ଲୀ: ଭାରତୀୟ ରେଳପଥର ଟ୍ରାକରେ ଘରୋଇ ଟ୍ରେନ ଚଳାଚଳ ଉଦ୍ଦେଶ୍ୟରେ ସରକାରଙ୍କ ପ୍ରଥମ ପ୍ରଚେଷ୍ଟା ବେଶ ଉତ୍ତମ ପ୍ରତିକ୍ରିୟା ପାଇଛି । ଦେଶର ଘରୋଇ ଟ୍ରେନ ଚଲାଇବାକୁ ଟାଟା, ଆଦାନି, ହ୍ୟୁଣ୍ଡାଇ, ଏସେଲ ଗ୍ରୁପ ସମେତ ବହୁ ଭାରତୀୟ ତଥା ବିଦେଶୀ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ନିକଟରେ ଆଗତ ହୋଇଥିବା ୨୦୨୦ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ, ଭାରତୀୟ ରେଳପଥ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ତେଜସ ଏକ୍ସପ୍ରେସ ଦ୍ୱାରା ଯୋଡ଼ିବା ପାଇଁ ଘରୋଇ ଟ୍ରେନ ଚଳାଇବାକୁ ଯୋଜନା କରୁଛି । ପ୍ରାରମ୍ଭିକ ଭାବେ ଦେଶର ୧୦୦ଟି ରୁଟରେ ଘରୋଇ ଟ୍ରେନ ଚଳାଇବା ପାଇଁ ସୀତାରମଣ ବଜେଟରେ ପ୍ରସ୍ତାବ ଦେଇଛନ୍ତି । ଭାରତୀୟ ରେଳପଥର ଏହି ପ୍ରଚେଷ୍ଟାକୁ ସ୍ୱାଗତ କରି ଆଲଷ୍ଟମ ଟ୍ରାନ୍ସପୋର୍ଟ, ବମ୍ବାର୍ଡାୟର, ସିମେନସ ଏଜି, ହ୍ୟୁଣ୍ଡାଇ ରୋଟେମ କମ୍ପାନୀ ଓ ମାକ୍ୱାରି ଭଳି ପାଖାପାଖି ଡଜନେ ବିଦେଶୀ କମ୍ପାନୀ ଭାରତରେ ରେଳ ଚଳାଇବାକୁ ଆଗ୍ରହ ଦେଖାଇଛନ୍ତି । ଘରୋଇ କମ୍ପାନୀଙ୍କ ମଧ୍ୟରେ ଟାଟା ରିଅଲଟି ଆଣ୍ଡ ଇନଫ୍ରାଷ୍ଟକଚର, ହିଟାଚି ଇଣ୍ଡିଆ ଆଣ୍ଡ ସାଉଥ ଏସିଆ, ଏସେଲ ଗ୍ରୁପ, ଆଦାନି ପୋର୍ଟସ ଆଣ୍ଡ ଏସଇଜେଡ, ଆଇଆରସିଟିସି ପ୍ରଭୃତି ଏହି ରେସରେ ଅଛନ୍ତି । ଭାରତୀୟ ରେଳପଥ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସାରା ଦେଶର ୧୦୦ଟି ରୁଟରେ ୧୫୦ଟି ଘରୋଇ ଟ୍ରେନ ଚଳାଇବାକୁ ତାଲିକା ପ୍ରସ୍ତୁତ କରାଯାଇଚି । ଏହି ୧୦୦ଟି ରୁଟକୁ ୧୦-୧୨ ଟି କ୍ଲଷ୍ଟରରେ ବିଭାଜନ କରାଯାଇଛି । ଘରୋଇ ଟ୍ରେନ ଚାଲିବାକୁ ଥିବା ଏହି ରୁଟ ମଧ୍ୟରେ ମୁମ୍ବାଇ-ନୂଆଦିଲ୍ଲୀ, ଚେନ୍ନାଇ-ନୂଆଦିଲ୍ଲୀ, ନୂଆଦିଲ୍ଲୀ-ହାୱାଡା, ଶାଲିମାର-ପୁନେ, ନୂଆଦିଲ୍ଲୀ-ପାଟନା ଭଳି ରୁଟ ରହିଛି । ତେବେ କୌଣସି ନିର୍ଦ୍ଦିଷ୍ଟ ରୁଟରେ ଚାଲିବାକୁ ଥିବା ଘରୋଇ ଟ୍ରେନ ଓ ଅନ୍ୟ ଟ୍ରେନର ସମୟ ମଧ୍ୟରେ ୧୫ ମିନିଟରୁ ଅଧିକ ପାର୍ଥକ୍ୟ ରହିବ । ଚାଲିବାକୁ ଥିବା ଏହି ନୂଆ ଟ୍ରେନଗୁଡ଼ିକରେ ସର୍ବନିମ୍ନ ୧୬ ଟି କୋଚ ରହିବ । କିନ୍ତୁ ଉକ୍ତ ରୁଟରେ ଚାଲୁଥିବା ସବୁଠାରୁ ଦୀର୍ଘତମ ଯାତ୍ରୀବାହୀ ଟ୍ରେନ ଠାରୁ ଘରୋଇ ଟ୍ରେନର କୋଚ ସଂଖ୍ୟା ଅଧିକ ହୋଇପାରିବ ନାହିଁ । ଯାତ୍ରୀବାହୀ ଟ୍ରେନ ଗୁଡ଼ିକ ଘଣ୍ଟାପ୍ରତି ସର୍ବାଧିକ ୧୬୦ କିଲୋମିଟର ବେଗରେ ଗତି କରିବାକୁ ଅନୁମତି ପାଇବେ । ଏକ ନିର୍ଦ୍ଦିଷ୍ଟ ରୁଟରେ ଘରୋଇ ଟ୍ରେନର ଭଡା ନିର୍ଦ୍ଧାରଣ ନିଷ୍ପତ୍ତିର ଅଧିକାରୀ କମ୍ପାନୀ ନିକଟରେ ରହିବ । ଏପରିକି ସେମାନେ ଟ୍ରେନ ପାଇଁ ଅର୍ଥ ଯୋଗାଡ ପରିଚାଳନା ଓ ମରାମତି ଲାଗି ନିଜେ ଉତ୍ତରଦାୟୀ ରହିବେ ବୋଲି ରେଳପଥ ନିଷ୍ପତ୍ତି ନେଇଛି ।