ଚନ୍ଦ୍ର ଜଳ ଖୋଜିବ ଭାଇପର

ଚନ୍ଦ୍ର ଜଳ ଖୋଜିବ ଭାଇପର

ଚନ୍ଦ୍ର ଜଳ ଖୋଜିବ ଭାଇପର
ନାସା ଖୁବ୍ ଶୀଘ୍ର ଚନ୍ଦ୍ରକୁ ଏକ ରୋବୋଟିକ୍ ରୋଭର ପଠାଇବ, ଯାହା ସେଠାରେ ଜଳ ଅନ୍ୱେଷଣ ନିମିତ୍ତ ଏଜେନ୍ସିକୁ ସାହାଯ୍ୟ କରିବ । ନାସା ଏହି ଚାରି ଚକିଆ ଯାନର ନାଁ ରଖିଛି ଭୋଲାଟାଇଲସ ଇନଭେଷ୍ଟିଗେଟିଂ ପୋଲା ଏକ୍ସପ୍ଲୋରେସନ ରୋଭର ବା ଭାଇପର । ଏହା ଏକ ଗଲଫ କାର୍ଟ (ଗଲଫରମାନଙ୍କ ନିମିତ୍ତ ଏକ କ୍ଷୁଦ୍ର ମୋଟର ଚାଳିତ ଯାନ) ଆକୃତିର ହେବ । ଚନ୍ଦ୍ରପୃଷ୍ଠରେ ଜଳ ଓ ବରଫର ପ୍ରମାଣ ଖୋଜିବା ପାଇଁ ଏଥିରେ ବିଭିନ୍ନ ବିଜ୍ଞାନ ଯନ୍ତ୍ରପାତି ରହିବ । ୨୦୨୨ ଡିସେମ୍ବର ବେଳକୁ ଭାଇପର ଚନ୍ଦ୍ରପୃଷ୍ଠକୁ ପଠାଯିବ ଏବଂ ଥରକେ ସମ୍ଭାବ୍ୟ ଜଳ ଉତ୍ସର ଅନ୍ୱେଷଣ ଲାଗି ସେଠାରେ ୧ ଶହ ଦିନର ତଥ୍ୟ ଏକତ୍ର କରିବ । ଜଳ ଅନ୍ୱେଷଣ ନିମିତ୍ତ ଏଥିରେ ସାମିଲ ଯନ୍ତ୍ରପାତି ମଧ୍ୟରେ ଏକ ଡି୍ରଲ ରହିବ, ଯାହା ପୃଷ୍ଠ ଭିତରକୁ ପ୍ରବେଶ କରିବାରେ ସମର୍ଥ । ଏଥିସହ ଏକ ସେକ୍ଟ୍ରୋମିଟର ମଧ୍ୟ ରହିବ, ଯାହା ଉକ୍ତ ସ୍ଥାନର ଆର୍ଦ୍ରତା ଚିହ୍ନଟ କରିବ । ପୃଥିବୀ ଭଳି ଚନ୍ଦ୍ରରେ ଜଳର ଉପସ୍ଥିତି ହିଁ ତାକୁ ବାସଯୋଗ୍ୟ କରିବ ବୋଲି ଭାଇପର ମିସନର ପ୍ରୋଜେକ୍ଟ ମ୍ୟାନେଜର ତଥା ସିଲିକନ ଭ୍ୟାଲି ସ୍ଥିତ ନାସାର ଆମେସ ରିସର୍ଚ୍ଚ ସେଣ୍ଟରର ଡାନିଏଲ ଆଣ୍ଡ୍ରୁ୍ୟଜ୍ କହନ୍ତି । ୧୦ ବର୍ଷ ପୂର୍ବେ, ଚନ୍ଦ୍ରରେ ଜଳ ଓ ବରଫଙ୍କ ଉପସ୍ଥିତି ବିଷୟରେ ପ୍ରମାଣ ମିଳିବା ପରଠୁ ଜୀବଜଗତ ତିଷ୍ଠିବା ପାଇଁ ଆବଶ୍ୟକ ମାତ୍ରାର ଉତ୍ସ ବାସ୍ତବରେ ଚନ୍ଦ୍ର ଧାରଣ କରିଛି କି ନାହିଁ, ଏହି ପ୍ରଶ୍ନର ସମାଧାନ ପାଇଁ ବୈଜ୍ଞାନିକମାନେ ଜୋରଦାର ପ୍ରୟାସ ଚଳାଇଛନ୍ତି । ତେଣୁ ଏହି ରୋଭର ଏ ସମ୍ପର୍କରେ ଅନେକ ପ୍ରଶ୍ନର ଉତ୍ତର ଦେବାରେ ସହାୟକ ହୋଇପାରିବ । ଚନ୍ଦ୍ରର କେଉଁ ସ୍ଥାନରେ ଜଳ ଅଛି ଏବଂ ତାହା ଆମ ବ୍ୟବହାର ନିମିତ୍ତ କେତେ ଉପଯୋଗୀ, ଏଭଳି ଅନେକ ପ୍ରଶ୍ନର ସମାଧାନ ଭାଇପର କରିବ ବୋଲି ଗବେଷକମାନେ ଆଶାବାଦୀ । ରୋଭରକୁ ନାସା ମୁଖ୍ୟତଃ ଚନ୍ଦ୍ରର ଦକ୍ଷିଣ ମେରୁକୁ ପଠାଇବ ।