ଚନ୍ଦ୍ରାବତରଣ ଦେଖ, ଫଟୋ ସେୟାର କର: ମୋଦି

ଚନ୍ଦ୍ରାବତରଣ ଦେଖ, ଫଟୋ ସେୟାର କର: ମୋଦି

ଚନ୍ଦ୍ରାବତରଣ ଦେଖ, ଫଟୋ ସେୟାର କର: ମୋଦି
ନୂଆଦିଲ୍ଲୀ: ମିଶନ ମୁନର ଚନ୍ଦ୍ରାବତରଣ ଦେଖିବାକୁ ଦେଶବାସୀଙ୍କୁ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲ୍ୟାଣ୍ଡର ବିକ୍ରମର ଚନ୍ଦ୍ରାବତରଣ ଦେଖିବାକୁ ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଖାଲି ସେତିକି ନୁହେଁ ଚନ୍ଦ୍ରାବତରଣ ଦେଖି ତାହାର ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତୁ ବୋଲି ମୋଦି କହିଛନ୍ତି । ଫଟୋ ସେୟାର କଲେ ସେଥିରେ ସେ କିଛି କମେଣ୍ଟ ଦେବେ ବୋଲି ମୋଦି କହିଛନ୍ତି । ଆଜି ରାତି ୧ଟା ୫୫ରେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରାବତରଣ କରିବ । ପ୍ରକାଶ ଯେ, ଚନ୍ଦ୍ରର ନିକଟତର ହୋଇଛି ଚନ୍ଦ୍ରଯାନ-୨। ଆଉ କିଛି ଘଣ୍ଟା ପରେ ଅର୍ଥାତ ଶୁକ୍ରବାର ମଧ୍ୟରାତ୍ରି ପରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ପାଦ ରଖିବା ସହିତ ଭାରତ ଏକ ନୂଆ ଇତିହାସ ରଚିବ। ଦୁଇ ଦିନ ଧରି ଚନ୍ଦ୍ରର ଚାରିପଟେ ୩୫ କିଲୋମିଟର ଉଚ୍ଚରେ ପରିକ୍ରମା କରୁଥିବା ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ସମୟ ପାଖେଇ ଆସିବା କ୍ଷଣି ଇସ୍ରୋ ବୈଜ୍ଞାନିକଙ୍କ ସମେତ ସାରା ଦେଶବାସୀଙ୍କ ହାର୍ଟବିଟ୍‌ ବଢ଼ିବାରେ ଲାଗିଛି। ସାରା ବିଶ୍ଵର ନଜର ଏହି ଐତିହାସିକ ମୁହୂର୍ତ୍ତ ଉପରେ ରହିଛି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ମାତ୍ରେ ଆମେରିକା, ରୁଷ ଏବଂ ଚୀନରେ ପରେ ଭାରତ ବିଶ୍ଵର ଚତୁର୍ଥ ଦେଶ ଭାବେ ନିଜ ନାଁକୁ ଏହି ସଫଳତା ତାଲିକାରେ ଯୋଡ଼ିବାରେ ସକ୍ଷମ ହେବ। ତେବେ ଅବତରଣ କରିବାର ୧୫ ମିନିଟ୍‌ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ସମୟ ହୋଇଥିବାରୁ ଇସ୍ରୋର ବୈଜ୍ଞାନିକମାନେ ଏହା ଉପରେ କଡ଼ା ନଜର ରଖିଛନ୍ତି। ବେଙ୍ଗାଲୁରୁସ୍ଥିତ ଇସ୍ରୋର ବୈଜ୍ଞାନିକମାନେ ‘ବିକ୍ରମ’ର ଅବତରଣ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦେବା ଲାଗି କାର୍ୟ୍ୟ ଜାରି ରଖିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିକ୍ରମର ଗତିବିଧି ଉପରେ ସମସ୍ତଙ୍କ ନଜର ରହିଛି। ଇସ୍ରୋ ଅଧ୍ୟକ୍ଷ କେ. ଶିବନ ମଧ୍ୟ ଲ୍ୟାଣ୍ଡିଂକୁ ବହୁତ ଚ୍ୟାଲେଞ୍ଜିଂ ବୋଲି ଦର୍ଶାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ୭୦ ଜଣ ସ୍କୁଲ ଛାତ୍ରଛାତ୍ରୀ ଇସ୍ରୋରେ ଏହି ସଫ୍ଟ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖିବେ।