ଚାପରେ ଯାଉଛି ଯବାନଙ୍କ ଜୀବନ, ପ୍ରତିବର୍ଷ ୧୦୦ ଯବାନଙ୍କ ମୃତୁ୍ୟ
ଚାପରେ ଯାଉଛି ଯବାନଙ୍କ ଜୀବନ, ପ୍ରତିବର୍ଷ ୧୦୦ ଯବାନଙ୍କ ମୃତୁ୍ୟ
admin
Dec 6, 2019 - 06:01
Updated: Dec 6, 2019 - 06:01
ନୂଆଦିଲ୍ଲୀ: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଗତକାଲି ଜଣେ ଆଇଟିବିପି ଯବାନ ତାଙ୍କର ୫ ଜଣ ସହକର୍ମୀଙ୍କୁ ଗୁଳି କରି ମାରିବା ପରେ ନିଜେ ଆତ୍ମହତ୍ୟା କରିଦେଇଥିଲେ । ବିବାଦ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଥିଲେ ମଧ୍ୟ ଏଯାବତ୍ ପ୍ରକୃତ କାରଣ ଜଣା ପଡ଼ିନାହିଁ । ତେବେ ଗତକାଲିର ଘଟଣା ପ୍ରଥମ ନୁହେଁ । ଯବାନମାନେ ଚିନ୍ତା ଓ ଚାପ ପାଇଁ ଅଧିକାଂଶ ସମୟରେ ନିଜ ଜୀବନ ନିଜେ ଶେଷ କରିଦେଉଛନ୍ତି । ଏହାବାଦ୍ ଚାପଗ୍ରସ୍ତ ଯବାନ ବିବାଦ ପାଇଁ ବି ନିଜ ସହକର୍ମୀଙ୍କୁ ଗୁଳି କରି ମାରି ଦେଉଛନ୍ତି । ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ୨୦୧୬ରୁ ୨୦୧୮ ମଧ୍ୟରେ ଆଇଟିବିପି, ବିଏସଏଫ୍, ସିଆରପିଏଫ୍, ସିଆଇଏସଏଫ୍, ଏସ୍ଏସ୍ବି ଏବଂ ଆସାମ ରାଇଫଲସ୍ର ପ୍ରାୟ ୧୦୦ ଯବାନ ପ୍ରତିବର୍ଷ ଆତ୍ମହତ୍ୟା ଏବଂ ସହକର୍ମୀଙ୍କ ସହ ସଂଘର୍ଷ ଯୋଗୁଁ ପ୍ରାଣ ହରାଉଛନ୍ତି । ତେବେ ତୁଳନାତ୍ମକ ଭାବେ ହିଂସା ନିୟନ୍ତ୍ରଣ ଏବଂ ଅନ୍ୟ ଅପରେସନ ମାମଲାରେ ପ୍ରତିବର୍ଷ ୬୬ ଯବାନ ପ୍ରାଣ ହରାଉଛନ୍ତି । ୨୦୧୬ରେ ୯୦ ଯବାନ ଆତ୍ମହତ୍ୟା କରିଥିବା ବେଳେ କାର୍ଯ୍ୟରତ ଅବସ୍ଥାରେ ୭୧ ଜଣ ପ୍ରାଣ ହରାଇଥିଲେ । ୨୦୧୭ରେ ୧୨୧ ଯବାନ ଆତ୍ମହତ୍ୟା କରିଥିବା ବେଳେ ୭୧ ଜଣ କାର୍ଯ୍ୟାନୁଷ୍ଠାନ ସମୟରେ ପ୍ରାଣ ହରାଇଥିଲେ । ସେହିପରି ୨୦୧୮ରେ ୫୭ ଜଣ କର୍ତ୍ତବ୍ୟରତ ଅବସ୍ଥାରେ ପ୍ରାଣ ହାରିଥିବାବେଳେ ୯୬ ଜଣ ଆତ୍ମହତ୍ୟା କରିଥିଲେ ।
କାର୍ଯ୍ୟରେ ଅତ୍ୟଧିକ ଚିନ୍ତା ଓ ଚାପ ପାଇଁ ଯବାନମାନେ ନିଜକୁ ଶେଷ କରିଦେବାକୁ ପଛାଉ ନାହାନ୍ତି । ସରକାରୀ ଭାବେ କୁହାଯାଇଛି ଯେ ପାରିବାରିକ ସମସ୍ୟା ଯବାନଙ୍କ ଆତ୍ମହତ୍ୟାର ସବୁଠୁ ବଡ଼ କାରଣ । ଏହାପରେ ନିଶାସେବନ ଏବଂ ଚାକିରି ସଂକ୍ରାନ୍ତ ପ୍ରସଙ୍ଗ ବି ଅନ୍ୟ ଦୁଇଟି ପ୍ରମୁଖ କାରଣ । ତେବେ କେବଳ ଅର୍ଦ୍ଧ ସାମରିକ ବଳ ନୁହେଁ ଭାରତୀୟ ସ୍ଥଳ ସେନା, ନୌସେନା ଏବଂ ବାୟୁ ସେନାରେ ମଧ୍ୟ ଆତ୍ମହତ୍ୟା ଏବଂ ସହକର୍ମୀଙ୍କ ସହ ସଂଘର୍ଷ ଘଟଣା ଦେଖିବାକୁ ମିଳିଛି । ଏହି ୩ ସେନାବାହିନୀରେ ଆତ୍ମହତ୍ୟା ଓ ସହକର୍ମୀଙ୍କ ସହ ସଂଘର୍ଷ ପାଇଁ ୨୦୧୬ରେ ୧୩୨ ଟି ମାମଲା ଥିବାବେଳେ ୨୦୧୭ରେ ୧୦୪, ୨୦୧୮ରେ ୧୦୮ ଏବଂ ୨୦୧୯ରେ ୮୬ଟି ମାମଲା ରହିଛି । ଅନ୍ୟପକ୍ଷେ ୨୦୧୫ ମସିହାରୁ ଅଧିକାଂଶ ଯବାନ ଚାକିରି ଛାଡ଼ିବା ଘଟଣା ବୃଦ୍ଧି ପାଇଛି । ପୂର୍ବ ବର୍ଷ ଗୁଡ଼ିକ ତୁଳନାରେ ଏହା ପ୍ରାୟ ୫ ଗୁଣ ବୃଦ୍ଧି ପାଇଥିବା ଜଣାପଡ଼ିଛି । ୧୪,୫୮୭ ଅର୍ଦ୍ଧସାମରିକ ସଦସ୍ୟ ୨୦୧୭ରେ ସ୍ୱେଚ୍ଛାକୃତ ଅବସର ନେଇଥିବା ବେଳେ ୨୦୧୫ରେ ଏହି ସଂଖ୍ୟା ୩,୪୨୨ ଥିଲା ।