ଜୁନାଗଡ଼ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ, ଜାଣନ୍ତୁ କଣ
ଜୁନାଗଡ଼ ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ, ଜାଣନ୍ତୁ କଣ
admin
Sep 27, 2019 - 09:39
Updated: Sep 27, 2019 - 09:39
ଜୁନାଗଡ଼: ଜୁନାଗଡ଼ରେ ଜଣେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ନୂଆମୋଡ଼ ଆସିଛି । ଘଟଣା ସମ୍ପର୍କରେ ଗଣଦୁଷ୍କର୍ମ ପୀଡ଼ିତା ଗଣମାଧ୍ୟମକୁ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଡ୍ରାଇଭର ଲଳିନ୍ଦ୍ର ଶବରକୁ ମୁଖ୍ୟ ଖଳନାୟକ ବୋଲି ପୀଡ଼ିତା କହିଛନ୍ତି । ଏପରିକି ଜଙ୍ଗଲରେ ଲଳିନ୍ଦ୍ର ହିଁ ତାଙ୍କୁ ପ୍ରଥମେ ଦୁଷ୍କର୍ମ କରିଥିବା ସେ କହିଛନ୍ତି । ତେବେ ଲଳିନ୍ଦ୍ରକୁ କାହିଁକି ଛାଡ଼ି ଦିଆଯାଉଛି ବୋଲି ପୀଡ଼ିତା ଜଣକ ପ୍ରଶ୍ନ କରିଛନ୍ତି । ଏପରିକି ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।
ସେ କହିଛନ୍ତି ଯେ, ଘଟଣା ଦିନ ଲଳିନ୍ଦ୍ର ଶବର ସହ ବାଇକରେ ଲିଫ୍ଟ ନେଇ ଯାଉଥିଲି । ରାସ୍ତାରେ ଲଳିନ୍ଦ୍ର ପାଖକୁ ବାରମ୍ବାର ମୋବାଇଲରେ କଲ ଆସୁଥିଲା । ଘଟଣାସ୍ଥଳରେ ଲଳିନ୍ଦ୍ର ଗାଡ଼ି ଧିମାଇଲା ଓ ୬ ଜଣ ଯୁବକ ମୋତେ ଉଠାଇ ନେଲେ । ଜଙ୍ଗଲରେ ଲଳିନ୍ଦ୍ର ହିଁ ମୋତେ ପ୍ରଥମେ ଦୁଷ୍କର୍ମ କରିଥିଲା । ପରେ ପରେ ଆଉ ଜଣେ ଯୁବକ ମୋ ସହ ଦୁଷ୍କର୍ମ କରିଥିଲା । ଲଳିନ୍ଦ୍ର ମୁଖ୍ୟ ଖଳନାୟକ, ତାକୁ କାହିଁକି ଛାଡ଼ି ଦିଆଯାଉଛି । ଲଳିନ୍ଦ୍ର ସହ ସମସ୍ତ ଅଭିଯୁକ୍ତମାନଙ୍କୁ ଫାଶି ଦିଆଯାଉ । ଲଳିନ୍ଦ୍ରକୁ ଛାଡ଼ି ଦିଆଗଲେ ମୁଁ ଆତ୍ମହତ୍ୟା କରିବି ବୋଲି ପୀଡ଼ିତା ଜଣକ କହିଛନ୍ତି ।
ପ୍ରକାଶ ଯେ, ଜଣେ ଯୁବତୀଙ୍କୁ ଛୁରି ଦେଖାଇ ଗଣଦୁଷ୍କର୍ମ କରାଯିବା ସହ ଏହାର ଭିଡିଓ ସୁଟିଂ କରାଯାଇଥିଲା । ବାଇକରେ ଯାଉଥିବା ଯୁବତୀଙ୍କୁ ୪ ଜଣ ଅଭିଯୁକ୍ତ ଉଠାଇ ନେଇଥିଲେ । ଦୁଷ୍କର୍ମକାରୀ ଯୁବକମାନେ ନିକଟସ୍ଥ ଗ୍ରାମର ହୋଇଥିବାବେଳେ ସେମାନେ ଜଙ୍ଗଲରେ ଭୋଜି କରୁଥିଲେ ।
ତେବେ ଏହି ଘଟଣାରେ ପୁଲିସ ମୋଟ ୭ ଜଣଙ୍କୁ ଗିରଫ କରିଥିଲା । ଦୁଷ୍କର୍ମ ଘଟଣାରେ ୪ ଜଣ ଓ ଭିଡିଓ ଭାଇରାଲ ଘଟଣାରେ ୩ଜଣଙ୍କୁ ଗିରଫ କରିଥିଲା । ତେବେ ଲିଫ୍ଟ ଦେଇଥିବା ଡ୍ରାଇଭରର କୌଣସି ଦୋଷନଥିବା ପୁଲିସ ପକ୍ଷରୁ କୁହାଯାଇଥିଲା ।