ଟ୍ରମ୍ପଙ୍କ ବିବୃତିକୁ ଖଣ୍ଡନ କଲା ଭାରତ

ଟ୍ରମ୍ପଙ୍କ ବିବୃତିକୁ ଖଣ୍ଡନ କଲା ଭାରତ

ଟ୍ରମ୍ପଙ୍କ ବିବୃତିକୁ ଖଣ୍ଡନ କଲା ଭାରତ
ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ କଶ୍ମୀର ପ୍ରସଙ୍ଗ। କାରଣ ହେଉଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ଼ ଟ୍ରମ୍ପଙ୍କ ବିବୃତି। କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତିକୁ ଭାରତ ଦୃଢ଼ତାର ସହ ଖଣ୍ଡନ କରିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ରଵୀଶ କୁମାର ଟ୍ୱିଟ୍‌ କରି ସ୍ପଷ୍ଟ କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେବେ ବି ଏନେଇ ଟ୍ରମ୍ପଙ୍କୁ କିଛି କହି ନାହାନ୍ତି। କଶ୍ମୀର ପ୍ରସଙ୍ଗ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କାହାରି ମଧ୍ୟସ୍ଥତାକୁ ଭାରତ କେବେ ବି ଗ୍ରହଣ କରିବ ନାହିଁ।’ କେବଳ ପାକିସ୍ତାନ ପଟୁ ସୀମା ପାର ଆତଙ୍କବାଦ ବନ୍ଦ ହେଲେ ହିଁ ଏହି ଦ୍ୱିପାକ୍ଷିକ ଆଲୋଚନା ସମ୍ଭବ ବୋଲି ରଵୀଶ କୁମାର ଟ୍ୱିଟ୍ କରି ଜଣାଇଛନ୍ତି। ସିମ୍‌ଲା ଚୁକ୍ତି ଓ ଲାହୋର ରାଜିନାମାରେ ସମସ୍ୟା ସମାଧାନର ବ୍ୟବସ୍ଥା ରହିଛି। ଏଣୁ ପ୍ରଧାନମନ୍ତ୍ରୀ ଆଦୌ ଏନେଇ ଟ୍ରମ୍ପଙ୍କୁ ମଧ୍ୟସ୍ଥତା କରିବାକୁ କହିନାହାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି।’ ଅପରପକ୍ଷେ ଆମେରିକା ଭଳି ରାଷ୍ଟ୍ରର ମୁଖ୍ୟଙ୍କ ମୁହଁରେ ଏଭଳି ମିଛ କଥା ଶୋଭା ପାଏନି ବୋଲି ବିଶେଷଜ୍ଞମାନେ କହିଛନ୍ତି। ପାକିସ୍ତାନର ପୂର୍ବତନ ଆମେରିକା ରାଷ୍ଟ୍ରଦୂତ ହୁସେନ ହକ୍କାନି ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ଦକ୍ଷିଣ ଏସିଆର ସମସ୍ୟା ସଂପର୍କରେ ଟ୍ରମ୍ପ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।