ତିର୍ତୋଲ ଓ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ତିର୍ତୋଲ ଓ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ତିର୍ତୋଲ ଓ ବାଲେଶ୍ୱର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର : ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ପାଇଁ ରାଜନୀତିକ ମାହୋଲ ସରଗରମ ହୋଇଯାଇଛି । ପ୍ରଥମେ ବିଜେପି ଓ ପରେ ବିଜେଡ଼ି ଦୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାବେଳେ କଂଗ୍ରେସ ଆଜି ପ୍ରାର୍ଥୀ ଘୋଷଣା କରିଛି । ବାଲେଶ୍ୱରରୁ ମମତା କୁଣ୍ଡୁଙ୍କୁ ଦଳୀୟ ପ୍ରାର୍ଥୀ କରାଯାଇଥିବାବେଳେ ତିର୍ତୋଲରୁ ଇଂ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି । ଏଆଇସିସି ସଭାପତି ସୋନିଆ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ମହାସଚିବ ମୁକୁଲ ୱାସନିକ ଏହି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟଯେ, ଗତକାଲି ବିଜେପି ଦୁଇ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ବାଲେଶ୍ୱରରୁ ଦଳ ଦିବଂଗତ ବିଧାୟକ ମଦନମୋହନ ଦତଙ୍କ ପୁଅ ମାନସ କୁମାର ଦତଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି କଂଗ୍ରେସରୁ ଆସି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ତିର୍ତୋଲ ଉପନିର୍ବାଚନ ନିମନ୍ତେ ପ୍ରାର୍ଥୀ କରାଯାଇଛି । ଅପରପକ୍ଷରେ ଆଜି ବିଜେଡ଼ି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ତିର୍ତୋଲରେ ଦିବଂଗତ ନେତା ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ବାଲେଶ୍ୱର ପାଇଁ ସ୍ୱରୂପ କୁମାର ଦାସଙ୍କୁ ପ୍ରାର୍ଥୀ କରାଯାଇଛି । ତିନି ଦଳ ବିଧିବଦ୍ଧ ଭାବେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବାରୁ ଏବେ ରାଜନୀତିକ ମାହୋଲ ସରଗରମ ହେବା ସହ ପ୍ରଚାର ଜୋର ଧରିବ । ଦୁଇ ନିର୍ବାଚନମଣ୍ଡଳୀରେ ଏବେ ବିଭିନ୍ନ ଦଳର ତୁଙ୍ଗ ନେତାମାନେ ଡେରା ପକାଇଥିବାବେଳେ ଘନଘନ ରୁଦ୍ଧଦ୍ୱାର ବୈଠକ ମଧ୍ୟ ଜାରିରହିଛି ।