ଦିନକରେ ୫୧ ହଜାର କୋଟି ହରାଇଲେ ଅମ୍ବାନୀ : ଜାଣନ୍ତୁ ଏହା ପଛର କାରଣ

ଦିନକରେ ୫୧ ହଜାର କୋଟି ହରାଇଲେ ଅମ୍ବାନୀ : ଜାଣନ୍ତୁ ଏହା ପଛର କାରଣ

ଦିନକରେ ୫୧ ହଜାର କୋଟି ହରାଇଲେ ଅମ୍ବାନୀ : ଜାଣନ୍ତୁ ଏହା ପଛର କାରଣ
ମୁମ୍ବାଇ : ଭାରତୀୟ ଶିଳ୍ପପତି ମୁକେଶ ଅମ୍ବାନୀ ଗୋଟିଏ ଦିନରେ ପ୍ରାୟ ୫୧ ହଜାର ୧୦୦ କୋଟି ଟଙ୍କା ହରାଇଛନ୍ତି । ଏହା ସହିତ ସମାନ ଭାବରେ କ୍ଷତିଗ୍ରସ୍ତ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ରିଲଏନ୍ସ ଇଣ୍ଡଷ୍ଟ୍ରିଜ ଗୋଟିଏ ଦିନରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ କ୍ଷତି ସହିଛି । ଏହା ସହିତ ବିଶ୍ୱର ଧନୀକଙ୍କ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ମୁକେଶ ଅମ୍ବାନୀ ନବମ ସ୍ଥାନକୁ ଖସି ଆସିଛନ୍ତି । ବିଗତ କିଛି ଦିନ ଧରି ଭାରତୀୟ ସେୟାର ବଜାରର ସେନସେକ୍ସ ନିରନ୍ତର ଭାବରେ ତଳୁଆ ରହୁଥିଲେ ମଧ୍ୟ ରିଲାଏନ୍ସର ଉକ୍ରୃଷ୍ଟ ପ୍ରଦର୍ଶନ କାରଣରୁ ନିଫଟି ଅଧିକ ତଳକୁ ଖସୁନଥିଲା । ଲକଡାଉନ ସମୟରେ ମଧ୍ୟ ରିଲାଏନ୍ସ ଦୈନିକ ଘଣ୍ଟା ପ୍ରତି ୯୦ କୋଟି ଟଙ୍କା ଆୟ କରୁଥିଲା ମାତ୍ର ହଠାତ କାହିଁକି ରିଲାଏନ୍ସ ତଳକୁ ଖସିଲା । ଆସନ୍ତୁ କିଛି ସମ୍ଭାବ୍ୟ କାରଣ ଉପରେ ନଜର ପକାଇବା । ୧. ଭାରତୀୟ ବଜାରରେ ମାନ୍ଦାବସ୍ଥା : କରୋନା କାରଣରୁ ଭାରତୀୟ ଅର୍ଥ ବ୍ୟବସ୍ଥାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ରହିଛି । ଲକଡାଉନ ସମୟରେ ବିଭିନ୍ନ ବିଦେଶୀ କମ୍ପାନୀ ରିଲାଏନ୍ସରେ ନିବେଶ କରିଥିଲେ ଯାହା ଫଳରେ ରିଲାଏନ୍ସର ଅଂଶଧନ ମୂଲ୍ୟ ଆକାଶ ଛୁଆଁ ହୋଇଥିଲା । ମାତ୍ର କରୋନା ପରବର୍ତ୍ତୀ ପରସ୍ଥିତିରେ ଉପଯୁକ୍ତ ଅର୍ଥନୈତିକ ଅଭିବୃଦ୍ଧି ହୋଇନଥିଲା । ଏପରିକି ପ୍ରଥମ ତ୍ରୈମାସିକ ରିପୋର୍ଟ ଅନୁଯାୟୀ ରିଲାଏନ୍ସ ବିଗତ ବର୍ଷ ସମାନ ସମୟ ତୁଳନାରେ୧୫ ପ୍ରତିଶତ କମ ଲାଭ କରିଛି । ୨. ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ନିର୍ବାଚନ ବିଭିନ୍ନ ବ୍ୟବସାୟକୁ ପ୍ରଭାବିତ କରିଥାଏ । କିଏ ନିର୍ବାଚିତ ହେବେ ଏବଂ ବ୍ୟବସାୟିକ ନୀତି କଣ ରହିବ ତାହାକୁ ନେଇ ସମଗ୍ର ବିଶ୍ୱ ସନ୍ଦିହାନରେ ରହିଛି । ରିଲାଏନ୍ସରେ ନିବେଶ କରିଥିବା ଏକାଧିକ କମ୍ପାନୀ ଆମେରିକାର ହୋଇଥିବାରୁ ଏହା ପରୋକ୍ଷରେ ରିଲାଏନ୍ସର ଅଂଶଧନ ମୂଲ୍ୟ ଉପରେ ପ୍ରଭାବ ପକାଇଛି ବୋଲି ଟ୍ରେଡପଣ୍ଡିତ ମାନେ ମତବ୍ୟକ୍ତ କରିଛନ୍ତି । ୩. ଫ୍ୟୁଚର ଡିଲ ଏବଂ ଆମାଜନ ବିବାଦ : ଅନ୍ୟତମ ଭାରତୀୟ ବ୍ୟବସାୟୀ ଏବଂ ରିଟେଲ ବାଦଶାହା କିଶୋର ବିୟାନିଙ୍କ ଫ୍ୟୁଚର ଗ୍ରୁପକୁ କିଣିବା ପାଇଁ ଅମ୍ବାନୀ ପ୍ରୟାସ କରିଥିଲେ । ଏପରିକି ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲା । ତେବେ ଜେଫ ବେଜୋସଙ୍କ କମ୍ପାନୀ ଆମାଜନ ଏଥିରେ ହସ୍ତକ୍ଷେପ କରିଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୧୭ରେ ବିୟାନିଙ୍କ ଫ୍ୟୁଚର ଗ୍ରୁପର ୪୯ ପ୍ରତିଶତ ଅଂଶଧନ ଆମାଜନ କ୍ରୟ କରିଥିଲା । ଏହା ସହିତ ଏହି ଚୁକ୍ତିନାମା ଅନୁଯାୟୀ ଫ୍ୟୁଚର ଗ୍ରୁପ ଅନ୍ୟ କାହାକୁ ନିଜ କମ୍ପାନୀ ବିକ୍ରି କରି ପାରିବ ନାହିଁ । ଫଳରେ ଆମାଜନ ଏହି ଚୁକ୍ତିକୁ ବିରୋଧ କରି ସିଙ୍ଗାପୁରରେ ରହିଥିବା ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହେବା ଫଳରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ରିଲାଏନ୍ସ ଅଂଶଧନ ମୂଲ୍ୟରେ ପ୍ରାୟ ୫୦୯ ଟଙ୍କା ହ୍ରାସ ଘଟିବା ସହିତ ଏହା ୧୮୭୭ରେ ପହଞ୍ଚିଥିଲା ।