ଧାନ କିଣା ନେଇ ସାଢେ଼ ୧୧ଟାରେ ବିବୃତି ରଖିବେ ମନ୍ତ୍ରୀ

ଧାନ କିଣା ନେଇ ସାଢେ଼ ୧୧ଟାରେ ବିବୃତି ରଖିବେ ମନ୍ତ୍ରୀ

ଧାନ କିଣା ନେଇ ସାଢେ଼ ୧୧ଟାରେ ବିବୃତି ରଖିବେ ମନ୍ତ୍ରୀ
ଭୁବନେଶ୍ୱର : ବିରୋଧୀଙ୍କ ଧାନ କିଣା ଦାବି ଉପରେ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆସନ୍ତାକାଲି ସାଢେ଼ ୧୧ଟାରେ ବିବୃତି ରଖିବେ । ଅପରପକ୍ଷରେ ଶାସକ ଦଳ ପକ୍ଷରୁ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ନେଇ ଦାବି ହୋଇ ଆସୁଥିବାବେଳେ ଏହି ପ୍ରସଙ୍ଗ ସ୍ୱାଧିକାର କମିଟିକୁ ଯିବ ବୋଲି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନ ସାଢେ଼ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ପୂର୍ବଭଳି ଅଶାନ୍ତ ବାତାବରଣ ସୃଷ୍ଟି ହୋଇଥିଲା । ଶାସକ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ମନ୍ତ୍ରୀଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିବାବେଳେ ବିରୋଧୀ କଂଗ୍ରେସ ଗୃହର ମଧ୍ୟଭାଗରେ ହାଲାବୋଲ କରିଥିଲେ । ଅପରପକ୍ଷରେ ବିଜେପି ବିଧାୟକମାନେ ପଛରେ ନପଡ଼ି ଜୋରଦାର ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା । ତିନି ଦଳର ନାରାବାଜି ଓ ହୋହାଲ୍ଲାରେ ଗୃହ ପ୍ରକମ୍ପିତ ହୋଇପଡ଼ିବାରୁ ବାଚସ୍ପତି ଡକ୍ଟର ପାତ୍ର ଗୃହକୁ ୧୦ଟା ୩୧ରୁ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ । ମଧ୍ୟାହ୍ନ ୧୨ଟାରେ ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ଅନରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାଚସ୍ପତି ବିରୋଧୀ ଦଳଙ୍କ ଉଦେ୍ଧଶ୍ୟରେ କହିଥିଲେଯେ, ଆପଣମାନେ ମୁଲତବୀ ପ୍ରସ୍ତାବ ଦେଇଛନ୍ତି । ମନ୍ତ୍ରୀ ମଧ୍ୟ ଉତର ଦେବାକୁ ପ୍ରସ୍ତୁତ ହୋଇ ରହିଛନ୍ତି । ଗୃହକାର୍ଯ୍ୟରେ ବିଧାୟକମାନେ ଅଂଶଗ୍ରହଣ କରନ୍ତୁ ବୋଲି ସେ ନିବେଦନ କରିଥିଲେ । କିନ୍ତୁ ବାଚସ୍ପତିଙ୍କ କଥାକୁ କର୍ଣ୍ଣପାତ ନକରି ପୂର୍ବଭଳି ନାରାବାଜି ଜାରି ରହିଥିଲା । ବିଜେଡ଼ି ବିଧାୟକମାନେ ନିଜ ଆସନରେ ଠିଆ ହୋଇ ପୂର୍ବଭଳି କ୍ଷମା ପ୍ରାର୍ଥନା ଦାବି ଦୋହରାଇଥିଲେ । ଅପରପକ୍ଷରେ ବିରୋଧୀ ଧାନ କିଣିବା ଆମର ଦାବି, ନବୀନ ପଟ୍ଟନାୟକ ହାଏ ହାଏ ନାରା ଦେଇ ଗୃହକୁ କମ୍ପାଇ ଦେଇଥିଲେ । ଏହିପରି ୨ ମିନିଟ ନାରାବାଜି ଓ ହୋହାଲ୍ଲା ଚାଲିବା ପରେ ବାଚସ୍ପତି ଗୃହକୁ ୧୨ଟା ୨ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ । ଅପରାହ୍ନ ୪ଟାରେ ଗୃହ କାର୍ଯ୍ୟ ଆରମ୍ଭ କରି ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ । ସର୍ବଦଳୀୟ ବୈଠକରେ ଯୋଗଦେବା ପାଇଁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ, ଶାସକ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ, ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କୁ ବାଚସ୍ପତି ଡାକିଥିଲେ । ପରେ ଗୃହକୁ ୪ଟା ୩୧ରୁ ୪୫ ମିନିଟ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ପୁନଶ୍ଚ ଗୃହ କାର୍ଯ୍ୟ ଆରମ୍ଭ ହେବାପରେ ବାଚସ୍ପତି କହିଲେଯେ, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକ୍ରମେ ଆସନ୍ତାକାଲି ଦିନ ସାଢେ଼ ୧୧ଟାରେ ଖାଦ୍ୟଯୋଗାଣ ଓ ସମବାୟ ମନ୍ତ୍ରୀ ଧାନ କିଣା ପ୍ରସଙ୍ଗରେ ସରକାରଙ୍କର କି ଆଭିମୁଖ୍ୟ ରହିଛି ସେନେଇ ବିବୃତି ରଖିବେ । ସେହିପରି ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ସଂକ୍ରାନ୍ତରେ ବିଜେଡ଼ିର ବିଷୟ ଗୃହରେ ଉପସ୍ଥାପିତ ହେବନାହିଁ । ଏହି ପ୍ରସଙ୍ଗ ସ୍ୱାଧିକାର କମିଟିକୁ ପଠାଯିବ । ସେହିପରି ଆଜିର ଖର୍ଚ୍ଚଦାବି ଆଲୋଚନା ଗିଲୋଟିନ ଦ୍ୱାରା ଗୃହୀତ ହେବବୋଲି ବାଚସ୍ପତି କହିବା ସହ ଗୃହକୁ ଆସନ୍ତାକାଲି ପୂର୍ବାହ୍ନ ସାଢେ଼ ୧୦ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଥିଲେ ।