ନଭେମ୍ବର ୧୦ରୁ ବନ୍ଦ ହେବ ବାଣ ଦୋକାନ, କାହିଁକି ଜାଣନ୍ତୁ
ନଭେମ୍ବର ୧୦ରୁ ବନ୍ଦ ହେବ ବାଣ ଦୋକାନ, କାହିଁକି ଜାଣନ୍ତୁ
admin
Nov 3, 2020 - 14:45
Updated: Nov 3, 2020 - 14:45
ଭୁବନେଶ୍ୱର : ଦୀପାବଳିରେ ବାଣ ଫୁଟାଇବା ମନା । ଖାଲି ଫୁଟାଇବା ନୁହେଁ ବାଣ ବିକ୍ରିକୁ ବି ନାଁ । ସ୍ୱତନ୍ତ୍ର ରିଲିଫ କମିଶନର ଏନେଇ ଘୋଷଣା କରିଛନ୍ତି । ଯିଏ ଅବମାନନା କରି ବାଣ ବିକ୍ରି କରିବ ବା ବାଣ ଫୁଟାଇବ ସେମାନଙ୍କ ବିରୋଧରେ ପ୍ରଶାସନ ଓ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ବି ଦିଆଯାଇଛି । ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ ।
ଏସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛିଯେ, ଶୀତ ଦିନେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟରୋଗ ଥିବା ବ୍ୟକ୍ତିମାନଙ୍କର ଶ୍ୱାସଜନିତ ସମସ୍ୟା ବୃଦ୍ଧି ପାଇଥାଏ । ବାୟୂ ପ୍ରଦୂଷଣ ସାଙ୍ଗକୁ ବାୟୂମଣ୍ଡଳରେ ଭାସମାନ ଦ୍ରବ୍ୟ କଣିକାର ଅଧିକ ମିଶ୍ରଣ ଫଳରେ ଶ୍ୱାସଜନିତ ସମସ୍ୟା ଗୁରୁତର ହୋଇଥାଏ । ବାଣ ଫୁଟାଇବା ଯୋଗୁଁ ଅଧିକ ମାତ୍ରାରେ ନାଇଟ୍ରସ ଅକ୍ସାଇଡ଼, ସଲଫର ଡାଇଅକ୍ସାଇଡ଼, କାର୍ବନ ମନୋକସାଇଡ଼ ପରି କ୍ଷତିକାରକ ରସାୟନିକ ପଦାର୍ଥ ନିର୍ଗତ ହୋଇଥାଏ । ତାହା ସମ୍ବେଦନଶୀଳ ଲୋକଙ୍କର ଶ୍ୱାସଜନିତ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ । ଗୃହ ପୃଥକବାସରେ ଥିବା ତଥା କୋଭିଡ଼-୧୯ ସଂକ୍ରମିତ ଲୋକମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ ଆହୁରି ବଢ଼ାଇ ଦେବାର ବି ଆଶଙ୍କା ରହିଛି । ଏହାକୁ ଆଖିଆଗରେ ରଖି ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ବାଣ ଫୁଟାଇବା ନିଷିଦ୍ଧ କରାଯାଇଛି ।