ବନ୍ୟା ବିପର୍ଯ୍ୟୟ: ପ୍ରତିବର୍ଷ ୨୦୦୦ ରୁ ଅଧିକ ଜୀବନ ଯାଉଛି

ବନ୍ୟା ବିପର୍ଯ୍ୟୟ: ପ୍ରତିବର୍ଷ ୨୦୦୦ ରୁ ଅଧିକ ଜୀବନ ଯାଉଛି

ବନ୍ୟା ବିପର୍ଯ୍ୟୟ: ପ୍ରତିବର୍ଷ ୨୦୦୦ ରୁ ଅଧିକ ଜୀବନ ଯାଉଛି
ନୂଆଦିଲ୍ଲୀ : ଦେଶରେ ୧୨ରୁ ଊଦ୍ଧ୍ୱର୍ ରାଜ୍ୟ ଏବେ ବନ୍ୟା ପ୍ରଭାବିତ । ବିଶେଷ କରି କେରଳ, କର୍ଣ୍ଣାଟକ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ବନ୍ୟା ବିପର୍ଯ୍ୟୟ ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି । ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୨୮୦ ଟପି ସାରିଲାଣି । କେବଳ କେରଳରେ ୯୫ ଜଣଙ୍କ ମୃତ୍ୟୁ ହୋଇଛି । ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ମଧ୍ୟ ଲଗାଣ ବର୍ଷା ଯୋଗୁଁ ପ୍ରାୟ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଧ୍ୟପ୍ରଦେଶରେ ୬୦ ଜଣଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ୪୫ ଏବଂ ଗୁଜରାଟରେ ୩୫ ଜଣଙ୍କ ମୃତ୍ୟୁ ହୋଇଛି । ବିଭିନ୍ନ ରାଜ୍ୟରେ ବନ୍ୟା ଭାରତ ପାଇଁ ଏବେ ମହାବିପଦରେ ପରିଣତ ହୋଇଛି । ପ୍ରତିବର୍ଷ ଭାରତର ୧୫ ପ୍ରତିଶତ ଅଞ୍ଚଳ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହେଉଛି । ବନ୍ୟା ପାଇଁ ଦେଶରେ ପ୍ରତିବର୍ଷ ୨୦୦୦ ରୁ ଅଧିକ ଲୋକ ଜୀବନ ଯାଉଥିବା ଜଣାପଡ଼ିଛି । ପ୍ରତିବର୍ଷ ୬୦ ଲକ୍ଷ ହେକ୍ଟର ଚାଷ ଜମି ନଷ୍ଟ ହେଉଛି । ଏଥିଯୋଗୁଁ ପ୍ରାୟ ୧୮୦୦ କୋଟି ଟଙ୍କା କ୍ଷତି ସହିବାକୁ ପଡ଼ୁଛି । ମାସକ ପୂର୍ବେ ବିହାର ଓ ଆସାମରେ ବନ୍ୟା ଯୋଗୁଁ ୧୭୫ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୬-୧୭ ମସିହାରେ ବନ୍ୟା ଯୋଗୁଁ ଭାରତରେ ୧୫୫୦ ଜଣଙ୍କ ମୃତ୍ୟୁ ହୋଇଥିଲା । ୨୦୧୭-୧୮ରେ ୨୪୯୪, ୨୦୧୮-୧୯ରେ ୨୦୪୫ ଏବଂ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ପ୍ରାୟ ୫ ଶହ ଲୋକଙ୍କ ମୃତ୍ୟୁ ହୋଇଛି । ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ବନ୍ୟା ଯୋଗୁଁ ଲକ୍ଷାଧିକ ଘର ନଷ୍ଟ ହେଉଛି । ୨୦୧୬-୧୭ରେ ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ଯୋଗୁଁ ୫.୫ ଲକ୍ଷ ଘର ନଷ୍ଟ ହୋଇଥିବା । ୨୦୧୭-୧୮ ରେ ୧୧.୯ ଲକ୍ଷ, ୨୦୧୮-୧୯ ରେ ୧୫.୬ ଲକ୍ଷ ୨୦୧୯-୨୦ରେ ୬ ଲକ୍ଷ ଘର ନଷ୍ଟ ହୋଇଥିଲା । କିନ୍ତୁ ସରକାରଙ୍କ ପକ୍ଷରୁ ସ୍ଥିତି ନିୟନ୍ତ୍ରଣ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ବିଫଳ ହେଉଛି । ଲଗାଣ ବର୍ଷା ଯୋଗୁଁ ବନ୍ୟା ହେଉଥିଲେ ମଧ୍ୟ ଯୋଜନା ଏବଂ ପରିଚାଳନା ଅଭାବରୁ ପ୍ରବଳ କ୍ଷତି ସହିବାକୁ ପଡ଼ୁଛି । ପାଣିପାଗ ଆକଳନ ପାଇଁ ସରକାରୀ ସଂସ୍ଥା ଗୁଡ଼ିକ ସଠିକ କୌଶଳ ଅବଲମ୍ବନ କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି । ୨୦୧୭ ସିଏଜି ରିପୋର୍ଟରୁ ଜଣାପଡ଼ିଥିଲା ଯେ ବନ୍ୟା ଆକଳନ ପାଇଁ ସରକାରଙ୍କ ଦ୍ୱାରା ଦେଶରେ ୨୧୯ଟି ଟେଲିମେଟ୍ରି ଷ୍ଟେସନ ପ୍ରତିଷ୍ଠା ପାଇଁ ଯୋଜନା ହୋଇଥିବା ବେଳେ ସେଥିରୁ ମାତ୍ର ୫୬ଟି ପ୍ରତିଷ୍ଠା ହୋଇଛି । ତେବେ ଅବସ୍ଥାପିତ ହୋଇଥିବା ଟେଲିମେଟ୍ରି ଷ୍ଟେସନ ଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତ କାମ କରୁ ନାହିଁ ।