ବୁଲବୁଲ୍ ପାଇଁ ଓଡ଼ିଶାକୁ ୫୫୨ କୋଟି ଆଗୁଆ ମିଳିଲା

ବୁଲବୁଲ୍ ପାଇଁ ଓଡ଼ିଶାକୁ ୫୫୨ କୋଟି ଆଗୁଆ ମିଳିଲା

ବୁଲବୁଲ୍ ପାଇଁ ଓଡ଼ିଶାକୁ ୫୫୨ କୋଟି ଆଗୁଆ ମିଳିଲା
ପଶ୍ଚିମବଙ୍ଗକୁ ୪୧୫ କୋଟି ନୂଆଦିଲ୍ଲୀ: ବୁଲ୍ବୁଲ୍ ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ର ସରକାର ଓଡ଼ିଶା ଓ ପଶ୍ଚିମବଙ୍ଗକୁ ସହାୟତା ଘୋଷଣା କରିଛନ୍ତି । ଓଡ଼ିଶାକୁ ୫୫୨ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସେହିଭଳି ପଶ୍ଚିମବଙ୍ଗକୁ ୪୧୪ କୋଟି ୯୦ ଲକ୍ଷ ଟଙ୍କାର ସହାୟତା ରାଶି ମିଳିବ । ନଭେମ୍ବର ୯ ତାରିଖରେ ପଶ୍ଚିମବଙ୍ଗରେ ବୁଲ୍ବୁଲ ବାତ୍ୟା ସ୍ଥଳ ଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଓ ଓଡ଼ିଶାରେ ତାଣ୍ଡବ ରଚାଇଥିଲା । ଓଡ଼ିଶାରେ ବୁଲ୍ବୁଲ୍ ବାତ୍ୟାରେ କୌଣସି ମୃତାହତ ହୋଇନଥିଲେ ହେଁ ପଶ୍ଚିମବଙ୍ଗରେ ୧୧ ଜଣ ପ୍ରାଣ ହରାଇଥିଲେ ଓ ୩୫.୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାରେ ମଧ୍ୟ ୩୮.୦୮ ଲକ୍ଷ ଲୋକ ବୁଲ୍ବୁଲ୍ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର ସମେତ ୬ଟି ଜିଲ୍ଲାରେ ସରକାରୀ ଓ ଘରୋଇ ସମ୍ପତ୍ତିର କ୍ଷୟକ୍ଷତି ଘଟିଥିଲା । କେନ୍ଦ୍ର ସରକାର ବୁଲବୁଲ ବାତ୍ୟାର କ୍ଷୟକ୍ଷତି ଆକଳନ କରିବା ପାଇଁ କେନ୍ଦ୍ରୀୟ ଟିମ୍ ଗଠନ କରିଥିଲେ । ଏହି କେନ୍ଦ୍ରୀୟ ଟିମ୍ ଦୁଇ ରାଜ୍ୟ ଗସ୍ତ କରି କ୍ଷୟକ୍ଷତିର ଆକଳନ କରି ଫେରି ଆସିଥିଲେ । ହେଲେ ଦୁଇ ରାଜ୍ୟ ମାନଙ୍କ ଦ୍ୱାରା କ୍ଷୟକ୍ଷତି ନେଇ ଆର୍ଥିକ ସହାୟତା ସମ୍ପର୍କିତ ସ୍ମାରକ ପତ୍ର ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରାଯାଇପାରିନାହିଁ । ଅପରପକ୍ଷେ ଦୁଇ ରାଜ୍ୟର ରିଲିଫ ପ୍ୟାକେଜ୍ ଓ ଅନ୍ୟାନ୍ୟ ସହାୟତା ପାଇଁ ଏସଡିଆରଏଫ ପାଣ୍ଠି ୨୦୧୯-୨୦ ପାଇଁ କେନ୍ଦ୍ରୀୟ ଅଂଶଧନକୁ ରିଲିଜ କରାଯାଇଛି । ତଦନୁସାରେ ଓଡ଼ିଶାକୁ ୫୫୨କୋଟି ଟଙ୍କା ଓ ପଶ୍ଚିମବଙ୍ଗକୁ ୪୨୪ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ସୂଚନାଯୋଗ୍ୟ ଏସଡିଆରଏଫ ଫଣ୍ଡ ଅନ୍ତର୍ଗତ ଏପି୍ରଲ ୧, ୨୦୧୯ ସୁଦ୍ଧା ପଶ୍ଚିମ ବଙ୍ଗର ୨୪୭.୭୦ କୋଟି ଓ ଓଡ଼ିଶାରେ ୪୪୭.୫୨ କୋଟି ଟଙ୍କା ଉପଲବ୍ଧ ରହିଥିଲା ।