ବୈଜୟନ୍ତଙ୍କୁ ସୀମା ଦେଖାଇଦେଲେ ଧର୍ମେନ୍ଦ୍ର

ବୈଜୟନ୍ତଙ୍କୁ ସୀମା ଦେଖାଇଦେଲେ ଧର୍ମେନ୍ଦ୍ର

ବୈଜୟନ୍ତଙ୍କୁ ସୀମା ଦେଖାଇଦେଲେ ଧର୍ମେନ୍ଦ୍ର
ଭୁବନେଶ୍ୱର : ବିଜେପିର ମିଶିବାର ଚବିଶ ଘଂଟା ମଧ୍ୟରେ ହେଲେ ରାଷ୍ଟ୍ରୀୟ ଉପସଭାପତି, ରାଷ୍ଟ୍ରୀୟ ମୁଖପାତ୍ର । ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କୁ କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଭ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିବାବେଳେ ଅପରାଜିତାଙ୍କୁ କିଛି ବି ପଦବୀ ମିଳିନଥିଲା । ଫଳରେ ବିଜେପିରେ ବୈଜୟନ୍ତଙ୍କ ଢେ଼ର କାଟତି ରହିଛି ଓ ଟିକେଟ ବଂଟନରେ ବି ବଡ ଭୂମିକା ଗ୍ରହଣ କରିବେ ବୋଲି ଆଲୋଚନା ହେଉଥିଲା । ବୈଜୟନ୍ତ ବି ନିଜ ସମର୍ଥକ ଓ ତୁଙ୍ଗ ନେତାଙ୍କ ପାଇଁ ଟିକେଟ କରାଇଦେବାର ବିରାଟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟି ଚାଳନାରେ ବୈଜୟନ୍ତଙ୍କ ରଣନୀତି ଫେଲ ମାରିଲା । ଓଡ଼ିଶା ବିଜେପିରେ ତାଙ୍କର ଧାକ ଥିଲା, ଅଛି ଓ ରହିବ ବୋଲି ଧର୍ମେନ୍ଦ୍ର ପ୍ରମାଣିତ କରିବା ସହ ବୈଜୟନ୍ତଙ୍କୁ ତାଙ୍କର ସୀମା ଦେଖାଇ ଦେଇଛନ୍ତି । ବୈଜୟନ୍ତ ପଣ୍ଡା ବିଜେଡିରୁ କୋଣଠେସା ହେବା ପରଠାରୁ ଢେଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦ ତାଙ୍କୁ ସବୁମତେ ସାହାଯ୍ୟ ସହଯୋଗ କରିଆସୁଥିଲେ । ବୈଜୟନ୍ତଙ୍କ ହେଇଯାଉ କାର୍ଯ୍ୟକ୍ରମକୁ ସବୁଠାରୁ ଆଖି ଦୃଶିଆ କରାଇଥିଲେ ନବୀନ ନନ୍ଦ । ବୈଜୟନ୍ତ ବି ଭରସା ଦେଇଥିଲେ । ତୁମେ କୁଆଡେ଼ ଯାଅନାହିଁ । ମୁଁ ଯୁଆଡେ଼ ଯିବି, ତମକୁ ସାଙ୍ଗରେ ନେବି । ଦଳୀୟ ଟିକେଟ ବି କରାଇଦେବି । ସେଇ ଭରସାରେ ନବୀନ ନନ୍ଦ ସ୍ୱାଧୀନ ଭାବେ ସଂଗଠନ ଜାରି ରଖିଥିଲେ । କଂଗ୍ରେସରୁ ବାରବାର ଡାକରା ଆସିଥିଲେ ବି ଯାଇନଥିଲେ । ବୈଜୟନ୍ତ ବିଜେପିରେ ମିଶିବା ପରେ ନବୀନ ନନ୍ଦ ବି ବିଜେପିକୁ ଯିବା ପାଇଁ ସଜବାଜ ହୋଇବସିଥିଲେ । ତେବେ ଟିକେଟରେ ଥିଲା କେଁ । ଟିକେଟ ମିଳିବା ନିଶ୍ଚିତ ହେବା ପରେ ସେ ବିଜେପିକୁ ଯିବାପାଇଁ ରୋକଠୋକ ଭାବେ ଜଣାଇ ଦେଇଥିଲେ । ବୈଜୟନ୍ତ ବି ନିଜର ଅନୁଗତଙ୍କୁ ଟିକେଟ ଦେଇ ପତିଆରା ବଢ଼ାଇବାକୁ ଚାହୁଁଥିଲେ । ହେଲେ ବୈଜୟନ୍ତଙ୍କୁ ସେହି ସୁଯୋଗ ଦେଲେନାହିଁ ଧର୍ମେନ୍ଦ୍ର । ରୋକଠୋକ ଭାବେ ମନା କରିଦେଲେ । ଧର୍ମେନ୍ଦ୍ରଙ୍କ ସପକ୍ଷରେ ରାଜ୍ୟର ଅନ୍ୟ ନେତାମାନେ ବି ବାହାରିଲେ । ଏକାକୀ ନବୀନ ନନ୍ଦଙ୍କ ଟିକେଟ ପାଇଁ ବୈଜୟନ୍ତ ଲଢ଼ିପାରିଲେ ନାହିଁ । ଫଳରେ ନବୀନ ନନ୍ଦ ଏବେ କଂଗ୍ରେସ ଯିବାକୁ ନିଷ୍ପତି ନେଇସାରିଛନ୍ତି । ସୋମବାର ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ସେ କଂଗ୍ରେସର ହାତ ଧରିବେ । ଏନେଇ ବୈଜୟନ୍ତ ଅମିତ ଶାହା ଓ ଅରୁଣ ଜେଟଲୀଙ୍କୁ ଅବଗତ କରାଇଛନ୍ତି । ତେବେ ନେଡ଼ିଗୁଡ଼ କହୁଣୀକୁ ବୋହି ସାରିଥିବାବେଳେ ନବୀନ ନନ୍ଦଙ୍କ ପାଇଁ ବୈଜୟନ୍ତ ଟିକେଟ କରାଇବା ଏତେ ସହଜ ନୁହେଁ । ଯଦି ବୈଜୟନ୍ତ ଟିକେଟ କରାଇଦେବେ ତେବେ ବିଜେପିରେ ବୈଜୟନ୍ତଙ୍କ ରାଜ ଚାଲିବ ବୋଲି କୁହାଯାଇପାରେ ।