ଭାଇଚାରା ସୃଷ୍ଟି ହେଲେ କଂଗ୍ରେସ ମଜଭୁତ ହେବ: ନିରଞ୍ଜନ

ଭାଇଚାରା ସୃଷ୍ଟି ହେଲେ କଂଗ୍ରେସ ମଜଭୁତ ହେବ: ନିରଞ୍ଜନ

ଭାଇଚାରା ସୃଷ୍ଟି ହେଲେ କଂଗ୍ରେସ ମଜଭୁତ ହେବ: ନିରଞ୍ଜନ
ଭୁବନେଶ୍ୱର: ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ତୀବ୍ର ହେବାରେ ଲାଗିଛି । ଦଳରେ ଘଡ଼ିକେ ଘୋଡ଼ା ଛୁଟୁଛି । ପିସିସି ପଦରୁ ନିରଞ୍ଜନ ପଟ୍ଟନାୟକଙ୍କୁ ହଟାଇବା ପାଇଁ ତାଙ୍କ ବିରୋଧୀ ଫୁଲ ଦମରେ ଲାଗିଥିଲେ । ତେବେ ଯଦିଓ ସେମାନେଏଥିରେ ସଫଳ ହୋଇନାହାନ୍ତି ତେବେ ଦଳରେ ଗୋଷ୍ଠୀ କନ୍ଦଳ କେଉଁଠି ନା କେଉଁଠି ବାରି ହୋଇପଡ଼ୁଛି । ତେବେ କଂଗ୍ରେସ ଦଳକୁ କେମିତି ମଜବୁତ କରିହେବ ତାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ । ଭାଇଚାରା ସୃଷ୍ଟି ହେଲେ କଂଗ୍ରେସ ଦଳ ମଜଭୁତ ହୋଇପାରିବ । ଏମିତି ମାର୍ଗ ଧରିବା ଉଚିତ, ଯେଉଁଥିରେ ଦଳର କିଛି କ୍ଷତି ହେବ । ଏଭଳି କହିଛନ୍ତି ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟରେ ପିସିସି ପରିବର୍ତ୍ତନ ନେଇ ଚାଲିଥିବା ଛକାପଞ୍ଝାକୁ ନେଇ ନିଜର ପ୍ରତିକ୍ରିୟା ରଖି ଶ୍ରୀ ପଟ୍ଟନାୟକ ଏହା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ପତ୍ୟେକଙ୍କର କିଛି ନା କିଛି ଅଭିଳାଷ ଥାଏ । ଅଭିଳାଷ ପୂରଣ ପାଇଁ ଉଦ୍ୟମ ବି ହୁଏ । କେହି ନିଜର ଅଭିଳାଷ ପୂରଣ ଉଦ୍ୟମ କଲେ ମୁଁ ଖରାପ ଭାବିବି ନାହିଁ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ସହ ମୋର ମନାନ୍ତର ନାହିଁ । ମୁଁ ତାଙ୍କ ଶ୍ରଦ୍ଧା କରେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ପ୍ରକାଶ ଯେ, ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ସମର୍ଥନ ଯୋଗାଡ଼ ପାଇଁ କଂଗ୍ରେସର ଅନ୍ତୁଷ୍ଟମାନେ ଗତ ୪ ତାରିଖ ଦିନ ହେମାନନ୍ଦ ବିଶ୍ୱାଳଙ୍କୁ ଭେଟିଥିଲେ । ପିସିସି ସଭାପତି ପଦ ପାଇଁ ମୋକିମଙ୍କ ନାମକୁ ପ୍ରସ୍ତାବ କରିବାକୁ ସମ୍ପୃକ୍ତ ଅସନ୍ତୁଷ୍ଟ ନେତାମାନେ ଶ୍ରୀ ବିଶ୍ୱାଳଙ୍କୁ ଅନୁରୋଧ କରିଥିଲେ । ଖାଲି ହେମାନନ୍ଦ ବିଶ୍ୱାଳ ନୁହନ୍ତି ଆଗାମୀ ଦିନରେ ଅସନ୍ତୁଷ୍ଟ ନେତାମାନେ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିବେ ବୋଲି ଅସନ୍ତୁଷ୍ଟ ଗୋଷ୍ଠୀ ବା ଚିନ୍ତନ ବୈଠକର ଆୟୋଜକ ସନତ ଦାସ କହିଥିଲେ । ଏହି ପରିପ୍ରେକ୍ଷୀରେ ହେମାନନ୍ଦ ବିଶ୍ୱାଳ କହିଥିଲେ ଯେ, ଦଳର ସ୍ଥିତି ଯାହା ତାହା ନକହିବା ଭଲ । ଯାହା କହିବା କଥା ଦିଲ୍ଲୀରେ ହାଇକମାଣ୍ଡଙ୍କୁ କହିବି ବୋଲି ହେମାନନ୍ଦ ବିଶ୍ୱାଳ କହିଥିଲେ । ତେବେ ଓଡ଼ିଶାରେ ପିସିସିରେ ପରିବର୍ତ୍ତନ ହେବ ନାହିଁ ବୋଲି ରବିବାର ପିସିସି ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂ ନୂଆଦିଲ୍ଲୀରେ କହିଥିଲେ । ସେ କହିଥିଲେ ଯେ, ଏବେ ଓଡ଼ିଶାରେ ପିସିସିରେ ପରିବର୍ତ୍ତନର ସମ୍ଭାବନା ନାହିଁ । ବର୍ତ୍ତମାନ ନିରଞ୍ଜନ ପଟ୍ଟନାୟକ ହିଁ ପିସିସି ସଭାପତି ରହିବେ । ଖାଲି ସେତିକି ନୁହେଁ ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ ଅଯଥା ବୟାନବାଜି ନକରିବାକୁ ପରାମର୍ଶ କହିଥିଲେ । ଅନ୍ୟପକ୍ଷରେ ବାହାରେ ବୟାନ ଦେଲେ କର୍ମୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସିଂ ଚେତାବନୀ କହିଥିଲେ । କର୍ମୀଙ୍କର ଯଦି କୌଣସି ଅଭିଯୋଗ ଥାଏ ତେବେ ସେମାନେ ତାଙ୍କ ସହ କିମ୍ବା ଦଳର ଅଧ୍ୟକ୍ଷାଙ୍କ ସହ ଆଲୋଚନା କରିବାକୁ ଶ୍ରୀ ସିଂ ପରାମର୍ଶ କହିଥିଲେ ।