ମାଫିଆଙ୍କ ସହ ପ୍ରଦୀପଙ୍କ ସମ୍ପର୍କ: ରମେଶ
ମାଫିଆଙ୍କ ସହ ପ୍ରଦୀପଙ୍କ ସମ୍ପର୍କ: ରମେଶ
admin
Dec 6, 2020 - 09:53
Updated: Dec 6, 2020 - 09:53
ଭୁବନେଶ୍ୱର: ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ରମେଶ ଜେନା । ଏକ ସାମ୍ବାଦିକ ସମ୍ମିଳନୀରେ ସାନଖେମୁଣ୍ଡି ବିଧାୟକ ଶ୍ରୀ ଜେନା ପ୍ରଦୀପଙ୍କୁ ଟାର୍ଗେଟ କରି ଅନେକ ଗୁମର ଖୋଲିଛନ୍ତି । ଶ୍ରୀ ଜେନା କହିଛନ୍ତି ଯେ, ପ୍ରଦୀପଙ୍କ ସହ ଯେଉଁମାନେ ବି ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ରାଜନେତାମାନେ ବି ସମ୍ପୃକ୍ତ ଥିଲେ ତଦନ୍ତ କରାଯାଉ । ରାଜ୍ୟ ବାହାରେ ଥିବା ପ୍ରଦୀପଙ୍କ ସମ୍ପତ୍ତି ଆକଳନ କରାଯାଉ । ମଦ, ବାଲି ମାଫିଆଙ୍କ ସହ ତାଙ୍କର ସମ୍ପର୍କ ନେଇ ତଦନ୍ତ ହେଉ । ମୋତେ ଜେଲ ପଠାଇବାରେ ତାଙ୍କର ଭୂମିକା ଥିଲା । ସେ କେତେ ଭଲ ତାହା ଜଣାପଡ଼ିଗଲା ବୋଲି ସାନଖେମୁଣ୍ଡି ବିଧାୟକ ରମେଶ ଜେନା କହିଛନ୍ତି ।
ସାମ୍ବାଦିକ ସମ୍ପିଳନୀରେ ଶ୍ରୀ ଜେନା କହିଛନ୍ତି ଯେ, ୨୦୦୪ ମସିହାଠାରୁ ୨୦୨୦ ପର୍ୟ୍ୟନ୍ତ ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି ଗୋପାଳପୁର ବିଧାୟକ ରାଜୁତି ଚଳାଇଥିଲେ। ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କର ସୁସମ୍ପର୍କ ରହିଥିଲା। ପ୍ରତି ମାସରେ ତାଙ୍କ ପାଖକୁ ୯୦ଲକ୍ଷରୁ ପ୍ରାୟ ୧କୋଟି ଟଙ୍କାର ବଟି ଆସୁଥିଲା। ବହୁ ବିଳମ୍ବରରେ ହେଉ ପଛେ ଗୋପାଳପୁର ବିଧାୟକଙ୍କ କଳା କାରନାମା ରାଜ୍ୟ ସରକାରଙ୍କ ନଜରକୁ ଆସିଛି। ରାଜ୍ୟ ସରକାର ଯେଉଁ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି ତାହାକୁ ମୁଁ ସ୍ବାଗତ କରୁଛି। ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସରକାର ଆହୁରି ଖୋଳାତାଡ଼ କଲେ ବହୁ ତଥ୍ୟ ପଦାକୁ ଆସିବ। ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଉତ୍ତରାଖଣ୍ଡଠାରେ ଏକ ପାୱାର ପ୍ଲାଣ୍ଟ ରହିଥିବା ଆମେ ଜାଣିବାକୁ ପାଇଥିଲୁ। ସରକାର ଏହାର ମଧ୍ୟ ତଦନ୍ତ କରନ୍ତୁ। ମୋ ବିରୋଧରେ ୫୪ଟି ମିଥ୍ୟା କେସ୍ ଦିଆଯାଇଥିଲା। ଏହା ପଛରେ ପ୍ରଦୀପଙ୍କ ହାତ ରହିଥିଲା। ପ୍ରଦୀପଙ୍କ ଏହି ଦୁର୍ନୀତିରେ ଜିଲ୍ଲାର କିଛି ବିଜେଡି ବିଧାୟକ ଏବଂ ବ୍ଲକ ଅଧ୍ୟକ୍ଷଙ୍କ ସଂପୃକ୍ତି ରହିଛି। ଏହାର ଖୋଳତାଡ଼ ହେବା ଆବଶ୍ୟକ। ଯଦି ସରକାର ତଦନ୍ତକୁ ଦୁର୍ବଳ କରନ୍ତି ତାହେଲେ କଂଗ୍ରେସ ନିଶ୍ଚିତ ଭାବେ ବିରୋଧ କରିବ ବୋଲି ସେ କହିଛନ୍ତି।