ମାସର ଶେଷଦିନ ମିଳିବ ଦରମା ଓ ପେନସନ୍

ମାସର ଶେଷଦିନ ମିଳିବ ଦରମା ଓ ପେନସନ୍

ମାସର ଶେଷଦିନ ମିଳିବ ଦରମା ଓ ପେନସନ୍
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କର୍ମଚାରୀ ଏବଂ ପେନ୍ସନ୍ ଭୋଗୀମାନଙ୍କୁ ବେତନ ଏବଂ ପେନସନ୍ ପାଇବା ପାଇଁ ଆଉ ପରବର୍ତ୍ତୀ ମାସର ପହିଲା ତାରିଖକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କର୍ମଚାରୀ ଏବଂ ପେନସନ ଭୋଗୀମାନେ ମାସ ଶେଷ ଦିନରେ (କାର୍ଯ୍ୟ ଦିବସ) ହିଁ ଦରମା ପାଇବେ । ରାଜ୍ୟ ସରକାର ଏଭଳି ଏକ ନିଷ୍ପତ୍ତି ନେଇଥିବା ଜଣାଯାଇଛି । ନୂଆ ବ୍ୟବସ୍ଥା ଚଳିତ ମାସରୁ (୨୦୧୯ ସେପ୍ଟେମ୍ବର) ଲାଗୁହେବ । ଏଥିପାଇଁ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ଲାଗି ଅର୍ଥ ବିଭାଗ ପକ୍ଷରୁ ଏକ ନିୟମାବଳୀ ଜାରି କରାଯାଇଛି । ମାସର ଶେଷ ଦିନଟି ଛୁଟିଦିନ ହୋଇଥିଲେ ଏହାର ଗୋଟିଏ ଦିନ କିମ୍ବା କିଛି ଦିନ ପୂର୍ବରୁ ଦରମା ପ୍ରଦାନ କରାଯିବ । ତେବେ ମାର୍ଚ୍ଚମାସର ବେତନକୁ ଏପ୍ରିଲ ୧ ତାରିଖରେ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ବଜେଟ୍ ଏବଂ ଆଲଟମେଣ୍ଟ ବ୍ୟବସ୍ଥା ନ ଥିଲେ, ଡିଡିଓମାନଙ୍କ ଦ୍ୱାରା ମାର୍ଚ୍ଚ ୩୧ ପରେ ମଧ୍ୟ ବେତନ ବିଲ୍ ଦାଖଲ କରାଯାଇପାରିବ ବୋଲି ଅର୍ଥ ବିଭାଗ କହିଛି । ଏହି ସମାନ ବ୍ୟବସ୍ଥା ପେନ୍ସନ୍ ପ୍ରଦାନ କ୍ଷେତ୍ରରେ ମଧ୍ୟ ଲାଗୁହେବ । ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାରେ ବେତନ ପ୍ରଦାନ ବିଳମ୍ବ ହେଲେ ନ୍ୟାସନାଲ ପେନସନ ସିଷ୍ଟମ (ଏନପିଏସ୍)ରେ ସାମିଲ ଥିବା କର୍ମଚାରୀମାନଙ୍କ ପେନ୍ସନ୍ ରିଟର୍ଣ୍ଣ ପ୍ରଭାବିତ ହେଉଛି । ନୂତନ ପଦକ୍ଷେପ ଦ୍ୱାରା କେବଳ କର୍ମଚାରୀ ଏବଂ ପେନସନ ଭୋଗୀଙ୍କ ବେତନ ଓ ପେନସନ ପ୍ରଦାନ ତ୍ୱରାନ୍ୱିତ ହେବ ନାହିଁ, ବରଂ ବେତନ ବିଲ୍ ପ୍ରସ୍ତୁତି ପାଇଁ ଦରକାର ହେଉଥିବା ବହୁମାତ୍ରାର କାଗଜ କମିଯିବ । ବର୍ତ୍ତମାନ ବ୍ୟବସ୍ଥାରେ ପ୍ରସ୍ତୁତ ହେଉଥିବା ବେତନ ବିଲ୍ ପାଇଁ ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ପ୍ରତିମାସରେ ୧୫ ଲକ୍ଷରୁ ଅଧିକ ଏ-୩ ଆକାରର କାଗଜ ବ୍ୟବହାର ହେଉଛି । ପୁରୁଣା ବ୍ୟବସ୍ଥାରେ ପ୍ରତିମାସ ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ଉପସ୍ଥାନ ବିଚାରକୁ ନେଇ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ବେତନ ବିଲ୍ ପ୍ରସ୍ତୁତ କରାଯାଉଛି । ଏଥିଯୋଗୁ ଡିଡିଓମାନଙ୍କ (ଡ୍ରଇଂ ଆଣ୍ଡ ଡିସବର୍ସିଂ ଅଧିକାରୀ) ହାତରେ ବେତନ ବିଲ୍ ପ୍ରସ୍ତୁତି ପାଇଁ ଖୁବ୍ କମ୍ ସମୟ ରହୁଛି । ସେଥିପାଇଁ ମାସର ଶେଷ କାର୍ଯ୍ୟଦିବସରେ କର୍ମଚାରୀଙ୍କୁ ଦରମା ପ୍ରଦାନ କରିବା ସହଜ ହେଉନାହିଁ । ଏହି ସମସ୍ୟାକୁ ଦୂର କରିବା ପାଇଁ କର୍ମଚାରୀମାନଙ୍କ ଉପସ୍ଥାନ ସଂକ୍ରାନ୍ତ ଦସ୍ତାବିଜ୍କୁ କାର୍ଯ୍ୟାଳୟଗୁଡ଼ିକ ପୂର୍ବ ମାସର ୧୫ ତାରିଖରୁ ଚାଲୁଥିବା ମାସର ୧୪ ତାରିଖ ପର୍ଯ୍ୟନ୍ତକୁ ବିଚାରକୁ ନେଇ ବେତନ ବିଲ୍ ପ୍ରସ୍ତୁତ କରିବେ । ୧୫ ତାରିଖରେ କାର୍ଯ୍ୟାଳୟ ପକ୍ଷରୁ ଡିଡିଓଙ୍କୁ ଉପସ୍ଥାନ ସଂକ୍ରାନ୍ତ ଦସ୍ତାବିଜ୍ ଦାଖଲ କରିବାକୁ ହେବ । ୧୫ ତାରିଖ ଛୁଟିଥିଲେ ତାହା ପରଦିନ ଉକ୍ତ ଦସ୍ତାବିଜ୍ ଡିଡିଓଙ୍କ ନିକଟରେ ଦାଖଲ ହେବ । ଡିଡିଓମାନେ ଏଚ୍ଆର୍ଏମ୍ଏସ୍ ବ୍ୟବସ୍ଥାକୁ ବ୍ୟବହାର କରି ବେତନ ବିଲ୍ ପ୍ରସ୍ତୁତ କରିବେ ।