ରାଜ୍ୟସଭାରେ ପୁଣି ଉଠିଲା ଦାବି, ସ୍ପେଶାଲ ଫୋକସ୍ ଷ୍ଟେଟ୍
ରାଜ୍ୟସଭାରେ ପୁଣି ଉଠିଲା ଦାବି, ସ୍ପେଶାଲ ଫୋକସ୍ ଷ୍ଟେଟ୍
admin
Dec 7, 2019 - 10:37
Updated: Dec 7, 2019 - 10:37
ଭୁବନେଶ୍ୱର: ଓଡ଼ିଶାର ଭଳି ପ୍ରାକୃତିକ ଦୁର୍ବିପାକର ଶିକାର ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ‘ସ୍ପେଶାଲ ଫୋକସ ଷ୍ଟେଟ’ ମାନ୍ୟତା ଦେଉ । ଓଡ଼ିଶା ଏ ପୁରୁଣା ଦାବିକୁ ଶୁକ୍ରବାର ରାଜ୍ୟସଭାରେ ଦୋହରାଇଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ସେ ଗୃହର ଦୃଷ୍ଟି ଆକର୍ଷଣ କରି କହିଲେ ଓଡ଼ିଶାରେ ପ୍ରତିିବର୍ଷ ଭଳି ବହୁ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ବହୁଳ ଭାବେ ବିପର୍ଯ୍ୟୟ ଦ୍ୱାରା କ୍ଷତି ସହୁଛି । ‘ଫୋନି’ ବାତ୍ୟାରେ ଓଡ଼ିଶାରେ ୩୦ ହଜାର କୋଟି ଟଙ୍କା କ୍ଷୟକ୍ଷତି ହୋଇଛି । ତେଣୁ ଓଡ଼ିଶା ଭଳି ରାଜ୍ୟକୁ ସ୍ପେଶାଲ ଫୋକସ ଷ୍ଟେଟ ମାନ୍ୟତା ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଜୁନରେ ପ୍ରଧାନମନ୍ତ୍ରୀ ଓ ନୀତି ଆୟୋଗ ବୈଠକରେ ଦାବି କରିଥିଲେ । ଦୁର୍ବିପାକର ଶିକାର ରାଜ୍ୟ ଗୁଡ଼ିକୁ ନିର୍ଦ୍ଧିଷ୍ଟ ସମୟ ପାଇଁ ଏ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ମିଳିଲେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଭଳି କେନ୍ଦ୍ର ସୁବିଧା ମିଳିପାରିବ । କେନ୍ଦ୍ରୀୟ ଯୋଜନାରେ କେନ୍ଦ୍ର ୯୦ ପ୍ରତିଶତ ପାଣ୍ଠି ଦେବ । ରାଜ୍ୟକୁ ମାତ୍ର ୧୦ ପ୍ରତିଶତ ପାଣ୍ଠି ଦେବାକୁ ହେବ । ଏହା ଦ୍ୱାରା ବାରମ୍ବାର ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ରାଜ୍ୟ ଆର୍ଥିକ କ୍ଷତି ଭରଣା କରିବା ସହ ଅଣ୍ଟା ସଳଖି ଛିଡ଼ା ହେବାକୁ ସକ୍ଷମ ହେବେ । ଓଡ଼ିଶାର ଏ ଦାବିକୁ କେନ୍ଦ୍ର ତୁରନ୍ତ ଧ୍ୟାନ ଦେଇ ପୂରଣ କରିବାକୁ ସସ୍ମିତ ଦାବି କରିଥିଲା ବେଳେ ବହୁ ସଭ୍ୟ ଏ ଦାବିକୁ ସମର୍ଥନ ଜଣାଇଥିଲେ ।