ଶୋଚନୀୟ ଅବସ୍ଥାରେ ରାଜ୍ୟ କଂଗ୍ରେସ

ଶୋଚନୀୟ ଅବସ୍ଥାରେ ରାଜ୍ୟ କଂଗ୍ରେସ

ଶୋଚନୀୟ ଅବସ୍ଥାରେ ରାଜ୍ୟ କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ବିଜେଡି ଏବଂ ପ୍ରମୁଖ ବିରୋଧୀ ବିଜେପି ଆଗକୁ ମାଡ଼ି ଚାଲିଥିବା ବେଳେ ଅନ୍ୟତମ ବିରୋଧୀ କଂଗ୍ରେସ ଏହି ଦୁଇ ଦଳ ବିରୋଧରେ ଯେଭଳି ଆଭିମୁଖ୍ୟ ଗ୍ରହଣ କରିବା କଥା ସେଭଳି ରଣନୀତି ଆପଣେଇବାରେ ସଫଳ ହୋଇନାହିଁ । ନିର୍ବାଚନ ପୂର୍ବରୁ ପିସିସି ସଭାପତିଙ୍କ ହୋର୍ଡିଂରେ ଲେଖାଥିଲା- ‘ଉଠିବ କଂଗ୍ରେସ, ହସିବ ଓଡ଼ିଶା ।’ ମାତ୍ର ଗଲା ନିର୍ବାଚନରେ ଦଳର ଶୋଚନୀୟ ବିପର୍ଯ୍ୟୟ ଘଟିଲା । ଏଥିପାଇଁ ପିସିସି ଓ ଛାମୁଆ ସଂଗଠନ ଭାଙ୍ଗି ଦିଆଯାଇଥିଲା । ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ ମାଝୀ ଓ ଚିରଞ୍ଜିବୀ ବିଶ୍ୱାଳ ଅଛନ୍ତି । ଗତ ୬ ମାସ ଧରି ପିସିସି ପୁନର୍ଗଠନ ହୋଇପାରୁନାହିଁ । କେନ୍ଦ୍ରୀୟ ନେତାଙ୍କ ଆଗମନରେ ଚଳଚଞ୍ଚଳ ହୋଇ ଉଠୁଥିବା ଏହି ଦଳର ନେତାମାନେ ଫେରିଯିବା ପରେ ନିରବି ଯାଉଛନ୍ତି । କେବଳ ମଝିରେ ମଝିରେ ଛୋଟ ଛୋଟ କାର୍ଯ୍ୟକ୍ରମ ଭିତରେ ପତିଆରା ଦେଖାଇ ସ୍ଥିତି ରକ୍ଷା ଉଦ୍ୟମ ହେଉଛି । ଏଥିପାଇଁ ଦଳର ନେତା ଓ କର୍ମୀଙ୍କ ଭିତରେ ଉତ୍ସାହ ଦେଖାଯାଉନାହିଁ । ଦଳୀୟ କର୍ମକର୍ତ୍ତା ହେବାକୁ ଯେତିକି ପ୍ରତିଯୋଗିତା ଦଳକୁ ଆଗକୁ ବଢ଼ାଇବା ପାଇଁ ସେଭଳି ଆନ୍ତରିକତା ନାହିଁ । ଗତ ଡିସେମ୍ବର ୨୮ ରେ ୧୩୪ ତମ ପ୍ରତିଷ୍ଠା ଦିବସରେ ଏଆଇସିସି ମୁଖପାତ୍ର ଅଖିଳେଶ ପ୍ରତାପ ସିଂ ଆସିବା ବେଳେ ଦଳୟୀ ଶୋଭାଯାତ୍ରା ଓ ଶକ୍ତିି ପ୍ରଦର୍ଶନ କରାଯାଇଥିଲା । ଏହା ପରେ ଜାନୁଆରୀ ୬ ରେ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କଂଗ୍ରେସ ଭବନରେ ରାଜ୍ୟସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିଧି ସମ୍ମିଳନୀରେ ପୂର୍ବତନ ସାଂସଦ ମୀନାକ୍ଷୀ ନଟରାଜନ ଯୋଗ ଦେଇଥିଲେ । ଏହା ପରେ କେନ୍ଦ୍ରୀୟ ଶ୍ରମ ସଂଗଠନ ଗୁଡ଼ିକ ଜାନୁଆରୀ ୮ ରେ ଭାରତ ବନ୍ଦ ଡାକରାରେ କଂଗ୍ରେସ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଥିଲା । ସେହିଭଳି କଂଗ୍ରେସର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ଗତ ୧୬ ରେ କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ପ୍ରମୁଖ ଦଳୀ ଆଗାମୀ କାର୍ଯ୍ୟକ୍ରମ ନେଇ ଆଲୋଚନା କରିଥିଲେ । ଦେଶର ଏକତା, ଅଖଣ୍ଡତା ଓ ସଂହତି କଂଗ୍ରେସର ମୂଳ ଲକ୍ଷ୍ୟ ଦର୍ଶାଇ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରଭାବରୀ ଶ୍ରୀ ସିଂ ପରାମର୍ଶ ଦେଇଥିଲେ । କିନ୍ତୁ ସେଦିନ କଂଗ୍ରେସ ଭବନ ବାହାରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ପୂର୍ବତନ ମହିଳା କଂଗ୍ରେସ ନେତ୍ରୀ ସନ୍ଧ୍ୟା ମହାପାତ୍ର ଔ ତାଙ୍କ ସମର୍ଥକ ଏକାଠି ହୋଇ କେନ୍ଦ୍ରୀୟ ନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଓ ବିଶୃଙ୍ଖଳାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ପ୍ରଭାରୀ ଶ୍ରୀ ସିଂ କହିଥିଲେ ମଧ୍ୟ ପୂର୍ବତନ ଛାତ୍ର କଂଗ୍ରେସ ନେତା ଇତିଶ ପ୍ରଧାନ ପିସିସି ସଭକାପତିଙ୍କ ବିରୋଧରେ ହୋ ହଲ୍ଲା କରିଥିଲେ । ଏଭଳି ଅବସ୍ଥା ସୃଷ୍ଟି ହେଲା ଯେ ଦଳୀୟ ନେତାମାନେ ନିଜ ସୁରକ୍ଷା ପାଇଁ ବାଉନ୍ସର ମଗାଇଥିଲେ । ଯୋଉଥିପାଇଁ ଦଳକୁ ସମାଲୋଚିତ ହୋବାକୁ ପଡ଼ିଥିଲା । କଂଗ୍ରେସ ଭବନକୁ କିଏ ସେମାନଙ୍କୁ ଡାକିଥିଲା ଏହାକୁ ନେଇ ୩ ଜଣିଆ କମିଟି ଗଠନ ହୋଇଥିଲେ ମଧ୍ୟ ତାର ରିପୋର୍ଟ ଏ ପର୍ଯ୍ୟନ୍ତ ମିଳିନାହିଁ । ୧୭ ରେ ନାଗରିକ ସଂଶୋଧନ ଆଇନ (ସିଏଏ) ଜାତୀୟ ଜନସଂଖ୍ୟା ରେଜିଷ୍ଟର (ଏନପିଆର) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) କୁ ବିରୋଧ କରିବାକୁ ଦଳର କେନ୍ଦ୍ରୀୟ ନେତା ଦିଗବିଜୟ ସିଂ ଆସି ରାଜ୍ୟ କଂଗ୍ରେସ ନେତାଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଗତ ୩୦ ରେ ସିଏଏ ବିରୋଧ କରି କଂଗ୍ରେସ-ବାମଦଳ ବିଶି ଦେଶ ବଞ୍ଚାଅ ଓ ସମ୍ବିଧାନ ବଞ୍ଚାଅ ସମାବେଶ କରିଥିଲେ । ଏଥିରୁ କଂଗ୍ରେସ ସେଭଳି ରାଜନୈତିକ ଫାଇଦା ନେଇପାରିନି । ଗତ ପହିଲାରେ କିଷାନ କଂଗ୍ରେସର ଉପାଧ୍ୟକ୍ଷ ସୁରେନ୍ଦ୍ର ସୋଲାଙ୍କି କଂଗ୍ରେସ ଭବନରେ କର୍ମଶାଳା କରି ରାଜ୍ୟରେ ଚାଷୀଙ୍କ ଅଧିକାର ପାଇଁ ଦଳ ସଂଗ୍ରାମ ଜାରି ରଖିବ ବୋଲି କହିଥିଲେ । କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପାଇଁ ପିସିସି ପୁନର୍ଗଠନ ଅଙ୍କ ଛିଣ୍ଡିନାହିଁ । ଏଭଳି ସ୍ଥିତିରେ କଂଗ୍ରେସର ନିଜ ସାଂଗଠନିକ ସ୍ଥିତିକୁ ମଜବୁତ କରିବା ସମ୍ଭବ ହୋଇପାରୁନି । ଫଳରେ ନିରଞ୍ଜନଙ୍କ ‘ଉଠିବ କଂଗ୍ରେସ, ହସିବ ଓଡ଼ିଶା’ ସ୍ଲୋଗାନ ମାଟି କାମୁଡ଼ିଛି ।