ସଚିନ-ଭଜିଙ୍କ ପ୍ରଥମ ଭେଟର ଗୋପନ ଖୋଲିଲା
ସଚିନ-ଭଜିଙ୍କ ପ୍ରଥମ ଭେଟର ଗୋପନ ଖୋଲିଲା
admin
Nov 23, 2019 - 09:40
Updated: Nov 23, 2019 - 09:40
କୋଲକାତା: ଗୋଲାପି ବଲ୍ ଟେଷ୍ଟ୍ ସହିତ ଇଡେନ୍ ଗାର୍ଡେନ୍ସ ଶୁକ୍ରବାର ଭାରତର ବହୁ କିମ୍ବଦନ୍ତୀ କ୍ରିକେଟରଙ୍କୁ ଏକାଠି କରିଥିଲା । ପୁରୁଷ ଓ ମହିଳା ଖେଳାଳିମାନେ ପଡିଆ ଭ୍ରମଣ ବେଳେ ପ୍ରଶଂସକଙ୍କୁ ଅଭିବାଦନ ବି ସାଉଁଟିଥିଲେ । ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, କପିଳ ଦେବ, ଭିଭିଏସ୍ ଲକ୍ଷ୍ମଣ, ରାହୁଲ ଦ୍ରାବିଡ଼, ହରଭଜନ ସିଂହ ପ୍ରମୁଖ ଇଡେନ୍ ଗାର୍ଡେନ୍ସ ସହିତ ରହିଥିବା ନିଜ ନିଜର ପୁରୁଣା ସ୍ମୃତିର ଚାରଣ କରିଥିଲେ । ଷ୍ଟାର୍ ସ୍ପୋର୍ଟସ ପକ୍ଷରୁ ଆୟୋଜିତ ୪୦ ମିନିଟିଆ ଆଲୋଚନାବେଳେ ବହୁ ଉଲ୍ଲାସଭରା ମୁହୂର୍ତ୍ତକୁ ମନେ ପକାଇଥିଲେ ଏହି କିମ୍ବଦନ୍ତୀମାନେ । ଦୀର୍ଘ ଅଢେ଼ଇ ଦଶନ୍ଧି ଧରି ଖେଳିଥିବା ସଚିନ କିନ୍ତୁ ହରଭଜନ ସିଂହଙ୍କ ସହିତ ଥିବା ଏକ ମଜାଦାର କାହାଣୀର ଅବତାରଣା କରିଥିଲେ । ୧୯୯୬ ମସିହାରେ ପ୍ରଥମ ଥର ଭଜିଙ୍କୁ ଭେଟିଥିଲି । ମୋହଲି ଗସ୍ତ ବେଳେ କିଛି ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଥିଲି ସେ ଭଲ ଦୁସରା ପକାଉଛନ୍ତି । ଏହା ଶୁଣି ମୁଁ ଦିନେ ହରଭଜନ ସିଂହଙ୍କୁ ନେଟ୍ସରେ ବୋଲିଂ କରିବାକୁ ଡକାଇଥିଲି । ମୁଁ ତାଙ୍କ ବୋଲିଂକୁ ଖେଳିବାକୁ ପସନ୍ଦ କରିବି ବୋଲି ମଧ୍ୟ କହିଥିଲି । ଭଜି ବୋଲିଂ କରିବା ବେଳେ ପ୍ରତି ବଲ୍ ପରେ ସଚିନଙ୍କ ନିକଟକୁ ଯାଇ "ଜୀ ପାଜି' କହୁଥିଲେ । କିଛି ବର୍ଷ ପରେ ଭାରତୀୟ ଦଳରେ ଏକାଠି ଖେଳିବା ପରେ ସଚିନ ଦିନେ ପଚାରିଥିଲେ ପାଜି ସେତେବେଳେ ଏଭଳି କାହିଁକି କରୁଥିଲ । ଭଜି ଉତ୍ତରରେ କହିଥିଲେ, ମୋତେ ଯଦି "କ'ଣ ହେଲା' ପଚାରିଥାନ୍ତ ମୁଁ ସେଦିନ କହିଥାନ୍ତି "ଡାକିଲ ବୋଲି ପାଖକୁ ଆସିଲି' । ଏସବୁ ଜୀବନର ସବୁଠୁ ସ୍ମରଣୀୟ ଓ ମଜାଦାର ମୁହୂର୍ତ୍ତ ଥିଲା ବୋଲି ଭଜି ଶୁକ୍ରବାର ପ୍ରକାଶ କରିଥିଲେ ।
ଏହି ଆଲୋଚନାବେଳେ ଅନିଲ କୁମ୍ବଲେ କିନ୍ତୁ କହିଥିଲେ ଖେଳାଳି ଜୀବନରେ ଆମେ ଏକାଠି ବସି ଏତେ ଆଲୋଚନା କରିପାରୁନଥିଲୁ । ଏଥି ପାଇଁ ଇଡେନ୍ ଠାରୁ ଅଧିକ ଭଲ ପଡ଼ିଆ ମିଳିନଥାନ୍ତା । ସୌରଭ ଗାଙ୍ଗୁଲିଙ୍କ ପାଇଁ ଏହା ସମ୍ଭବ ହୋଇ ପାରିଛି ବୋଲି କୁମ୍ବଲେ କହିଥିଲେ । ଶୁକ୍ରବାର କୋଲକାତା ପ୍ରଶଂସକମାନେ ମଧ୍ୟ ସଚିନ୍... ସଚିନ୍...' ଚିକ୍ରାର କରି ଏହି ମହାନ ଖେଳାଳିଙ୍କୁ ତାଙ୍କ ଖେଳ ଜୀବନର ସମୟକୁ ଫେରାଇ ନେଇଥିଲେ । ଏହି ପଡିଆରେ ହରଭଜନଙ୍କ ହ୍ୟାଟ୍ରିକ୍, ଭିଭିଏସ୍ ଲକ୍ଷ୍ମଣଙ୍କ ୨୮୧ ରନ୍ ଏବଂ ରାହୁଲ୍ ଦ୍ରାବିଡ଼ଙ୍କ ସହ ୩୭୬ ରନ୍ ଭାଗୀଦାରିର ସ୍ମୃତି ଚାରଣ ମଧ୍ୟ ହୋଇଥିଲା ଏହି ଆଲୋଚନା ଅବସରରେ ।