ସିରିଆର ସୀମାନ୍ତ ସହର ଦଖଲ କଲା ତୁର୍କୀ:ଘମାଘୋଟ ଲଢେ଼ଇ ଜାରି

ସିରିଆର ସୀମାନ୍ତ ସହର ଦଖଲ କଲା ତୁର୍କୀ:ଘମାଘୋଟ ଲଢେ଼ଇ ଜାରି

ସିରିଆର ସୀମାନ୍ତ ସହର ଦଖଲ କଲା ତୁର୍କୀ:ଘମାଘୋଟ ଲଢେ଼ଇ ଜାରି
ଡାମାସ୍କସ୍: ସିରିଆର ଉତ୍ତର ପୂର୍ବ ସୀମାରେ ଲଢେ଼ଇ ଜୋରଦାର ହୋଇଛି । ତୁର୍କୀ ସେନା ଆଜି ସୀମାନ୍ତ ସହର ରାସ ଅଲେୟନ୍ ସହରକୁ ନିଜ ଦଖଲକୁ ନେଇଥିବା ଦାବି କରିଛି । ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ସହର ଛାଡ଼ି ପଳାୟନ କରଛନ୍ତି । ଦୁଇ ଦିନ ଧରି ବୋମା ବର୍ଷା ପରେ ସିରିୟା ସେନା ଆଜି ସହରର ସମସ୍ତ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇଥିବା କହିଛି । କୁର୍ଦ୍ଧ ଯୋଦ୍ଧାମାନଙ୍କୁ ନିପାତ କରିବା ପାଇଁ ଅହରହ ବୋମା ବର୍ଷା ଚାଲିଥିବା ବେଳେ କୁର୍ଦ୍ଧିସ ସେନା ମଧ୍ୟ ଏହାର ଜୋରଦାର ମୁକାବିଲା କରୁଛି । ସିରିୟାର ବିଦ୍ରୋହୀ ସେନା ଏବଂ ତୁର୍କୀ ସେନା ମିଳିତ ଭାବେ ରାସ ଅଲେୟନ୍ ସହରରେ ପ୍ରଚଣ୍ଡ ଆକ୍ରମଣ କରିଥିବା ବେଳେ କୁର୍ଦ୍ଧିସ ସେନାର ଶତାଧିକ ଆଡ଼ା ନଷ୍ଟ ହୋଇଥିବା କୁହାଯାଇଛି । ତେବେ ଏଥିରେ ମୃତାହତଙ୍କ ସଂଖ୍ୟା ନେଇ କିଛି ସୂଚନା ମିଳିନାହିଁ । ତୁର୍କୀର ଏଭଳି ପଦକ୍ଷେପ ଯୋଗୁଁ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବାରୁ ଆଜି ଆମେରିକା ଉଦ୍ବେଗ ପ୍ରକାଶ କରିଛି ଏବଂ ଆକ୍ରମଣ ବନ୍ଦ ହେବା ଉଚିତ୍ ବୋଲି କହିଛି । ଆକ୍ରମଣ ବନ୍ଦ ନହେଲେ ବଡ଼ ଧରଣର ଆର୍ଥିକ କଟକଣା ଲାଗିବ ବୋଲି ଆମେରିକା ଚେତାଇ ଦେଇଛି । ତେବେ ଆମେରିକାର କୌଣସି ଚେତାବନୀର ପ୍ରଭାବ ତୁର୍କୀ ଉପରେ ପଡ଼ୁନାହିଁ । ସିରିୟା ଶରଣାର୍ଥୀଙ୍କୁ ଥଇଥାନ ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନରୁ ଆମେ ପଛକୁ ହଟିବୁ ନାହିଁ ବୋଲି ତୁର୍କୀ ରାଷ୍ଟ୍ରପତି ତାୟିପ୍ ଏର୍ଦୋଗାନ କହିଛନ୍ତି । ତୁର୍କୀର ଆକ୍ରମଣ ଯୋଗୁଁ ପ୍ରାୟ ୨ ଲକ୍ଷ ଲୋକ ଘରଦ୍ୱାର ଛାଡ଼ି ପଳାଇଥିବାରୁ ଏବେ ସେମାନଙ୍କ ଥଇଥାନ ସିରିୟା ସରକାରଙ୍କ ପାଇଁ ଆଉ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ।