୨୦୨୧ରୁ ଓଡ଼ିଆ ଭାଷାରେ ଜେଇଇ ମେନ୍

୨୦୨୧ରୁ ଓଡ଼ିଆ ଭାଷାରେ ଜେଇଇ ମେନ୍

୨୦୨୧ରୁ ଓଡ଼ିଆ ଭାଷାରେ ଜେଇଇ ମେନ୍
ଏବେ ହିନ୍ଦୀ, ଇଂରାଜୀ ଓ ଗୁଜୁରାଟି ଭାଷାରେ ପ୍ରଶ୍ନପତ୍ର ଆସୁଛି, ୯ଟି ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର କରିବାକୁ ଏନ୍ଟିଏକୁ ନିର୍ଦେଶ ଭୁବନେଶ୍ୱର : ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ୨୦୨୧ ମସିହା ଜାନୁଆରିରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା "ଜେଇଇ ମେନ୍'ରେ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଆସିବ । ଏ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିଂ(ଏନ୍ଟିଏ)କୁ ନିର୍ଦେଶ ଦିଆଯାଇଛି । ଓଡ଼ିଆ ସମେତ ୧୧ଟି ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏବେ ହିନ୍ଦୀ, ଇଂରାଜୀ ଓ ଏକମାତ୍ର ଆଞ୍ଚଳିକ ଭାଷା ଭାବେ ଗୁଜୁରାଟିରେ ପ୍ରଶ୍ନପତ୍ର ଆସୁଛି । ତେବେ କେତେକ ରାଜ୍ୟ ନିଜର ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବାରମ୍ବାର ଦାବି କରି ଆସୁଥିଲେ । ତାହାକୁ ବିଚାରକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛି । ୯ଟି ଆଞ୍ଚଳିକ ଭାଷା ମଧ୍ୟରେ ଓଡ଼ିଆ, ଅହମିୟା, ବଙ୍ଗଳା, ଗୁଜୁରାଟି, କନ୍ନଡ଼, ମରାଠି, ତାମିଲ, ତେଲୁଗୁ ଓ ଉର୍ଦ୍ଧୁ ଭାଷା ରହିଛି । ଜେଇଇ ମେନ୍ ମାଧ୍ୟମରେ ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ ପାଠ୍ୟକ୍ରମ ସମେତ ଆର୍କିଟେକଚର ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ ହୋଇଥାନ୍ତି । ବିଶେଷକରି ଏନ୍ଆଇଟି, ଆଇଆଇଆଇଟି, ସରକାରୀ ଅନୁଦାନପ୍ରାପ୍ତ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ଲାଗି ଏହି ପରୀକ୍ଷା ହେଉଛି । ଏହି ପରୀକ୍ଷା ଦ୍ୱାରା ଛାତ୍ରଛାତ୍ରୀ ଆଇଆଇଟି ଲାଗି ଅନୁଷ୍ଠିତ ହେଉଥିବା ଜେଇଇ ଆଡଭାନ୍ସଡ୍ ପରୀକ୍ଷା ଦେବା ପାଇଁ ଯୋଗ୍ୟତା ଅର୍ଜନ କରିଥାନ୍ତି । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ଗୁଜୁରାଟି ଭାଷାରେ ପ୍ରଶ୍ନପତ୍ର ହେଉଥିବାରୁ କିଛି ମାସ ତଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଠାକାର ଆଞ୍ଚଳିକ ଭାଷା ବଙ୍ଗଳାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ଦାବି କରିଥିଲେ । ଏନେଇ ସରକାରଙ୍କ ପକ୍ଷରୁ ଏନ୍ଟିଏକୁ ଚିଠି ଲେଖାଯାଇଥିଲା । ତାହା ଉପରେ ବିଚାର କରି ଏଭଳି ନିଷ୍ପତ୍ତି ନିଆଯାଇଛି । ୨୦୨୦ରେ ଲାଗୁ କରିବାକୁ ଯୋଜନା କରାଯାଇଥିଲା । ତେବେ ୨୦୨୦ରେ ହେବାକୁ ଥିବା ଜେଇଇ ମେନ୍ ଲାଗି ତାରିଖ ଧାର୍ଯ୍ୟ ହୋଇସାରିଛି । ତେଣୁ ୨୦୨୧ ଜାନୁଆରିରେ ହେବାକୁ ଥିବା ପରୀକ୍ଷାରୁ ଲାଗୁ କରିବାକୁ ସ୍ଥିର ହୋଇଛି । ସୂଚନାଯୋଗ୍ୟ ଯେ ଏବେ ସର୍ବଭାରତୀୟସ୍ତରରେ ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନିଟ୍ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ସମେତ ଅନ୍ୟ ଆଞ୍ଚଳିକ ଭାଷାରେ ପ୍ରଶ୍ନପତ୍ର ଆସୁଛି । ତେବେ ବହୁ କମ୍ ସଂଖ୍ୟାରେ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେଉଛନ୍ତି । ସଫଳତା ହାର ମଧ୍ୟ ବହୁତ କମ୍ । ତେଣୁ ଜେଇଇ ମେନ୍ରେ କେତେ ସଂଖ୍ୟାରେ ଛାତ୍ରଛାତ୍ରୀ ଓଡ଼ିଆ ଭାଷାରେ ପରୀକ୍ଷା ଦେବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିବ । ପ୍ରତିବର୍ଷ ଓଡ଼ିଶାରୁ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେଉଛନ୍ତି ।