ଆଉ ନାହାନ୍ତି ସୋନି ମେହେଟ୍ଟା ...
ଆଉ ନାହାନ୍ତି ସୋନି ମେହେଟ୍ଟା ...
admin
Dec 31, 2019 - 06:24
Updated: Dec 31, 2019 - 06:24
ଭୁବନେଶ୍ୱର - ପ୍ରଖ୍ୟାତ ପ୍ରକାଶକ ତଥା ସମ୍ପାଦକ ସୋନି ମେହେଟ୍ଟାଙ୍କର ପରଲୋକ ହୋଇଯାଇଛି । ସେ ଥିଲେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜାମାତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଣୋଇ ତଥା ସୁନାମଧନ୍ୟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ୱାମୀ । ମୃତୁ୍ୟବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସୋନିଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ସେ ବିଶ୍ୱର ଜଣେ ଭଲ ସମ୍ପାଦକ ଥିଲେ ବୋଲି କହିଛନ୍ତି ।
୧୯୪୨ରେ ଜନ୍ମିତ ସୋନି ନିଜର ବାଲ୍ୟକାଳ ନୁ୍ୟୟର୍କ, ନେପାଳ, ଜେନେଭା ଭଳି ଦେଶରେ କଟାଇଥିଲେ । ଉଭୟ ଭାରତ ଓ ବ୍ରିଟେନରେ ସେ ଶିକ୍ଷା ଗ୍ରହଣ କରିଥିଲେ । କେମ୍ବ୍ରିଜ ସ୍କଲାରସିପ ପାଇଥିବା ସୋନି ଇତିହାସ ଓ ଇଂରାଜୀରେ ଡିଗ୍ରୀ ହାସଲ କରିଥିଲେ । ୧୯୬୫ରେ ସେ ଲଣ୍ଡନର ରୁପର୍ଟ ହାର୍ଟ-ଡେଭିସ ପ୍ରକାଶନ ସଂସ୍ଥାରେ କ୍ୟାରିୟର ଆରମ୍ଭ କରିଥିଲେ । ପରେପରେ ସେ ଗ୍ରାନାଡ଼ା ପବ୍ଲିସିଂ, ପାଲାଡ଼ିନ ପ୍ରକାଶନ ସଂସ୍ଥା ସହ ମଧ୍ୟ ଜଡ଼ିତ ଥିଲେ । ପାଲାଡ଼ିନର ସେ ଥିଲେ ସହପ୍ରତିଷ୍ଠାତା । ସୋନିଙ୍କ ପ୍ରକାଶନ ସଂସ୍ଥା ଦ୍ୱାରା ବହୁ ପୁସ୍ତକ ବିଶ୍ୱରେ ଆଦୃତ ହୋଇପାରିଥିଲା । ୧୯୮୭ରେ ସେ ଲଣ୍ଡନରୁ ନୁ୍ୟୟର୍କ ଯାଇଥିଲେ । ଆମେରିକାରେ ସ୍ୱର୍ଗତ ମେହେଟ୍ଟା ପ୍ରଖ୍ୟାତ ପ୍ରକାଶନ ସଂସ୍ଥା ଆଲଫ୍ରେଡ଼ ଏ.ନୋଫର ଅଧ୍ୟକ୍ଷ ଓ ମୁଖ୍ୟ ସମ୍ପାଦକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ । ଅନେକ ନୋବେଲ, ବୁକର, ପଲଟିଜର ପୁରସ୍କାର ବିଜେତାଙ୍କର ପୁସ୍ତକ ମଧ୍ୟ ସେ ପ୍ରକାଶନ କରିଛନ୍ତି । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ୍ୟ ବୁସ, ବିଲ କ୍ଲିଂଟନ, ବ୍ରିଟେନ ପ୍ରଧାନମନ୍ତ୍ରୀ ମାର୍ଗାରେଟ ଥାଚେର, ଟୋନି ବ୍ଲେୟାର ଓ ପୋପ ଜନ ପଲ-୨ଙ୍କ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା । ସେମାନଙ୍କର ପୁସ୍ତକ ମଧ୍ୟ ତାଙ୍କ ପ୍ରକାଶନ ସଂସ୍ଥା ପ୍ରକାଶ କରିଥିଲା । ଖାଲି ସେତିକିନୁହେଁ ଟଲଷ୍ଟୟ, ଥୋମାସ ମନ୍ନ, ରୋବର୍ଟ ମୁସିଲଙ୍କ ଭଳି ବହୁ ଦାର୍ଶନିକଙ୍କର ଭଲଭଲ ପୁସ୍ତକ ତାଙ୍କରି ସମୟରେ ଅନୁଦିତ ହୋଇଥିଲା । ବିଶ୍ୱର ପ୍ରକାଶନ ଜଗତରେ ସୋନି ମେହେଟ୍ଟା ନିଜର ଛାପ ଛାଡ଼ିଛନ୍ତି । ବିଶ୍ୱର ବହୁ ବଡ଼ ପ୍ରକାଶନ ସଂସ୍ଥା ମଧ୍ୟ ସୋନିଙ୍କୁ ନମ୍ବର ୱାନ ପ୍ରକାଶକ ଭାବେ ଅଭିହିତ କରିଛନ୍ତି ।