ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନୂତନ ଟ୍ରାଫିକ ନିୟମ:ଗଡକରୀ

ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନୂତନ ଟ୍ରାଫିକ ନିୟମ:ଗଡକରୀ

ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନୂତନ ଟ୍ରାଫିକ ନିୟମ:ଗଡକରୀ
ନୂଆଦିଲ୍ଲୀ: ନୂତନ ମୋଟର ଯାନ ସଂଶୋଧନ ଆଇନ (ଏମଭି ଆକ୍ଟ)ରେ ଜୋରିମାନା ଓ ଦଣ୍ଡବ୍ୟବସ୍ଥାକୁ କଠୋର କରିବାର ଉଦ୍ଦେଶ୍ୟ ଅଧିକରୁ ଅଧିକ ଜନତାଙ୍କ ଜୀବନ ବଞ୍ଚାଇବା। ଦୁର୍ଘଟଣାକୁ ହ୍ରାସ କରିବା। ରାଜସ୍ବ ବୃଦ୍ଧି ଏହାର ଆଦୌ ଉଦ୍ଦେଶ୍ୟ ନୁହେଁ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ ବୁଧବାର ପୁଣିଥରେ ସ୍ପଷ୍ଟ କରିଛନ୍ତି। ଭାରତରେ ସଡ଼କ ଦୁର୍ଘଟଣାଜନିତ ଅକାଳ ମୃତ୍ୟୁସଂଖ୍ୟା ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ର ତୁଳନାରେ ସର୍ବାଧିକ ରହିଛି। ସଡ଼କ ଦୁର୍ଘଟଣାରେ ଯେଭଳି ମୃତ୍ୟୁସଂଖ୍ୟା ବଢିବଢି ଚାଲିଛି ତାହା ଆମ ସମସ୍ତଙ୍କ ଲାଗି ଅତ୍ୟନ୍ତ ଚିନ୍ତାଜନକ ବିଷୟ। ଏହାକୁ ରୋକିବା ଲାଗି ଜୋରିମାନା ଓ ଦଣ୍ଡବ୍ୟବସ୍ଥାକୁ ଅଧିକ କଡ଼ା କଡ଼ି କରାଯାଇଛି। ଏଭଳି ଜୋରିମାନା ଦ୍ବାରା ଲୋକେ ହେଲମେଟ୍‌ ପିନ୍ଧି ଗାଡି ଚଳାଇବା ସହ ଟ୍ରାଫିକ୍‌ ନିୟମ ପାଳନ କରିବେ। ଧରପଗଡ଼ ଜୋରଦାର କରାଯିବା ଦ୍ବାରା ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକ ସତର୍କ ହେବେ। ଏହାଦ୍ବାରା ଦୁର୍ଘଟଣା ହ୍ରାସ ପାଇବ। ସଡ଼କ ଦୁର୍ଘଟଣାଜନିତ ଜୀବନହାନିକୁ ରୋକିବା ହେଉଛି କେନ୍ଦ୍ର ସରକାରଙ୍କ ପ୍ରାଥମିକତା; ଜୋରିମାନା ଜରିଆରେ ରାଜସ୍ବ ବୃଦ୍ଧି ଏହାର ଲକ୍ଷ୍ୟ ନୁହେଁ ବୋଲି ଗଡ଼କରୀ ଏଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି। ନୂଆ ମୋଟର ଯାନ ଆଇନରେ ସଂଶୋଧନ କେନ୍ଦ୍ର ସରକାର କରିଛନ୍ତି। ଏମଭି ଆକ୍ଟ କନ୍‌କରେଣ୍ଟ ଲିଷ୍ଟର ପରିସରଭୁକ୍ତ। ତେଣୁ ଏନେଇ ଆଇନ ତିଆରି କରିବାର ଅଧିକାର ତଥା କ୍ଷମତା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ରହିଛି। ଯେଉଁଠି ଜୋରିମାନା ପ୍ରସଙ୍ଗ ଉଠୁଛି ସେଠାରେ ୧୦ରୁ ୧୦୦ ଟଙ୍କାର ବ୍ୟବଧାନ ରହିଛି। ଜୋରିମାନା ହ୍ରାସବୃଦ୍ଧି ନିଷ୍ପତ୍ତି ରାଜ୍ୟ ସରକାର ଚାହିଲେ ନେଇପାରିବେ। ତେବେ ଅଧିକ ଜୋରିମାନା ଆଦାୟ କରି ରାଜସ୍ବ ବଢାଇବା କିମ୍ବା ଲୋକମାନଙ୍କୁ ହଇରାଣ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। କିଭଳି ସଡ଼କ ଦୁର୍ଘଟଣା କମିବ ଓ ଲୋକଙ୍କ ଜୀବନ ସୁରକ୍ଷିତ ରହିବ ତାହା ଉପରେ ସରକାର ପ୍ରାଥମିକତା ଦେଉଥିବା ଗଡ଼କରୀ ସ୍ପଷ୍ଟ କରିଛନ୍ତି। କେତେକ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଏହି କଠୋର ଆଇନରେ ଥିବା ଅଧିକ ଜୋରିମାନା ବ୍ୟବସ୍ଥାକୁ କମାଇ ଏହାକୁ ଦୁର୍ବଳ କରିବାକୁ ଯୋଜନା କରୁଥିବା ପ୍ରଶ୍ନ ଉପରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ କହିଛନ୍ତି ଯେ, ଏହା ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରେ। ତେବେ ସମସ୍ୟା ହେଉଛି କମ୍‌ ଜୋରିମାନା ଯୋଗୁଁ ଅନେକଙ୍କର ଆଇନ ପ୍ରତି ଡର ରହୁନି କି ସମ୍ମାନ ମଧ୍ୟ ନାହିଁ। ଜୋରିମାନା (ଫାଇନ୍‌)ଠାରୁ ଜୀବନ କ’ଣ ଅଧିକ ମୂଲ୍ୟବାନ ନୁହେଁ କି? ଯଦି ଆପଣ ଟ୍ରାଫିକ୍‌ ନିୟମ ଭାଙ୍ଗିବେନି, ତେବେ ଆପଣଙ୍କୁ ଜୋରିମାନା ଦେବାକୁ ପଡିବନି। ସମସ୍ତେ ହେଲମେଟ୍‌ ପିନ୍ଧି, ଟ୍ରାଫିକ୍‌ ନିୟମ ମାନି ଗାଡି ଚଳାଇଲେ ନିଶ୍ଚିତ ରୂପେ ଦୁର୍ଘଟଣା ହ୍ରାସ ପାଇବ ବୋଲି ଗଡ଼କରୀ କହିଛନ୍ତି। ଗଣମାଧ୍ୟମ ରିପୋର୍ଟ ଜରିଆରେ ସାଧାରଣରେ ସଚେତନତା ସୃଷ୍ଟି ହେବା ସହ ଲୋକେ ଅଧିକ ସଂଖ୍ୟାରେ ହେଲମେଟ୍‌ ପିନ୍ଧି ଗାଡି ଚଳାଇବା ସହ ଚାଳକ ଲାଇସେନ୍ସ ଓ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରୁଥିବାରୁ ଗଡ଼କରୀ ମିଡ଼ିଆକୁ ମଧ୍ୟ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଭେଇକିଲ୍‌ ସ୍କ୍ରିପିଂ ପଲିସି (ପୁରୁଣା ଗାଡି ଗୁଡିକୁ ନେଇ ତା’ ସ୍ଥାନରେ ନୂଆ ଗାଡ଼ି ପ୍ରଦାନ କରିବା ବ୍ୟବସ୍ଥା) ଲାଗୁ କରିବେ ବୋଲି ଗଡ଼କରି କହିଛନ୍ତି। ଏନେଇ ଚିଠାପ୍ରସ୍ତାବ ମଧ୍ୟ ପ୍ରସ୍ତୁତ ହୋଇ ଅର୍ଥ ମନ୍ତ୍ରଣାଳୟର ବିଚାରଧୀନ ରହିଛି। ଏହି ନୀତି ଲାଗୁ କରିବାକୁ ହେଲେ ରାଜ୍ୟ ସରକାରମାନଙ୍କର ସହଯୋଗ ଓ ଆବଶ୍ୟକ ଅଂଶୀଦାରଙ୍କ ସହମତି ତଥା ସହଯୋଗ ମଧ୍ୟ ଗୁରୁତ୍ବପୂର୍ଣ୍ଣ। ତେବେ ତାଙ୍କ ମନ୍ତ୍ରଣାଳୟ ଦିଗରେ ତତ୍ପରତା ପ୍ରକାଶ କରିଆସିଛି। କିଭଳି ତୁରନ୍ତ ଏହାକୁ ଲାଗୁ କରାଯିବ ସେଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ଗଡ଼କରୀ କହିଛନ୍ତି।