ଜିଲ୍ଲା ଖଣିଜ ପାଣ୍ଠିରେ ପଡ଼ି ରହିଛି ୨୩ ହଜାର କୋଟି

ଜିଲ୍ଲା ଖଣିଜ ପାଣ୍ଠିରେ ପଡ଼ି ରହିଛି ୨୩ ହଜାର କୋଟି

ଜିଲ୍ଲା ଖଣିଜ ପାଣ୍ଠିରେ ପଡ଼ି ରହିଛି ୨୩ ହଜାର କୋଟି
ଭୁବନେଶ୍ୱର: କରୋନା ଭୂତାଣୁ ମୁକାବିଲା ଲାଗି ଲକଡାଉନ ଘୋଷଣା କରାଯାଇଥିବାରୁ ଗରିବ ଲୋକମାନଙ୍କ ଜୀବନଜୀବିକା ନେଇ ବିପଦ ସୃଷ୍ଟି ହୋଇଛି । ଏଭଳି ସଂକଟମୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ଖଣିଜ ପାଣ୍ଠି ରାଶି ବ୍ୟବହାର କରିବାକୁ ପ୍ରହାର ନାମକ ଜାତୀୟ ସ୍ତରର ଏକ ବେସରକାରୀ ସଂଗଠନ ସରକାରଙ୍କୁ ପ୍ରସ୍ତାବ ଦେଇଛି । କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୦ ଜାନୁଆରୀ ୩୧ ସୁଦ୍ଧା ୩୫,୯୨୫ କୋଟି ଟଙ୍କାର ଡିଏମଏଫ ପାଣ୍ଠି ଆଦାୟ ହୋଇଥିଲା । ସେଥି ମଧ୍ୟରୁ ୩୫% ବ୍ୟୟ କରାଯାଇଥିବା ବେଳେ ଏବେ ବି ୨୩.୫୧ କୋଟି ଟଙ୍କା ବ୍ୟବହାର ନହୋଇ ପଡ଼ି ରହିଛି । କୋଭିଡ-୧୯ ସଂକଟ ଦେଖାଦେବା ପରେ ରାଜ୍ୟଗୁଡ଼ିକର ସ୍ୱାସ୍ଥ୍ୟ ଓ ସଚେତନତା ସୃଷ୍ଟି ଜନିତ ଖର୍ଚ୍ଚ ବହୁତ ବଢ଼ିଯାଇଛି । ରାଜ୍ୟ ଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ଡିଏମଏଫ ପାଣ୍ଠି ବିନିଯୋଗ କରିବା ଉପରେ କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଥିଲେ । ଖଣିଜ ଅଧିନିୟମ ମୁତାବକ ଡିଏମଏଫ ପାଣ୍ଠିର ୬୦ ପ୍ରତିଶତ ଅର୍ଥ ପ୍ରମୁଖ କ୍ଷେତ୍ରରେ ବ୍ୟବହାର କରିବା ବ୍ୟବସ୍ଥା ରହିଛି । ଡିଏମଏଫ ପାଣ୍ଠିର ୬୦ ପ୍ରତିଶତ ଅର୍ଥ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଉଛି । ବଳକା ପାଣ୍ଠିକୁ ରାଜ୍ୟ ସାରା ବ୍ୟବହାର କରିବାର ବ୍ୟବସ୍ଥା ରହିଛି । ଡିଏମଏଫ ପାଣ୍ଠି ଆଦାୟ କରିବାରେ ଅନ୍ୟ ଖଣିଜ ସମ୍ପଦ ଭରା ରାଜ୍ୟ ଗୁଡ଼ିକ ଠାରୁ ଓଡ଼ିଶା ଆଗରେ ରହିଛି । ଡିଏମଏଫ ପାଣ୍ଠି ଖର୍ଚ୍ଚ କରିବାରେ ଛତିଶଗଡ଼ ଆଗରେ ରହିଛି । ଏହି ରାଜ୍ୟ ୩୩୫୯ କୋଟି ଟଙ୍କା ବ୍ୟୟ କରି ଏକ ନମ୍ବର ସ୍ଥାନରେ ରହିଛି । ଦ୍ୱିତୀୟରେ ୨୭୯୪ କୋଟି ଟଙ୍କା ଖର୍ଚ୍ଚ କରି ଓଡିଶା ରହିଥିବା ବେଳେ ଝାଡ଼ଖଣ୍ଡ ୨୪୦୯ କୋଟି ଟଙ୍କରା ସହ ତୃତୀୟ ସ୍ଥାନରେ ରହିଛି ।