ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ଦିଅ

ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ଦିଅ

ଧାନ ସଂଗ୍ରହର ବକେୟା ସବସିଡି ତୁରନ୍ତ ଦିଅ
ଭୁବନେଶ୍ୱର : ଧାନ ସଂଗ୍ରହର ସବ୍ସିଡି ବାବଦକୁ କେନ୍ଦ୍ର ଉପରେ ଦୁଇ ହଜାର କୋଟି ଟଙ୍କାରୁ ଅଧିକ ବାକି ପଡ଼ିଛି । ଅର୍ଥ ପ୍ରଦାନରେ କେନ୍ଦ୍ର ଟାଳଟୁଳ ନୀତି ଅବଲମ୍ବନ କରିଥିବାରୁ ଏଠାରେ ଯୋଗାଣ ଦିଗକ ପରି ଧାନ ସଂଗ୍ରହ କରୁଥିବା ସଂସ୍ଥା ଋଣ ଭାରରେ ଭାରାକ୍ରାନ୍ତ ହେଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବିତରଣ ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖି ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ସବସିଡି ଅର୍ଥ ପ୍ରଦାନ ପାଇଁମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡ଼ିଶା ସରକାର ନିଜ ସଂସ୍ଥା ମାଧ୍ୟମରେ ଧାନ ସଂଗ୍ରହ କରୁଛନ୍ତି । ୨୦୧୫ ମସିହାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଧାନ ସଂଗ୍ରହ କରୁଥିବା ସଂସ୍ଥା ଏହି କାର୍ଯ୍ୟ ପାଇଁ ଆଦୌ ଆର୍ଥିକ ବୋଝ ନେବ ନାହିଁ । ଧାନ ସଂଗ୍ରହ ପାଇଁ ଯେଉଁ ଖର୍ଚ୍ଚ ହେବ, ତାହାର ଆଗୁଆ ଆକଳନ କରାଯାଇ ପ୍ରତି ତିନି ମାସର ପ୍ରଥମ ମାସରେ ୯୦ ପ୍ରତିଶତ ସବସିଡି କେନ୍ଦ୍ର ଦେବ । ପରବର୍ତ୍ତୀ ସମୟରେ ଅଗ୍ରୀମ ଅର୍ଥକୁ କଟାଯାଇ ପ୍ରୋଭିଜିନାଲ ସବ୍ସିଡି ଧାନ ସଂଗ୍ରହକାରୀ ସଂସ୍ଥାକୁ ପ୍ରଦାନ କରାଯିବ । କିନ୍ତୁ ଅଗ୍ରୀମ ଓ ପ୍ରୋଭିଜିନାଲ ସବସିଡି ପ୍ରଦାନରେ ଅନିୟମିତତା ଦେଖିବାକୁ ମିଳୁଛି । ରାଜ୍ୟ ସରକାର ନିୟମିତ ଭାବେ ବିନିଯୋଗ ପ୍ରମାଣପତ୍ର (ୟୁସି) ଦେଉଥିଲେ ବି କେନ୍ଦ୍ର ଅର୍ଥ ଦେଉନାହିଁ । ସବ୍ସିଡି ପ୍ରଦାନରେ ବିଳମ୍ବ ଯୋଗୁଁ ରାଜ୍ୟ ଯୋଗାଣ ନିଗମ ୨୦୧୭-୧୮ ମସିହାରୁ ୨୧୨୩ (କୋଟି ଟଙ୍କା )ପାଇବାକୁ ଅଛି । ଏହା ବାଦ ସେପ୍ଟେମ୍ବର ୩୦ ସୁଦ୍ଧା ଅଗ୍ରୀମ ସବସିଡି ୧୩୪୫ କୋଟି ମିଳିବାକୁ ଅଛି । ଅର୍ଥ ପ୍ରଦାନରେ ବିଳମ୍ବ ଯୋଗୁଁ ଯୋଗାଣ ନିଗମର ବ୍ୟାଙ୍କ ଋଣ ଓ ସୁଧ ବୋଝ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ସୁଧ ବାବଦ ଅର୍ଥକୁ କେନ୍ଦ୍ର ସରକାର ଭରଣା କରିବା ଉଚିତ । ତେଣୁ ମନ୍ତ୍ରୀ ନିଜେ ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ସମସ୍ତ ବକେୟା ତୁରନ୍ତ ପ୍ରଦାନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି । ଏହା ସହ କେନ୍ଦ୍ର ରାଜ୍ୟ ବୁଝାମଣା ଅନୁଯାୟୀ ଅଗ୍ରୀମ ଓ ପ୍ରୋଭିଜିନାଲ ସବସିଡି ନିୟମିତ ଭାବେ ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।