ବ୍ରହ୍ମଗିରିରୁ ଆଉ ଲଢ଼ିବେନି ସଂଜୟ !

ବ୍ରହ୍ମଗିରିରୁ ଆଉ ଲଢ଼ିବେନି ସଂଜୟ !

ବ୍ରହ୍ମଗିରିରୁ ଆଉ ଲଢ଼ିବେନି ସଂଜୟ !
ଭୁବନେଶ୍ୱର : ସଂଜୟ ଦାସବର୍ମା । ରାଜ୍ୟ ବିଜେଡ଼ିର ଟାଣୁଆ ଯୁବ ନେତା । ଏକଦା ଅରୁଣ ସାହୁ ଓ ପ୍ରଣବ ପ୍ରକାଶ ଦାସଙ୍କ ଭଳି ତାଙ୍କୁ ମଧ୍ୟ ସରକାରଙ୍କ ନାକ କାନ ବୋଲି କୁହାଯାଉଥିଲା । ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଦୁଇ ଦୁଇ ଥର ପରାସ୍ତ କରି ସେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲେ । କିନ୍ତୁ ଗତ ସାଧାରଣ ନିର୍ବାଚନରେ ପରାଜୟ ବରଣ କରିବା ପରେ ଏବେ ବ୍ରହ୍ମଗିରିରୁ ଆଉ ନଲଢ଼ିବାକୁ ସଂଜୟ ନିଷ୍ପତି ନେଇଥିବା ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି । ଫଳରେ ବ୍ରହ୍ମଗିରିର ବିଜେଡ଼ି ସମର୍ଥକମାନେ ଏବେ ବିଜେପି ଶିବିରକୁ ମୁହାଁଇଥିବା ଦେଖିବାକୁ ମିଳିଛି । ନିକଟରେ ସଂଜୟଙ୍କ ଅନୁଗତ କୃଷ୍ଣପ୍ରସାଦ ବ୍ଲକ ଅଧ୍ୟକ୍ଷା ସୌଦାମିନୀ ମାନସିଂହ ବିଜେପିରେ ସାମିଲ ହୋଇଛନ୍ତି । ଖାଲି ସେ ଏକା ନୁହେଁ ତାଙ୍କର ଶତାଧିକ ସମର୍ଥକ ବି ଶଙ୍ଖ ଛାଡ଼ି ଫୁଲ ଧରିଛନ୍ତି । ତେବେ ବିଜେଡ଼ି ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୌଦାମିନୀ ବିଜେପିକୁ ଯିବା ପାଇଁ କିଛିଦିନ ତଳେ ସଂକେତ ଦେଇଥିଲେ । କିନ୍ତୁ ଏହାକୁ ସଂଜୟ ଆଦୌ ଗୁରୁତର ସହ ଗ୍ରହଣ କରିନଥିଲେ । ସୌଦାମିନୀଙ୍କୁ ବୁଝାସୁଝା ବି କରାଯାଇନଥିବା ବ୍ରହ୍ମଗିରିର ବିଜେଡ଼ି କର୍ମୀମାନେ ପ୍ରକାଶ କରିଛନ୍ତି । ଆଗକୁ ଆହୁରି ଅନେକ ବିଜେଡ଼ି କର୍ମୀ ଦଳ ଛାଡ଼ିବାକୁ ବାଧ୍ୟ ହେବେ ବୋଲି ସୂଚନା ମିଳିଛି । ଲୁଲୁଙ୍କ ଅବର୍ତମାନରେ ତାଙ୍କର ଉତରାଧିକାରୀମାନେ କଂଗ୍ରେସ ଛାଡ଼ି ବିଜେପିକୁ ଯାଇଥିଲେ । ଗତ ୨୦୧୭ ପଂଚାୟତ ନିର୍ବାଚନରେ ଲୁଲୁଙ୍କ ପ୍ରତି ଅନୁକମ୍ପା ସତ୍ୱେ ଏକପାଖିଆ ଭାବେ ବିଜେଡ଼ି ଜିଲ୍ଲା ପରିଷଦ ଆସନ ଜିତିବା ସହ ବ୍ଲକ ମଧ୍ୟ କବଜା କରିଥିଲା । ଫଳରେ ୨୦୧୯ରେ ଅନାୟସରେ ସେ ଜିଣିଯିବେ ବୋଲି ସଂଜୟ ମନେ କରିଥିଲେ । ଓଭର କନଫିଡେ଼ନ୍ସ ସଂଜୟ ବ୍ରହ୍ମଗିରିରେ ସେଭଳି ଗୋଟି ଚାଳନା ନକରିବାରୁ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଥିଲା । ଅବଶ୍ୟ ପୁରୀ ସଂସଦୀୟ କ୍ଷେତ୍ର ଉପରେ ବିଜେପିର ଅଧିକ ଫୋକସ ବି ସଂଜୟଙ୍କ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଇପାରେ । ତେବେ ସେ ଯାହାହେଉନା କାହିଁକି ଲୁଲୁ ଦୁଇ ଦୁଇ ଥର ସଂଜୟଙ୍କ ଠାରୁ ପରାସ୍ତ ହୋଇଥିଲେବି ନିଜ ନିର୍ବାଚନମଣ୍ଡଳୀବାସୀଙ୍କୁ କେବେବି ଧୋକା ଦେଇନଥିଲେ । ସଦାସର୍ବଦା ନିଜ କର୍ମୀଙ୍କ ସହ ରହୁଥିଲେ । କିନ୍ତୁ ନିର୍ବାଚନରେ ହାରିବା ପରେ ସଂଜୟ ଆଉ ବ୍ରହ୍ମଗିରି ଉପରେ ଧ୍ୟାନ ଦେଇନଥିଲେ । ଗତ ଫନି ବେଳେ ମଧ୍ୟ ସେ ନିର୍ବାଚନମଣ୍ଡଳୀ ଯାଇନଥିବାରୁ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହୋଇଥିଲା । ଏଠାରେ ସୂଚାଇ ଦିଆଯାଇପାରେଯେ, ସେତେବେଳେ ସଂଜୟ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହୋଇଥିଲେ । ଅବଶ୍ୟ ତାଙ୍କ ଅସୁସ୍ଥତାର ରହସ୍ୟକୁ ନେଇ ନିନ୍ଦୁକମାନେ ଭିନ୍ନ ପ୍ରଚାର କରିବାରୁ ତାହାର ପ୍ରଭାବ ବ୍ରହ୍ମଗିରିର ବିଜେଡ଼ି ଭୋଟରଙ୍କ ଉପରେ ପଡ଼ିଥିଲା । ଯେତେବେଳେ ଲଳିତେନ୍ଦୁ ଓ ଲୁଲୁଙ୍କ ଝିଅ ଉପାସନା ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝୁଥିଲେ ସେତେବେଳେ ବିଜେଡ଼ି ନେତାଙ୍କ ନୀରବତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ସଂଜୟ ଆଉ ବ୍ରହ୍ମଗିରିରୁ ଲଢ଼ିବାକୁ ଚାହୁଁନାହାନ୍ତି । ସେ ଏକ ନିରାପଦ ଆସନ ସନ୍ଧାନରେ ଅଛନ୍ତି । କିନ୍ତୁ ପୁରୀରେ ତାଙ୍କ ପାଇଁ ନିରାପଦ ଆସନ ନାହିଁ । ଫଳରେ ସେ ଖୋର୍ଦ୍ଧା ଜିଲ୍ଲା ଆଡେ଼ ନଜର ପକାଇଛନ୍ତି । ଗୋଟିଏ ପଟେ ସଂଜୟଙ୍କ ଅନୁଗତ ପ୍ରଶାନ୍ତ ଜଗଦେ୍ଧବ ଏବେ ଚିଲିକା ବିଧାୟକ ଅଛନ୍ତି । ଗଣେଶଙ୍କ ଟିକେଟ ଓ ବିଜୟ ପଛରେ ସଂଜୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ଚିଲିକାରେ ବିଜେପିର ହେଭିୱେଟ ପୃଥ୍ୱୀରାଜ ହରିଚନ୍ଦନ ଥିବାରୁ ତାହାବି ନିରାପଦ ନୁହେଁ । ତେଣୁ ସେ ବେଗୁନିଆ ଉପରେ ନଜର ପକାଇଥିବା କୁହାଯାଉଛି । ଗଣେଶ ବେଗୁନିଆ ବିଧାୟକ ଥିବାବେଳେ ସଂଜୟ ବାରମ୍ବାର ଏହାକୁ ନିଜର ଦ୍ୱିତୀୟ ନିର୍ବାଚନମଣ୍ଡଳୀ ଭାବେ ଘୋଷଣା କରିସାରିଛନ୍ତି । ବେଗୁନିଆ ଏମିତି ଏକ ନିର୍ବାଚନମଣ୍ଡଳୀ ଯେଉଁଠି ସଂଜୟ ପ୍ରାର୍ଥୀ ହେଲେବି ବିରୋଧର ସମ୍ମୁଖୀନ ହେବେନାହିଁ । ତେବେ ସଂଜୟ ଏବେ ରାଜ୍ୟସଭା ସାଂସଦ ହେବା ପାଇଁ ଗୋଟି ଚଳାଉଛନ୍ତି । ସେ ରାଜ୍ୟସଭା ସାଂସଦ ହେବା ପରେ କେଉଁଠୁ ଲଢ଼ିବେ ସେନେଇ ଅଙ୍କ କଷିବେ ବୋଲି କୁହାଯାଉଛି ।