ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର ଜାରି

ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର ଜାରି

 ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର ଜାରି
ଭୁବନେଶ୍ୱର : ଦେଶରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ଉଦେ୍ଧଶ୍ୟରେ ଯାତ୍ରୀଙ୍କ ପାଇଁ ରେଳ ମନ୍ତ୍ରାଳୟ ଦ୍ୱାରା ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୋର (ଏସଓପି) ଜାରି ହୋଇଛି । ସମ୍ପୂର୍ଣ୍ଣ ପ୍ରତୀକ୍ଷା ତାଲିକା ଟିକେଟ(ୱେଟିଂ ଲିଷ୍ଟ)ରେ ଥିବା ଯାତ୍ରୀଙ୍କୁ ଟ୍ରେନରେ ଯାତ୍ରା କରିବା ଓ ଷ୍ଟେସନରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଅଣସଂରକ୍ଷିତ ଟିକେଟ(ୟୁଟିଏସ) ସୀମିତ ଟ୍ରେନରେ ଅନୁମତି ଦିଆଯିବ, ଯେଉଁଥିରେ କେବଳ ଅଣସଂରକ୍ଷିତ ଯାତ୍ରା ଅନୁମତି ଦିଆଯାଇଛି । ଟ୍ରେନ ଭଡ଼ାରେ କ୍ୟାଟରିଂ ଚାର୍ଜ ଅନ୍ତର୍ଭୁକ୍ତ କରାଯିବ ନାହିଁ । ଟ୍ରେନରେ ପ୍ରିପେଡ୍ କ୍ୟାଟରିଂ ସେବାକୁ ବନ୍ଦ କରାଯାଇଛି । ତେବେ ପ୍ୟାକ୍ ହୋଇଥିବା ଭୋଜନ, ପ୍ୟାକେଜ ପାନୀୟଜଳ ବୋତଲ, ଚା, କଫି ଆଦି ପ୍ୟାଣ୍ଟ୍ରି କାର୍ ଓ ଟ୍ରେନ ସାଇଡ ଭେଣ୍ଡିଂ କରୁଥିବା ଭେଣ୍ଡରଙ୍କଠାରୁ କିଣି ପାରିବେ । ଟିକେଟ ବୁକିଂ ସମୟରେ ଏହି ସୂଚନା ଉପଲବ୍ଧ କରିବାକୁ ହେବ । ଏଥିସହ ଆଇଆରସିଟିସି ଇ-କ୍ୟାଟରିଂ ସୁବିଧା ମାଧ୍ୟମରେ ଯାତ୍ରୀଙ୍କୁ କ୍ୟାଟରିଂ ସେବା ଉପଲବ୍ଧ ହୋଇପାରିବ । ଟ୍ରେନରେ କ୍ୟାଟରିଂ ସେବା ଯୋଗାଣ ସମୟ ସମୟରେ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ଏବଂ ସ୍ୱଚ୍ଛତା ପ୍ରୋଟୋକଲଗୁଡ଼ିକର ଅନୁପାଳନ ହେବ । ଟ୍ରେନ୍ ଭିତରେ କୌଣସି ଲିନେନ, କମ୍ବଳ ଓ ପରଦା ଇତ୍ୟାଦି ଦିଆଯିବ ନାହିଁ । ଟ୍ରେନରେ ଯାତ୍ରା ସମୟରେ ଯାତ୍ରୀଙ୍କୁ ନିଜର ଲିନେନ ଆଣିବାକୁ ଅନୁରୋଧ କରାଯାଇଛି । ରେଳ ଷ୍ଟେସନ ଓ ଟ୍ରେନରେ ଯିବା ସମୟରେ ଯାତ୍ରୀମାନେ ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ । ସମସ୍ତ ଯାତ୍ରୀଙ୍କୁ ରେଳବାଇ ଦ୍ୱାରା ନିର୍ଦ୍ଧିଷ୍ଟ କୋଭିଡ ପ୍ରୋଟୋକଲ ପାଳନ କରିବା ସହ ଆରୋଗ୍ୟ ସେତୁ ଆପ ଡାଉନଲୋଡ୍ କରିବାକୁ ପରାମର୍ଶ ଦିଆଯାଇଛି । ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ହେବା ପରେ ଯାତ୍ରୀଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ । ଯାତ୍ରୀମାନେ ନିଜର ସାନିଟାଇଜର୍ ସାଙ୍ଗରେ ଆଣିବେ ଏବଂ ସାମାଜିକ ଦୂରତା ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।