ଫେବୃଆରୀ ୨୫ରେ ଆପୋଲୋ ବିରୋଧରେ ଗଣଧାରଣା
apollo hospital
ଭୁବନେଶ୍ୱର : ଆପୋଲୋ ହସ୍ପିଟାଲର ଶ୍ରମିକ ମାରଣ ନୀତି ଓ ଜନସାଧାରଣଙ୍କୁ ଶୋଷଣ ବିରୋଧରେ ଆସନ୍ତା ଫେବୃଆରୀ ୨୫ରେ ଆପୋଲୋ ହସ୍ପିଟାଲ ସମ୍ମୁଖରେ ଗଣଧାରଣା ଦିଆଯିବ । ଭାରତୀୟ ମଜଦୁର ସଂଘ ଖୋର୍ଦ୍ଧା ଜିଲ୍ଲା ଜିଲ୍ଲା ସମ୍ପାଦକ ଅକ୍ଷୟ ରାଉତରାୟ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ।
ଶ୍ରୀ ରାଉତରାୟ କହିଛନ୍ତିଯେ, ରାଜ୍ୟ ସରକାର ୨୦୦୭ରେ ଆପୋଲୋ ହସ୍ପିଟାଲକୁ ଶାଗ ମାଛ ଦରରେ ଜମି ଯୋଗାଇ ଦେଇଥିଲେ । ୨୦୧୦ରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହା ଚାଲୁ ହୋଇଥିଲା । ତେବେ ସବୁଠାରୁ ବଡ଼ କଥା ହେଉଛି, ହସପିଟାଲ ଆରମ୍ଭ ହେବାର କିଛିଦିନ ପରେ ଜଣେ ରୋଗୀଙ୍କ କିଡନି କାଢିନେବା ଭଳି ଧର୍ତବ୍ୟ ଓ ସଂଗୀନ ଘଟଣା ଘଟିଥିଲା । ଏମିତିକି ଏହାର କିଛି ଦିନ ପରେ ନାଲକୋକୁ ମିଥ୍ୟା ବିଲ ଦେବା ଅଭିଯୋଗରେ ଆପୋଲୋର ୨ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା । ବର୍ତମାନ ଦୁଇ ଜଣ ଆପୋଲୋ ହସ୍ପିଟାଲରେ କାମ କରୁଛନ୍ତି । ଏହି କର୍ମଚାରୀଙ୍କ ଦ୍ୱାରା ଅନୈତିକଭାବେ ବିନା ଲାଇସେନ୍ସରେ ଲେବର ଡିପାଟମେଂଟର ବିନା ଅନୁମତିରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଜନସେବା ନାଁରେ ବେପାର ଚାଲିଥିବାବେଳେ ହସପିଟାଲର କର୍ମଚାରୀମାନେ ହଇରାଣ ହରକତ ହେଉଛନ୍ତିା ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଭଳି ସଂଗୀନ ଘଟଣା ବି ଦେଖିବାକୁ ମିଳିଛି । ଏପରିକି ଅଭିଯୁକ୍ତ ଦୋଷୀ ବୋଲି ସ୍ପଷ୍ଟ ଜଣାପଡ଼ିଥିଲେବି କୌଣସି କାର୍ଯ୍ୟାନୁଷ୍ଠାନ କରାଯାଇନାହିଁ । କମ୍ପାନୀର ୨ ପ୍ରମୁଖ ଅଧିକାରୀ ସୁରେଶ ରେଡି ଓ ସୁଧିର ଦିଗିକରଙ୍କ ଦ୍ୱାରା ଏହା କରାଯାଉଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଆପୋଲୋରେ ହେଉଥିବା ଅନିୟମିତତା ଓ ଦୁର୍ନୀତିର ପର୍ଦ୍ଦାଫାଶ କରୁଥିବା ଆପୋଲୋ ହସ୍ପିଟାଲର ମଜଦୁର ସଂଘର ସାଧାରଣ ସମ୍ପାଦକଙ୍କୁ ଅନ୍ୟତ୍ର ବଦଳି କରାଯାଇ କର୍ମଚାରୀଙ୍କ ସ୍ୱରକୁ ଦବାଇ ଦିଆଯାଇଛି । ଆପୋଲୋ ହସ୍ପିଟାଲ ଏହିସବୁ ଶ୍ରମିକ ଶୋଷଣ ନୀତି ଜାରି ରଖିଲେ ଭାରତୀୟ ମଜଦୁର ସଂଘ ରାଜ୍ୟ ବ୍ୟାପି ଆନ୍ଦୋଳନ କରିବା ସହ ବିଧାନସଭା ସମ୍ମୁଖରେ ଧାରଣା ଦେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି ।