ଚଣା ବିକୁଥିଲେ ଭୀମସେନ ଚୌଧୁରୀ

ଚଣା ବିକୁଥିଲେ ଭୀମସେନ ଚୌଧୁରୀ

ଦିନେ ହାଟରେ ସେ ଚଣା ବିକୁଥିଲେ  । କେବେ ଟ୍ରକ ଚଳାଉଥିଲେ ତ କେବେ ଖଲାସୀ କାମ ବି କରୁଥିଲେ  । କିନ୍ତୁ ପରେ ତାଙ୍କ ଭାଗ୍ୟ ଚମକି ଉଠିଥିଲା  । ରାଜଯୋଗ ଥିବାରୁ ବିଧାୟକ ହେବାର ବି ସୌଭାଗ୍ୟ ପାଇଥିଲେ  । ଆମେ କହୁଛୁ ବଣାଇର ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀଙ୍କ କଥା  ।
ଭୀମସେନଙ୍କ କାହାଣୀ ଶୁଣିଲେ ଆପଣବି ଚକିତ ହୋଇଯିବେ  । ଯୁବାବସ୍ଥାରେ ଭୀମସେନ ଗରିବୀ ସହ ଯୁଝୁଥିଲେ  । ପେଟକୁ ଦାନା ପାଣି ପାଇଁ ଶ୍ରମିକ ଭାବେ କାମ କରୁଥିଲେ  । ପିଲାଦିନୁ ଡାହାଣ ହାତ ପାପୁଲିର ବୁଢ଼ା ଆଙ୍ଗୁଠିକୁ ଛାଡ଼ିଦେଲେ ବାକି ସବୁ ଆଙ୍ଗୁଠି କଟିଯାଇଥିଲା  । ଠିକାଦାର ପାଖରେ ଟଙ୍କା କେତେଟା ପାଇଁ କାମ କରୁଥିବା ଭୀମସେନ ପରେ ଛୋଟମୋଟ ଠିକା କାମ ଆରମ୍ଭ କରିଦେଇଥିଲେ  । ପରେ ସେ ରାଜନୀତିରେ ପାଦ ଥାପିଥିଲେ  । ସରପଞ୍ଚରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର  । ସେତେବେଳେ ବଣାଇର ଲୋକପ୍ରିୟ ନେତା ଥିଲେ ଜୁଏଲ ଓରାମ୍  । ଭୀମସେନଙ୍କ ସଂଗଠନକୁ ଦେଖି ସେ ତାଙ୍କୁ ବିଜେପିକୁ ଆଣିବା ସହ ବିଧାୟକ ଟିକେଟ ବି ଦେଇଥିଲେ  । ଜୁଏଲଙ୍କ ପାଇଁ ବିଧାୟକ ହୋଇଥିଲେ ଭୀମସେନ  । କିନ୍ତୁ ପରେ ଘୋଡ଼ା ବେପାରକୁ ନେଇ ଜୁଏଲଙ୍କ ସହ ତାଙ୍କର ମତାନ୍ତର ହୋଇଥିଲା  । ତେଣୁ ବିଜେପି ଛାଡ଼ି ପୁଣି କଂଗ୍ରେସରେ ଭାଗ୍ୟ ପରଖି ସେ ବିଫଳ ହୋଇଥିଲେ  । ୨୦୧୬ରୁ ବିଜେଡ଼ିରେ ମିଶିଥିଲେବି ୨୦୧୯ରେ ଦଳୀୟ ଟିକେଟ ମିଳିନଥିଲା  । ଚବିଶ ପାଇଁ କିନ୍ତୁ ବିଜେଡ଼ି ତାଙ୍କ ଉପରେ ଭରସା କରି ବଣାଇ ପାଇଁ ପ୍ରାର୍ଥୀ ଘୋଷଣା କରିଛି  । ଆଜି ଯିଏ ରଙ୍କ, କାଲି ସେ ରାଜା ବୋଲି ଭୀମସେନଙ୍କ ଘଟଣାରୁ ପ୍ରତିପାଦିତ ହୋଇଯାଇଛି  ।