କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ: ନଈ, ନାଳରେ ପାଦ ରଖିବାକୁ ମାଡୁଛି ଡର, ଗତ ୨୦ ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

ଗତ ୨୦ ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ: ନଈ, ନାଳରେ ପାଦ ରଖିବାକୁ ମାଡୁଛି ଡର, ଗତ ୨୦ ବର୍ଷରେ ଗଲାଣି ୫୦ରୁ ଅଧିକ ଜୀବନ

ବିରଳ ବଉଳା କୁମ୍ଭୀରଙ୍କ ଏନ୍ତୁଡିଶାଳ ଭିତରକନିକା । ଭାରତର ସବୁଠୁ ଅଧିକ ବଉଳା କୁମ୍ଭୀର ଭିତରକନିକାରେ ଦେଖିବାକୁ ମିଳେ । ଭିତରକନିକାର ଡାଙ୍ଗମାଳଠାରେ ବଉଳା କୁମ୍ଭୀର ପ୍ରଜନନ କେନ୍ଦ୍ର ରହିଛି । ପ୍ରତିବର୍ଷ ପ୍ରଜନନ କେନ୍ଦ୍ରରୁ ୪ ଫୁଟରୁ ଅଧିକ ଲମ୍ବର କୁମ୍ଭୀରଙ୍କୁ ଭିତରକନିକାର ନଦୀ ନାଳରେ ଛାଡି ଦିଆଯାଉଛି । ପ୍ରତି ବର୍ଷ ବଉଳା କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଉଛି । ମାତ୍ର କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ଯୋଗୁଁ କୁମ୍ଭୀର ଏବେ ଜନବସତି ମୁହାଁ । ଗତ ୨୦ ବର୍ଷରେ ଭିତରକନିକା ଅଞ୍ଚରେ ୫୦ରୁ ଅଧିକ ଲୋକଙ୍କ ଜୀବନ ନେଲାଣି କୁମ୍ଭୀର । ସପ୍ତାହକ ମଧ୍ୟରେ ବଉଳା କୁମ୍ଭୀର ୨ଜଣଙ୍କୁ ଆକ୍ରମଣ କରି ମାରି ଦେଇଛି । ଏବେ କୁମ୍ଭୀର ନାଁ ଶୁଣିଲେ, ରାଜନଗରବାସୀଙ୍କ ମନରେ ଛନକା ପଶୁଛି ।

ଭିତରକନିକାର ବଉଳା କୁମ୍ଭୀରକୁ ଏବେ ଗାଁ ଗହଳିରେ ଥିବା ନଦୀ ନାଳରେ ଦେଖିବାକୁ ମିଳୁଛି । ଜନବସତିକୁ ପଶି ଆସି କୁମ୍ଭୀର ଉପଦ୍ରବ ଏବେ ଅଂଚଳବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଗତ ୮ ଦିନ ମଧ୍ୟରେ କୁମ୍ଭୀର ପାଟିରେ ଦୁଇ ଦୁଇଟି ଅମୂଲ୍ୟ ଜୀବନ ଯାଇଛି । ଆହତଙ୍କ ସଂଖ୍ୟା ବି ବଢିଛି । ଗତ ୨୦ ବର୍ଷରେ ବନବିଭାଗ ରେକର୍ଡରେ ୩୫ଜଣ କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ଗତ ୧୦ ବର୍ଷରେ ୨୨ଜଣ ଆହତ ହୋଇଥିବା ଦର୍ଶାଯାଇଛି । ଜୁନ ୧୬ ସମୟ ସକାଳ ୭ଟା ସ୍ଥାନ ନିମପୁର ବ୍ରାହ୍ମଣୀ ନଦୀକୂଳରେ ନିମପୁର ଗାଁର ଝୁନାରାଣୀ ଆଚାର୍ଯ୍ୟ ଓ ତାଙ୍କ ୧୦ ବର୍ଷର ନାବାଳକ ପୁଅ ଆଶୁତୋଷ ଆଚାର୍ଯ୍ୟ ନଈରେ ଗାଧୋଇବା ସମୟରେ ଏକ ନରହନ୍ତା କୁମ୍ଭୀର ମାଆ ସାମ୍ନାରୁ ପୁଅକୁ ଝାମ୍ପି ନେଇ ମାରିଦେଇଛି । ସେହିପରି ଜୁନ୍ ୨୧ ସମୟ ପୂର୍ବାହ୍ନ ୨ଟା ସ୍ଥାନ ରାଜନଗର ବ୍ଲକ ହାତିଆଗଡି ଗାଁର ସୀତାରଣୀ ଦାସ ତାଙ୍କ ବାରି ପୋଖରୀରେ ବାସନ ମାଜିବା ସମୟରେ କୁମ୍ଭୀର ତାଙ୍କୁ ଟାଣି ନେଇଥିଲା । ଅଳ୍ପଦିନ ମଧ୍ୟରେ ଏହି ଦୁଇ ଦୁଇଟି ଘଟଣା ସମଗ୍ର ଅଂଚଳବାସୀଙ୍କ ଆଚମ୍ବିତ କରିଛି । ରାଜନଗର ନଈକୂଳିଆ ଗାଁ ଲୋକେ ଏବେ ନଈ ପାଣିରେ ଗୋଡ ବୁଡାଇବାକୁ ଭୟ କରୁଛନ୍ତି  ।