ଅକ୍ଟୋବର ୨୪ ତାରିଖ ଦିନ ୧୧ଟା ପରଠାରୁ ସାଧାରଣ ଦର୍ଶନ ବନ୍ଦ ରହିବ, ରାଷ୍ଟ୍ରପତି ଫେରିବା ଯାଏଁ

ଅକ୍ଟୋବର ୨୪ ତାରିଖ ଦିନ ୧୧ଟା ପରଠାରୁ ସାଧାରଣ ଦର୍ଶନ ବନ୍ଦ ରହିବ, ରାଷ୍ଟ୍ରପତି ଫେରିବା ଯାଏଁ

ଆସନ୍ତା 24 ରେ ମହାମହିମ ରାଷ୍ଟ୍ରପତିଙ୍କର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ନେଇ ଛତିଶା ନିଯୋଗ ବୈଠକ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧକ୍ଷ୍ୟତାରେ ଅନୁଷ୍ଠିତ ହୋଇଯାଇଛି | ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଆଜି ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ, ପୂର୍ବଦିନ 23 ତାରିଖରେ ରାତ୍ର 11ଟାରେ ପହୁଡ ନୀତି ସମାପନ ପାଇଁ ନୀତି ନିର୍ଘଣ୍ଟ କରାଯାଇଛି । ସେହିପରି  24 ତାରିଖ ଦିନ ଭୋର 3ଟାରୁ ଶ୍ରୀମନ୍ଦିର ଦ୍ବାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ଦିନ 11ଟା 45 ସୁଦ୍ଧା ବାଳଧୂପ ଶେଷ ହୋଇ ଭୋଗମଣ୍ଡପ ଉଠିବା ସହ ବେଶ ଶେଷ ପାଇଁ ଧାର୍ଯ୍ୟ ହୋଇଛି । ମହାମହିମ ରାଷ୍ଟ୍ରପତି ଦିବା 12ଟା 30ରୁ 12.55 ପର୍ଯ୍ୟନ୍ତ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ତେଣୁ ଅକ୍ଟୋବର 24 ତାରିଖ ଦିନ 11ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ସେହି ସମୟ ଅର୍ଥାତ୍ ଦିନ 11ଟା ଠାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ମହାମହିମ ରାଷ୍ଟ୍ରପତି ଶ୍ରୀଜୀଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା ପରେ ଅବଶିଷ୍ଟ ଦୈନନ୍ଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ମହାମହିମ ରାଷ୍ଟ୍ରପତି ଗର୍ଭଗୃହରେ ଦର୍ଶନ କରିବା ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ନ ରହିବାକୁ ଅନୁରୋଧ କରାଯାଇଛି । ସେବକମାନେ ଧାର୍ଯ୍ୟ ନୀତିକାନ୍ତି ଅନୁସାରେ ନୀତି ସମାପନ କରିବା ସହ ରାଷ୍ଟ୍ରପତିଙ୍କ ସୁରକ୍ଷା ବଳୟ ଠାରୁ ଦୂରତା ରକ୍ଷା କରି ଶୃଙ୍ଖଳା ରଖିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବିସ୍ତୃତ ବ୍ୟବସ୍ଥାବଳୀକୁ ଛତିଶାନିଯୋଗ ଅନୁମୋଦନ ପ୍ରଦାନ କରିଥିବା ବେଳେ ଏହାକୁ ଠିକଣା ଭାବେ ଅନୁପାଳନ ସହ ସମସ୍ତେ ସହଯୋଗ କରିବେ ବୋଲି ଆଶା କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ।