ଅକଳରେ ସାଇ ଇଂଟରନାସନାଲ ମାଲିକ ବିଜୟ ସାହୁ !

ଅକଳରେ ସାଇ ଇଂଟରନାସନାଲ ମାଲିକ ବିଜୟ ସାହୁ !

ଅକଳରେ ସାଇ ଇଂଟରନାସନାଲ ମାଲିକ ବିଜୟ ସାହୁ !
ଭୁବନେଶ୍ୱର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ପରେ ବେଶ ସୁନାମ ଅର୍ଜନ କରିଥିଲେ ସାଇ ଇଂଟର ନାସନାଲର ମାଲିକ ବିଜୟ ସାହୁ । ହେଲେ ଏବେ ତାଙ୍କର ମଖମଲିଆ ସ୍ୱଚ୍ଛ ଚେହେରା ଉପରେ ଆୟକର ବିଭାଗ କଳାଛିଟା ଲଗାଇ ଦେଇଛି । ଯଦିଓ ଅଭିଯୋଗ ପ୍ରମାଣିତ ହୋଇନାହିଁ ତଥାପିବି ଏହାକୁ ନେଇ ସାରା ରାଜ୍ୟରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ନିଆଁ ନଥିଲେ ଧୂଆଁ କେମିତି ବାହାରିବ ବୋଲି ଅନେକ ପ୍ରଶ୍ନ କରିଥିବାବେଳେ ତାଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପରାମର୍ଶଦାତା ପଦରୁ ବାହାର କରିବା ପାଇଁ ସରକାର ଚିନ୍ତା କରୁଛନ୍ତି ବୋଲି ପାୱାର କରିଡ଼ରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ନିକଟରେ ଆୟକର ବିଭାଗ ପକ୍ଷରୁ ଜେଏସଏସ ସଫ୍ଟୱେୟାର ଆଣ୍ଡ ପାର୍କସ ପ୍ରାଇଭେଟ ଲିମିଟେଡ଼, ଶିରିଡ଼ି ସାଇ ଏଜୁକେସନ ସୋସାଇଟ ପ୍ରାଇଭେଟ ଲିମିଟେଡ଼ ଓ ଜେଏସଏସ ଆଇଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ଼ ଉପରେ ଆୟକର ବିଭାଗ ଚଢ଼ାଉ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି । ଏହିସବୁ ସଂସ୍ଥାର ଭୁବନେଶ୍ୱର ଓ କୋଲକାତା କାର୍ଯ୍ୟାଳୟ ଉପରେ ଚଢ଼ାଉ କରିବା ବେଳେ ଆୟକର ବିଭାଗ କଳାଧନ ଠାବ କରିଥିବା ଚର୍ଚ୍ଚା ହେଉଛି । ଏହି କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ବିଜୟ କୁମାର ସାହୁ । ତାଙ୍କ ଦ୍ୱାରା ପରିଚାଳିତ ସାଇ ଇଂଟରନାସନାଲ ସ୍କୁଲରେ ଅନ୍ୟ ସଂସ୍ଥାର କଳାଧନକୁ ବିନିଯୋଗ କରି ଧଳା କରାଯାଉଥିବା ଅଭିଯୋଗ ଆୟକର ବିଭାଗ ପାଇଛି । ଖାଲି କାଗଜପତ୍ର ନୁହଁ କମ୍ପ୍ୟୁଟର ହାର୍ଡ଼ଡିସ୍କରୁ ତଥ୍ୟ ନେଇ ଆୟକର ବିଭାଗ ଖୋଳତାଡ଼ ଆରମ୍ଭ କରିଦେଇଛି । ଜଣେ ଆଇନଜୀବୀଙ୍କ ମତରେ ସାଇ ଇଂଟରନାସନାଲ ଏକ ଚାରିଟେବୁଲ ସଂସ୍ଥା । ନିୟମ ଅନୁଯାୟୀ ଏଥିରୁ ଅନ୍ୟ ସଂସ୍ଥାକୁ ଅର୍ଥ ଟ୍ରାନ୍ସଫର କରାଯାଇପାରିବ ନାହିଁ । ଅପରପକ୍ଷରେ ଏହି ସ୍କୁଲରୁ ଆଦାୟ ହେଉଥିବା କୋଟି କୋଟି ଟଙ୍କା ବିଜୟଙ୍କ ମାଲିକାନାରେ ଥିବା ୩ଟି କମ୍ପାନୀରେ ନିବେଶ ହୋଇଥିବା ଅଭିଯୋଗ ଆସିଛି । ସାଧାରଣତଃ ସରକାରଙ୍କ ନିୟମାନୁଯାୟୀ, ବେସରକାରୀ ସ୍କୁଲରେ ୨୫% ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଇବାର ନିୟମ ରହିଛି । କିନ୍ତୁ ସାଇ ଏହାକୁ ପାଳନ କରୁନଥିବା ନେଇ ଅତୀତରେ ଅନେକ ଅଭିଭାବକ ଅଭିଯୋଗ କରିଛନ୍ତି । ଏମିତିକି ଗରିବ କୋଟାରେ ନାମ ଲେଖାଇଥିବା ପିଲାଙ୍କ ଅଭିଭାବକମାନଙ୍କୁ ପରବର୍ତୀ ସମୟରେ ଅନୁଷ୍ଠାନ ପକ୍ଷରୁ ମୋଟା ଅଙ୍କର ଟଙ୍କା ମାଗିଥିବାର ଅଭିଯୋଗ ହୋଇଛି । ଏନେଇ କେତେକ ଅଭିଭାବକ ଅତୀତରେ ଅଭିଯୋଗ ମଧ୍ୟ କରି ଆସିଛନ୍ତି । ତେବେ ଆୟକର ବିଭାଗର ରେଡ଼ କାହିଁକି ହୋଇଥିଲା, କ’ଣ ପଚରାଉଚରା କରାଯାଇଥିଲା, କି କି ତଥ୍ୟ ଦେବାରେ ସେ ସମର୍ଥ ହୋଇଥିଲେ ସେନେଇ ଏଯାଏଁ ଶ୍ରୀ ସାହୁ ମୁହଁ ଖୋଲିନାହାନ୍ତି । ଫଳରେ ଶ୍ରୀ ସାହୁଙ୍କ ନୀରବତାକୁ ନେଇ ଅନେକ ପ୍ରଶ୍ନବାଚୀ ଉଠିବା ସ୍ୱାଭାବିକ । ଅପରପକ୍ଷରେ ଏ ସମ୍ପର୍କରେ ନିଜ ନାମ ଗୋପନ ରଖିବା ସର୍ତରେ ଜନୈକ ଅଭିଭାବକ କହିଛନ୍ତିଯେ, ଆୟକର ବିଭାଗ ସମସ୍ତ କାଗଜପତ୍ର ଯାଂଚ କଲେ ବହୁ ତଥ୍ୟ ପାଇପାରିବ । କେଉଁ କେଉଁ ପ୍ରଭାବଶାଳୀ ବ୍ୟକ୍ତି କିଭଳି ଉପାୟରେ ନିଜର କଳାଧନକୁ ଧଳା କରିଛନ୍ତି ସେନେଇ ଅନେକ ତଥ୍ୟ ମିଳିପାରିବ । ତେବେ ପ୍ରଭାବଶାଳୀ ବ୍ୟକ୍ତିମାନେ ତଦନ୍ତର ଦିଗ ବଦଳାଇବାର ମଧ୍ୟ ଆଶଙ୍କା ରହିଛି । ଏନେଇ ନିରପେକ୍ଷ ତଦନ୍ତ କରାଯାଇ କଳାଧନ ଲୁଟେରାଙ୍କୁ ଦଣ୍ଡିତ କରାଯିବା ଦରକାର ବୋଲି ସେ କହିଛନ୍ତି ।