ଅଧାରୁ ସରିଲା ବିଧାନସଭା

ଅଧାରୁ ସରିଲା ବିଧାନସଭା

ଅଧାରୁ ସରିଲା ବିଧାନସଭା
ଭୁବନେଶ୍ୱର: ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବିଧାନସଭାର ଶୀତ ଅଧିବେସନ ଆଜି ଅଧାରୁ ସରିଯାଇଛି । ୧୩ ଦିନ ଚାଲିବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି । ଗୃହ ଚାଲିବା ପାଇଁ ସରକାରଙ୍କ ପାଖରେ ଆଉ ବିଜନେସ୍ ନଥିବାରୁ ବିଧାନସଭାକୁ ବନ୍ଦ କରାଯାଇଥିବା କୁହାଯାଉଛି । ଚଳିତ ମାସ ୧୩ ତାରିଖରୁ ଅଧିବେସନ ଆରମ୍ଭ ହୋଇଥିଲା । ବିଧାନସଭାର ମୋଟ ୧୩ଟି କାର୍ଯ୍ୟଦିବସରୁ ୧୨ଟି ସରକାରୀ କାର୍ଯ୍ୟଦିବସ ଥିଲା । ଅଧିବେସନ ଆରମ୍ଭ ଦିନ ଗୃହରେ ଅତିରିକ୍ତ ବଜେଟ୍ ଆଗତ ହୋଇଥିଲା । ୫ଟି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିବା ବେଳେ ଅନ୍ୟଗୁଡ଼ିକ ଗିଲୋଟିନ୍ ଜରିଆରେ ପାରିତ ହୋଇଥିଲା । ଏହି ଅଧିବେସନରେ ଯାଜପୁରର ସ୍ମିତାରାଣୀ ମୃତ୍ୟୁ ମାମଲା ଏବଂ ଟୋକନ୍ ଜରିଆରେ ଧାନସଂଗ୍ରହ ପ୍ରସଙ୍ଗକୁ ନେଇ ବିଧାନସଭାକୁ ହୁଲସ୍ତୁଲ କରିଥିଲେ ବିରୋଧୀ ଦଳ । ଶେଷ ଦିନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ତାଙ୍କର ମହିଳା ବାନ୍ଧବୀଙ୍କୁ ସରକାରୀ ଅର୍ଥରେ ହାଇଦ୍ରାବାଦ ବୁଲାଇନେବା ପ୍ରସଙ୍ଗ ଗୃହରେ ଝଡ଼ ସୃଷ୍ଟି କରିଥିଲା । ଗୃହ ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ଦୁଷ୍ମର୍ମ ଓ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ରାଜନୀତି ନ କରିବାକୁ ପରାମର୍ଶ ଦେବା ଆଉ ଏକ ଉଲ୍ଲେଖନୀୟ ଘଟଣା ଥିଲା । ଓଡ଼ିଶାକୁ ଦ୍ୱିତୀୟବାର ହକି ବିଶ୍ୱକପ୍ ଆୟୋଜନର ଦାୟିତ୍ୱ ମିଳିବାକୁ ଏକ ବିରଳ ଓ ଗୌରବମୟ ମୁହୁର୍ତ୍ତ ଦର୍ଶାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ ଏକ ସଂକଳ୍ପ ଆଗତ କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ୨୦୨୩ ହକି ବିଶ୍ୱକପ୍ ର ସଫଳତା କାମନା କରାଯାଇଥିଲା । “ଆସନ୍ତୁ, ଆମେ ସମସ୍ତେ ଦଳମତ ନିର୍ବିଶେଷରେ ଆଗାମୀ ପୁରୁଷ ବିଶ୍ୱକପ୍ ହକିର ସଫଳ ଆୟୋଜନ ପାଇଁ ମିଳିମିଶି କାମ କରିବା ଓ ଓଡ଼ିଶାର ଗୌରବକୁ ବିଶ୍ୱ ଦରବାରରେ ଆହୁରି ବୃଦ୍ଧି କରିବା ।” ଶେଷ ଦିନରେ ଏହି ସଂକଳ୍ପଟି ଗୃହରେ ପାରିତ ହୋଇଥିଲା । ଅଧିବେସନ କାଳରେ ବିରୋଧୀ ଦଳ ପକ୍ଷରୁ ୧୩ଟି ମୁଲତବୀ ପ୍ରସ୍ତାବ ଦିଆଯାଇଥିବା ବେଳେ ୫ଟି ଉପରେ ଆଲୋଚନା ହୋଇଥିଲା । ସେହିଭଳି ୩୧ଟି ଧ୍ୟାନ ଆକର୍ଷଣକାରୀ ପ୍ରଶ୍ନ ଆସିଥିଲେ ମଧ୍ୟ ମାତ୍ର ୩ ଟି ଉପରେ ଆଲୋଚନା ହୋଇଥିଲା । ଗୃହରେ ଅତିରିକ୍ତ ବ୍ୟୟ ମଂଜୁରୀ ବିଲ୍ ସମେତ ୫ଟି ବିଲ୍ ଗୃହର ଅନୁମୋଦ ଲାଭ କରିଥିଲା । ସିଏଜି ରିପୋର୍ଟ ସମେତ ୧୭ ଟି ବାର୍ଷିକ ରିପୋର୍ଟ ଏବଂ ୪ଟି କମିଟି ରିପୋର୍ଟ ଗୃହରେ ଉପସ୍ଥାପନ କରାଯାଇଥିଲା ।