ଆସନ୍ତା ୧୮ ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
ଆସନ୍ତା ୧୮ ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
admin
Apr 13, 2019 - 05:16
Updated: Apr 13, 2019 - 05:16
କନ୍ଧମାଳ : ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଚଳିତ ଅପ୍ରେଲ୍ ୧୮ ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ବୁଥ୍ ରେ ପୂର୍ବାହ୍ନ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ । ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ଦ୍ୱାରା ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହି ଦିନ ଜିଲ୍ଲାର ୬୫୯ ଟି ବୁଥ୍ ରେ ସର୍ବମୋଟ ୫ ଲକ୍ଷ ୪୩ ହଜାର ୯୩୬ ଜଣ ଭୋଟର୍ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲାରେ ୨ ଲକ୍ଷ ୬୩ ହଜାର ୮୬୦ ପୁରୁଷ, ୨ ଲକ୍ଷ ୮୦ ହଜାର ୨୫ ମହିଳା ଏବଂ ୫୧ ଜଣ କିନ୍ନର ମତଦାତା ଅଛନ୍ତି । ଏତଦ୍ ବ୍ୟତୀତ, ଜିଲ୍ଲାର ସର୍ଭିସ୍ ଭୋଟରଙ୍କ ସଂଖ୍ୟା ୬୫୯ ରହିଛି । ଜିଲ୍ଲାର ୩ ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୮୨-ବାଲିଗୁଡ଼ା(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୫୫ ହଜାର ୭୩୯, ୮୩-ଘୁ.ଉଦୟଗିରି(ସଂ) ବିଧାନସଭା ନିର୍ବାଚନମଣ୍ଡଳୀରେ ୧ ଲକ୍ଷ ୯୯ ହଜାର ୭୭୯ ଏବଂ ୮୪-ଫୁଲବାଣୀ(ସଂ) ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଲକ୍ଷ ୮୮ ହଜାର ୪୧୮ ଜଣ ଭୋଟର୍ ଅଛନ୍ତି । ସ୍ଥିରୀକୃତ ୬୫୯ ଟି ମତଦାନ କେନ୍ଦ୍ର ମଧ୍ୟରୁ ୯ ଟି ବୁଥ୍ କୁ କ୍ରିଟିକାଲ୍ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ୩୬ ଟି ବୁଥ୍ କୁ ଆଦର୍ଶ ବୁଥ୍ ର ମାନ୍ୟତା ପ୍ରଦାନ କରାଯାଇଥିବା ବେଳେ ୱେବ୍ କାଷ୍ଟିଙ୍ଗ୍ ପାଇଁ ୭୦ ଟି ବୁଥ୍ କୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରଖାଯାଇଛି । ୬୦ ଟି ବୁଥ୍ ରେ ସିସିଟିଭି ସଂଯୋଗ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ନିର୍ବାଚନ କାର୍ଯ୍ୟର ସୁପରିଚାଳନା କରିବା ପାଇଁ ସର୍ବମୋଟ ୪ ହଜାର ୩୬୮ ଜଣ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀ ମୁତୟନ ହେବେ । ସେଥି ମଧ୍ୟରୁ ୪ ହଜାର ୩୫୬ ଜଣ ପୁରୁଷ ହୋଇଥିବା ବେଳେ ୧୨ ଜଣ ମହିଳା ଅଛନ୍ତି । ୬ ଜଣ ମହିଳା କର୍ମଚାରୀଙ୍କୁ କେବଳ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋଟିଏ ପିଙ୍କ୍ ବୁଥ୍ ରେ ମୁତୟନ କରାଯିବାର ବ୍ୟବସ୍ଥା କରାଯାଇଛି ।
ନିର୍ବାଚନ ପରିଚାଳନାକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ୧୦୦ ଜଣ ମାଇକ୍ରୋ ଅବଜର୍ଭର୍ ଏବଂ ୮୮ ଜଣ ସେକ୍ଟର ମାଜିଷ୍ଟ୍ରେଟ୍ ମଧ୍ୟ ମୁତୟନ ହେବେ । ନିର୍ବାଚନ ପାଇଁ ମୁତୟନ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କୁ ମତଦାନ କେନ୍ଦ୍ରରେ ପହଂଚାଇବା ଏବଂ ନିର୍ବାଚନ ପରିଚାଳନା ସମ୍ପର୍କୀତ କ୍ଷେତ୍ର ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ସର୍ବମୋଟ ୧୬୭୪ ଟି ଯାନର ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ୧୩ ହଜାର ୬୨୦ ଜଣ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ୬୫୯ ଟି ଯାନ ଏବଂ ୬୫୯ ଟି ହ୍ୱିଲ୍ ଚୌକିର ବ୍ୟବସ୍ଥା କରାଯିବା ସହିତ ଭୋଟ ଗ୍ରହଣ କେନ୍ଦ୍ର ସମ୍ମୁଖରୁ ଭୋଟ କକ୍ଷ ପର୍ଯ୍ୟନ୍ତ ସେମାନଙ୍କୁ ନେବା ଆଣିବା ପାଇଁ ବୁଥ୍ ପିଛା ଦୁଇ ଜଣ ହିସାବରେ ୧୩୧୮ ଜଣ ସ୍ୱେଚ୍ଛାସେବୀ ମଧ୍ୟ ସଜାଗ ରହିବେ । ସେହିପରି, ଦୃଷ୍ଟିବାଧିତ ଭୋଟରଙ୍କ ପାଇଁ ଜିଲ୍ଲାକୁ ୧ ହଜାର ୬୦ ଟି ବ୍ରେଲୀ ବ୍ୟାଲଟ୍ କାଗଜ ମଧ୍ୟ ଆସିଛି ।