କଂଗ୍ରେସ ଛାଡି ବିଜେପିରେ ମିଶିବେ ପ୍ରକାଶ !

କଂଗ୍ରେସ ଛାଡି ବିଜେପିରେ ମିଶିବେ ପ୍ରକାଶ !

କଂଗ୍ରେସ ଛାଡି ବିଜେପିରେ ମିଶିବେ ପ୍ରକାଶ !
ଖୁବଶୀଘ୍ର କଂଗ୍ରେସ ଛାଡି ବିଜେପିରେ ଯୋଗଦେବା ପାଇଁ ସଜବାଜ ହେଉଛନ୍ତି ସାଲେପୁର ବିଧାୟକ ପ୍ରକାଶ ବେହେରା । ଖୁବଶୀଘ୍ର ସେ ଏନେଇ ନିଷ୍ପତି ନେବେ । କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ପ୍ରକାଶ ବିଜେପିରେ ଯୋଗଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କଂଗ୍ରେସ ଛାଡ଼ିବାକୁ ଯାଉଛନ୍ତି ପ୍ରକାଶ ବେହେରା । ସାଲେପୁର ବିଧାୟକ ଶ୍ରୀ ବେହେରା ଅନେକ ଦିନ ଧରି ଦଳ ଛାଡିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । କଂଗ୍ରେସ ଛାଡି ସେ ବିଜେଡି ଯିବେ ବୋଲି ଗତ ଦୁଇ ବର୍ଷ ଧରି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଜୁ ଜନତା ଦଳ ପକ୍ଷରୁ ସବୁଜ ସଂକେତ ନମିଳିବାରୁ ତାଙ୍କର ଯୋଗଦାନ ବିଳମ୍ବିତ ହୋଇଥିଲା । ଏପରିକି ଅତୀତରେ ଏଭଳି ଚର୍ଚ୍ଚାକୁ ପ୍ରକାଶ ଖଣ୍ଡନ କରିଆସୁଥିଲେ । କହୁଥିଲେ, ମୁଁ କଂଗ୍ରେସରେ ଅଛି, ରହିବି ଓ ୨୦୧୯ ନିର୍ବାଚନରେ ଲଢ଼ିବି । ବରଗଡରେ ଆଜି ଥିଲା ରାହୁଲ ଗାନ୍ଧୀଙ୍କ ସମାବେଶ । କଂଗ୍ରେସର ବରିଷ୍ଠ ନେତାମାନେ ରାହୁଲଙ୍କ ଗସ୍ତର ସଫଳତା ପାଇଁ ଲାଗି ପଡିଥିବାବେଳେ ଏପଟେ ଦଳ ଛାଡ଼ିବା ପାଇଁ ସଜବାଜ ହେଉଥିଲେ ପ୍ରକାଶ । ପିସିସି ସଭାପତି ନିରଞ୍ଜନଙ୍କ ସମେତ ଏଆଇସିସିର ମେଲ ଆଇଡ଼ି ମଧ୍ୟ ତାଙ୍କ ପାଖରେ ନଥିଲା । ନିଜର ସହଯୋଗୀଙ୍କ ଜରିଆରେ ଅନ୍ୟ ଜଣେ କଂଗ୍ରେସ ନେତାଙ୍କ ଠାରୁ ସେ ମେଲ ଆଇଡ଼ି ସଂଗ୍ରହ କରିଥିଲେ । ଅପରାହ୍ନ ୩ଟାରେ ପ୍ରକାଶଙ୍କ ଏଭଳି ଆଭିମୁଖ୍ୟ ଦେଖି ସେ ଖୁବଶୀଘ୍ର ଦଳ ଛାଡ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ସୂଚନାଯୋଗ୍ୟଯେ, ପଂଚାୟତ ନିର୍ବାଚନ ପରଠାରୁ ପ୍ରକାଶ ଆଉ ସାଲେପୁରରେ କଂଗ୍ରେସ ସଂଗଠନ ଦିଗରେ ଗୁରୁତ୍ୱ ଦେଉନଥିଲେ । ନିଜର ସମସ୍ତ କାର୍ଯ୍ୟକ୍ରମରେ ସେ ଦଳୀୟ ପୋଷ୍ଟର କି ବ୍ୟାନର ମଧ୍ୟ ବ୍ୟବହାର କରୁନଥିଲେ । ନିର୍ବାଚନମଣ୍ଡଳୀରେ ସେ ଏକ ବଡ ଶୋଭାଯାତ୍ରାରେ ଆୟୋଜନ କରିଥିଲେ ମଧ୍ୟ କଂଗ୍ରେସର ବ୍ୟାନରଟେ ବ୍ୟବହାର କରାଯାଇନଥିଲା । ଅପରପକ୍ଷରେ ଆମ ଗାଁ ଆମ ବିକାଶର ତୋରଣରେ ବିଜେଡି ଚିହ୍ନ ଓ ନବୀନ ପଟ୍ଟନାୟକଙ୍କ ସହ ତାଙ୍କର ଫଟୋ ମରାଯାଇଥିବା ଦେଖିବାକୁ ମିଳିଥିଲା ।