କମୁଛି ଜିଏସଟି ସଂଗ୍ରହ

କମୁଛି ଜିଏସଟି ସଂଗ୍ରହ

କମୁଛି ଜିଏସଟି ସଂଗ୍ରହ
କେନ୍ଦ୍ର ସରକାର ୨୦୧୭ ଜୁଲାଇ ପହିଲାରେ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସଟି) ଲାଗୁ କରିଥିଲେ । ତେବେ ପ୍ରଥମ ତିନି ବର୍ଷ ଜିଏସଟି ସଂଗ୍ରହ ବେଶ ଉତ୍ସାହ ଜନକ ରହିବା ପରେ ଏବେ ଏଥିରେ କ୍ରମଶଃ ହ୍ରାସ ଘଟିବାରେ ଲାଗିଛି । ଏମିତିକି ଜିଏସଟି କାର୍ଯ୍ୟକାରୀ ହେବା ପୂର୍ବରୁ (ଭାଟ / ସିଏସଟି / ଇଟି/ ଓଏସଟି / ପ୍ରବେଶ କର) ବାବଦରେ ଯାହା ଟିକସ ଆଦାୟ କରାଯାଉଥିଲା ଏବେ ଜିଏସଟି ସଂଗ୍ରହ ତା ଠାରୁ ଢେ଼ର କମ ହେଉଥିବା ରାଜ୍ୟ ବାଣିଜ୍ୟ କର ଏବଂ ଜିଏସଟି କମିଶନରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟରୁ ଜଣାଯାଇଛି । ୨୦୧୭-୧୮ ଅଗଷ୍ଟ (ଜିଏସଟି କାର୍ଯ୍ୟକାରିତା ଆରମ୍ଭ) ଠାରୁ ୨୦୧୮ ମାର୍ଚ୍ଚ ମଧ୍ୟରେ ୬୧୨୭.୨୭ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିବା ବେଳେ ଏହି ସମୟରେ (ଭାଟ / ସିଏସଟି /ଇଟି / ଓଏସଟି / ପ୍ରବେଶ କର) ବାବଦରେ ୪୫୨୫ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଛି । ତେବେ ୨୦୧୭ -୧୮ ରେ ମୋଟ ୧୦,୬୫୨.୮୧ କୋଟି ଟଙ୍କାର ରାଜସ୍ୱ ସଂଗୃହୀତ କରାଯାଇଥିବା ଜଣାପଡ଼ିଛି । ସେହିପରି ୨୦୧୮-୧୯ରେ ୧୦,୧୪୮.୧୪ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିବା ବେଳେ ୨୦୧୯-୨୦ ରେ ୧୨,୭୪୭.୯୯ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । ୨୦୧୮-୧୯ ଏବଂ ୨୦୧୯-୨୦ ରେ ଯଥାକ୍ରମେ ୧୦,୩୩୨.୪୩ କୋଟି ଟଙ୍କା ଏବଂ ୧୨୮୪୯.୭୮ କୋଟି ଟଙ୍କାର ରାଜସ୍ୱ ମିଳିଥିଲା । ତେବେ ୨୦୨୦-୨୧ ଅର୍ଥାତ ଚଳିତ ଆର୍ଥିକ ବର୍ଷରେ ଏପି୍ରଲ ଓ ମେ ଦୁଇ ମାସରେ ଜିଏସଟି ସଂଗ୍ରହ ଆଖି ଦୃଶିଆ ଭାବେ ହ୍ରାସ ଘଟି ୧୦୯୨.୦୬ କୋଟି ଟଙ୍କାକୁ ଖସି ଆସିଛି । ଏ କ୍ଷେତ୍ରରେ ରାଜସ୍ୱ ଅଭିବୃଦ୍ଧି ବିଯୁକ୍ତ ୪୮.୬୦ ପ୍ରତିଶତ ରହିଥିବା ଜଣାଯାଇଛି । ଏହି ଦୁଇ ମାସରେ (ଭାଟ / ସିଏସଟି /ଇଟି / ଓଏସଟି / ପ୍ରବେଶ କର) ବାବଦରେ ମଧ୍ୟ ତୁଳନାତ୍ମକ ଭାବେ ଟିକସ ସଂଗ୍ରହ ମାତ୍ର ୯.୯୦ କୋଟି ଟଙ୍କାକୁ ହ୍ରାସ ପାଇଛି । ଏହା ଫଳରେ ଉଭୟ ଏପି୍ରଲ ଏବଂ ମେ’ରେ ଜିଏସଟି ଓ (ଭାଟ / ସିଏସଟି /ଇଟି / ଓଏସଟି / ପ୍ରବେଶ କର) ବାବଦରେ ମୋଟ ରାଜସ୍ୱ ସଂଗ୍ରହ ୧୧୦୧.୯୫ କୋଟି ଟଙ୍କାକୁ ଖସି ଆସିଥିବା ରାଜ୍ୟ ବାଣିଜ୍ୟ କର ଏବଂ ଜିଏସଟି କମିଶନର ପତ୍ରରେ ଦର୍ଶାଯାଇଛି ।