କ୍ଷତିଗ୍ରସ୍ତ ଅଂଚଳ ବୁଲିଲେ କେନ୍ଦ୍ରୀୟ ଟିମ୍

କ୍ଷତିଗ୍ରସ୍ତ ଅଂଚଳ ବୁଲିଲେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଅନୁଧ୍ୟାନ ଆରମ୍ଭ କରିଛନ୍ତି କେନ୍ଦ୍ରୀୟ ଟିମ୍ । ବାତ୍ୟା ପ୍ରଭାବିତ ଅଂଚଳ ବୁଲି କ୍ଷୟକ୍ଷତି ଦେଖିଛନ୍ତି । ଲୋକଙ୍କ ସହ କଥା ହୋଇଛନ୍ତି । ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ରୀୟ ଟିମ ପୁରୀ ଓ ଖୋର୍ଦ୍ଧାର ବିଭିନ୍ନ ଅଂଚଳ ବୁଲିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମଧ୍ୟ ବାତ୍ୟା କ୍ଷୟକ୍ଷତି ନେଇ ଆଲୋଚନା କରିଛନ୍ତି । କେନ୍ଦ୍ରୀୟ ଟିମର ଗୋଟିଏ ଟିମ ପୁରୀ ଓ ଖୋର୍ଦ୍ଧା ଯାଇଥିଲେ । ସେମାନେ କୃଷ୍ଣପ୍ରସାଦ ବ୍ଲକର ଅରଖକୁଦା ପଂଚାୟତ ଯାଇଥିଲେ । ସେଠାରୁ ବ୍ରହ୍ମଗିରିର ଭୁବନପୁରରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଅପରାହ୍ନରେ ଏହି ଟିମ ବଳିଆ ପଣ୍ଡା ବସ୍ତିରେ କ୍ଷୟକ୍ଷତି ବୁଲି ଦେଖିଥିଲେ । ପରେ କଣାସ, ଗଡ଼ିଶାଗୋଦା ଏବଂ ଡେଲାଙ୍ଗ ଅଂଚଳରେ ସ୍ଥିତି ପରଖିଥିଲେ । ସେହିପରି ଅନ୍ୟ ଏକ ଟିମ ଭୁବନେଶ୍ୱର ଉପକଣ୍ଠ ବାଳକାଟୀ ଅଂଚଳ ଗସ୍ତ କରିଥିଲେ । ବିଶ୍ୱନାଥପୁର, ଭୋଇସାହି, ଗାରେଡ଼ି ପାଂଚଣ ପଂଚାୟତ ଅଂଚଳ ବୁଲି ଦେଖିଥିଲେ । ପରେପରେ ଇଟିପୁର ଓ ଧଉଳି ଗସ୍ତ କରି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ସେହିପରି ଜଟଣୀ, ଅରଗୁଳ, ବେଣାପଂଜରୀ ଓ ତିରିମଲ ଭୋଇସାହି ସହ ଖୋର୍ଦ୍ଧା ଓ ବାଜପୁରରେ ମଧ୍ୟ କ୍ଷୟକ୍ଷତି ଆକଳନ କରିଥିଲେ ।