ଗାଙ୍ଗୁଲିଙ୍କ ଗୁଗ୍ଲି: ମୋଦି, ଇମ୍ରାନଙ୍କୁ ପଚାର

ଗାଙ୍ଗୁଲିଙ୍କ ଗୁଗ୍ଲି: ମୋଦି, ଇମ୍ରାନଙ୍କୁ ପଚାର

ଗାଙ୍ଗୁଲିଙ୍କ ଗୁଗ୍ଲି: ମୋଦି, ଇମ୍ରାନଙ୍କୁ ପଚାର
କୋଲକତା : ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ଶୃଙ୍ଖଳା ନିଷ୍ପତ୍ତି ଦୁଇ ଦେଶର ପ୍ରଧାନମନ୍ତ୍ରୀ ନେବେ । ଏହି ବିଷୟରେ ଚୂଡାନ୍ତ ନିଷ୍ପତ୍ତି କେବଳ ସେମାନେ ହିଁ ନେଇ ପାରିବେ । ବିସିସିଆଇର ପରବର୍ତ୍ତୀ ସଭାପତି ତଥା ଭାରତୀୟ କ୍ରିକେଟ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଏହା କହିଛନ୍ତି । ଆଜି ଭାରତ-ପାକିସ୍ତାନ କ୍ରିକେଟ୍ ସଂପର୍କର ପୁନଃ ପ୍ରଚଳନ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ଗାଙ୍ଗୁଲି କହିଥିଲେ ଯେ ଏକଥା ଆପଣମାନଙ୍କୁ ମୋଦିଜୀ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ପଚାରିବାକୁ ପଡ଼ିବ । ଆମକୁ ଏଥିଲାଗି ସରକାରଙ୍କ ଅନୁମତି ନେବାକୁ ପଡ଼ିବ । କାରଣ ଅନ୍ତର୍ଜାତୀୟ ଶୃଙ୍ଖଳା ପାଇଁ ସରକାରଙ୍କ ଅନୁମତି ନେବା ଏକପ୍ରକାର ବାଧ୍ୟତାମୂଳକ । ସେଥିପାଇଁ ଏହି ପ୍ରଶ୍ନର ଉତ୍ତର ଆମ (ବିସିସିଆଇ) ପାଖରେ ନାହିଁ । ସୂଚନାଯୋଗ୍ୟ ଯେ, ଭାରତ ଓ ପାକିସ୍ତାନ ଶେଷ ଥର ପାଇଁ ୨୦୧୨ରେ ଦ୍ୱିପାକ୍ଷିକ ଶୃଙ୍ଖଳା ଖେଳିଥିଲେ । ସେହିବର୍ଷ ଭାରତ ଗସ୍ତ କରି ପାକିସ୍ତାନ ଦୁଇଟି ଟ୍ୱେଣ୍ଟି-୨୦ ଏବଂ ତିନିଟି ଦିନିକିଆ ଖେଳିଥିଲା । ୪୭ ବର୍ଷୀୟ ଗାଙ୍ଗୁଲି ଆସନ୍ତା ୨୩ ତାରିଖରେ ଆନୁଷ୍ଠାନିକ ଭାବେ ବିସିସିଆଇର ସଭାପତି ପଦ ଗ୍ରହଣ କରିବେ । ୨୦୦୪ରେ ଭାରତର ଐତିହାସିକ ପାକିସ୍ତାନ ଗସ୍ତ ବେଳେ ଗାଙ୍ଗୁଲି ହିଁ ଟିମ୍ ଇଣ୍ଡିଆର ଅଧିନାୟକ ଥିଲେ । ୧୯୯୯ର କାର୍ଗିଲ ଯୁଦ୍ଧ ପରେ ଏହା ଉଭୟ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରଥମ ଦ୍ୱିପାକ୍ଷିକ ଶୃଙ୍ଖଳା ଥିଲା । ଏହାର ୧୫ ବର୍ଷ ପୂର୍ବେ ଅର୍ଥାତ୍ ୧୯୮୯ରେ ଭାରତୀୟ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲା ।