ଛାତ୍ରଛାତ୍ରୀଙ୍କୁ ଦିଆଯିବ ତିନି ମାସର ମଧ୍ୟାହ୍ନଭୋଜନ

ଛାତ୍ରଛାତ୍ରୀଙ୍କୁ ଦିଆଯିବ ତିନି ମାସର ମଧ୍ୟାହ୍ନଭୋଜନ

ଛାତ୍ରଛାତ୍ରୀଙ୍କୁ ଦିଆଯିବ ତିନି ମାସର ମଧ୍ୟାହ୍ନଭୋଜନ
ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ୯ କେଜି, ଉଚ୍ଚ ପ୍ରାଥମିକଙ୍କୁ ୧୩ କେଜି ୫୦୦ ଭୁବନେଶ୍ୱର: କରୋନାର ମୁକାବିଲା ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୫୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମଧ୍ୟାହ୍ନ ଭୋଜନ ତିନି ମାସ ପାଇଁ ପ୍ରଦାନ କରାଯିବ । ଏ ନେଇ ବିଭାଗ ପକ୍ଷରୁ ଶନିବାର ଏକ ନିଦେ୍ର୍ଧଶନାମା ଜାରି କରାଯାଇଛି । ଆସନ୍ତା ଜୁନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସାଧାରଣ ଖାଦ୍ୟ ସାମଗ୍ରୀ ବଣ୍ଟନ ଜରିଆରେ ମଧ୍ୟାହ୍ନ ଭୋଜନ ବାବଦକୁ ଚାଉଳ ଯୋଗାଇ ଦିଆଯିବ । ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମାସିକ ୩ କେଜି ହିସାବରେ ୩ ମାସକୁ ୯ କେଜି ଦିଆଯିବାକୁ ରହିଥିବା ବେଳେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୧୩ କେଜି ୫୦୦ ଗ୍ରାମ ଦିଆଯିବ । ଛାତ୍ରଛାତ୍ରୀ କିମ୍ବା ତାଙ୍କ ଅଭିଭାବକମାନେ ସ୍ଥାନୀୟ ସାଧାରଣ ବଣ୍ଟନ ସାମଗ୍ରୀ ଦୋକାନରୁ କୁପନ ଦେଖାଇ ଚାଉଳ ସଂଗ୍ରହ କରିପାରିବେ ବୋଲି ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଦର୍ଶାଇଛନ୍ତି । ଏ ନେଇ ଶ୍ରୀମତୀ ଅରୁମୁଗମ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏକ ନିଦେ୍ର୍ଧଶନାମା ଜାରି କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୯୦ ଦିନ ପାଇଁ ୯ କେଜି ଚାଉଳ ମାଗଣାରେ ଦିଆଯିବ । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ୩ ମାସ ପାଇଁ ସାଢେ଼ ୧୩ କେଜି ଚାଉଳ ଦିଆଯିବ । ବ୍ଲକ ଶିକ୍ଷା ଅଧିକାରୀ ଏ ନେଇ ବିଦ୍ୟାଳୟ ସ୍ତରୀୟ ତାଲିକା ପ୍ରସ୍ତୁତ କରିବେ । ଏଥିରେ ପ୍ରଧାନଶିକ୍ଷକ ଓ ସିଆରସିସି ମାନେ ସହଯୋଗ କରିବେ । ପ୍ରଧାନଶିକ୍ଷକମାନେ ଛାତ୍ରଛାତ୍ରୀ କିମ୍ବା ଅଭିଭାବକଙ୍କୁ ଚାଉଳ ଲାଗି ଏକ କୁପନ ଯୋଗାଇ ଦେବେ । ଯଦି କୌଣସି କ୍ଷେତ୍ରରେ ଛାତ୍ରଛାତ୍ରୀ ଚାଉଳ କୁପନ ନ ପାଇଲେ ସେ କ୍ଷେତ୍ରରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ହସ୍ତକ୍ଷେପ କରି କୁପନ ଯୋଗାଇ ଦେବେ । ତେବେ ଚାଉଳ ପରିବହନ ଲାଗି ଯାହା ଅର୍ଥ ଆବଶ୍ୟକ ତାକୁ ଡିଇଓମାନେ ଯୋଗାଇ ଦେବେ । ଏହି ପରିସ୍ଥିତିରେ ବିଭାଗ ଅଧୀନରେ ଚାଲୁଥିବା ଋତୁକାଳୀନ ଦାଦନ ଶ୍ରମିକଙ୍କୁ ପିଲାଙ୍କ ଲାଗି ଉଦ୍ଧିଷ୍ଟ ଛାତ୍ରାବାସ ଏବଂ କେଜିବିଭି ଛାତ୍ରାବାସ ପ୍ରଭୃତି ବନ୍ଦ ରହିବ । ଯେଉଁ ଛାତ୍ରଛାତ୍ରୀଙ୍କ ପିତାମାତା ନଥିବେ ସେମାନେ ଛାତ୍ରାବାସରେ ରହିପାରିବେ ।