ଜାଣନ୍ତୁ ‘ବୁଲବୁଲ’ର ରହସ୍ୟ
ଜାଣନ୍ତୁ ‘ବୁଲବୁଲ’ର ରହସ୍ୟ
admin
Nov 9, 2019 - 09:08
Updated: Nov 9, 2019 - 09:08
ଭୁବନେଶ୍ୱର : ନିଖୋଜ ‘ମାଟ୍ମୋ’ ର ପତ୍ତା ମିଳିଯାଇଛି । ଏବେ ସେ ନୂଆ ନାଁରେ ଆତଙ୍କ ଭିଆଇଛି । ୯/୧୦ ଦିନ ତଳେ ଫିଲିପାଇନ୍ସ ଓ ଭିଏତନାମରେ ଆତଙ୍କ ଖେଳାଇଥିବା ‘ମାଟ୍ମୋ’ ଏବେ ନୂଆ ପରିଚୟ ନେଇ ବଙ୍ଗୋପସାଗରରେ ତାଣ୍ଡବ ରଚୁଛି । ‘ବୁଲ୍ବୁଲ୍’ ନାଁରେ ପକାଇଛି ଚହଳ । ଏମିତି ଗର୍ଜୁଛି ଯେ ଓଡ଼ିଶା, ପଶ୍ଚିମବଙ୍ଗ ଓ ବାଲାଂଦେଶ ଥରି ଉଠିଛି । ଲଗାଣ ବର୍ଷା ପବନକୁ ଧରି ବୁଲୁଛି । କଥାଟା କେମିତି କେମିତି ଲଗୁଥିବ । ହେଲେ ନିରାଟ ସତ କଥା । ଫିଲିପାଇନ୍ସ ସାଗରରୁ ବଙ୍ଗୋପସାଗର ଯାଏ ସମୁଦ୍ର ପଥରେ ୧୮୦୦ କି.ମି ଯାତ୍ରା କରି ଆସିଛି ଏହି ବାତ୍ୟା । ‘ବୁଲବୁଲ୍’ ର ଲମ୍ବା ଜୀବନ ଯାତ୍ରା କାହାଣୀ ବେଶ୍ ରୋମାଞ୍ଚକର ଓ ବିରଳ ।
ବଙ୍ଗୋପସାଗରରେ ଆସିଥିବା ଏହି ଭୟାନକ ବାତ୍ୟା ‘ବୁଲବୁଲ୍’ ର ମୂଳ ପରିଚୟ ଖୋଜିବାକୁ ହେଲେ ଫେରିବାକୁ ପଡ଼ିବ ୧୫ ଦିନ ତଳକୁ । ଗଲ୍ଫ ଅଫ୍ ଥାଇଲାଣ୍ଡ କି ଆଣ୍ଡାମାନ ସାଗରରୁ ଜନ୍ମ ନେଇନି ‘ବୁଲ୍ବୁଲ୍’ । ତା’ର ମୂଳ ଜନ୍ମ ହୋଇଥିଲା ଫିଲିପାଇନ୍ସ ସାଗରରେ । ପୁରୁଣା ନାଁ ହେଉଛି ‘ମାଟ୍ମୋ’ ।
ଗତ ଅକ୍ଟୋବର ୨୪ ରେ ମାଟ୍ମୋ ଜନ୍ମ ନେଇଥିଲା ଫିଲିପାଇନ୍ସ ସାଗରରେ । ୩୦ ତାରିଖରେ ଏହା ଦକ୍ଷିଣ ଚାଇନା ସାଗରରେ ବାତ୍ୟା ରୂପ ନେଇଥିଲା । ଏହା ପ୍ରକୋପରେ ପ୍ରବଳ ବର୍ଷା ଯୋଗୁ କେନ୍ଦ୍ରୀୟ ଫିଲିପାଇନ୍ସରେ ବନ୍ୟା ଆସିଥିଲା । ଭିଏତନାମରେ ଏହା ବାତ୍ୟା ରୂପରେ ୩୧ ତାରିଖରେ ମାଡ଼ ହୋଇଥିଲା । ପବନର ବେଗ ୧୧୨ କିଲୋମିଟର ଥିଲା । ୨୦୦ ମିିଲି ମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ କରାଯାଇଥିଲା ।
ତା’ପରେ ଦୁର୍ବଳ ହେବା ସହ ଭୂତ ଭଳି କୁଆଡେ଼ ଗାଏବ ହୋଇଯାଇଥିଲା ‘ମାଟ୍ମୋ’ । କମ୍ବୋଡିଆରୁ ଅଦୃଶ୍ୟ ହେବା ପରେ ମିଅାଁମାର ଆଡେ଼ ବୁଲିଲା । ସେଠାରେ କିଛି ବର୍ଷା ବି କରାଇଲା । ଇଆଡେ଼ ସିଆଡେ଼ ବୁଲିବା ପରେ ଆଣ୍ଡାମାନ ସାଗରରେ ପରିବେଶ ତା ମନକୁ ଆସିଲା । ଟାଣି ହୋଇ ପଳାଇ ଆସିଲା ଏପଟକୁ । ସମୁଦ୍ର ତାପମାତ୍ରା ତା’କୁ ସୁହାଇଲା ଆଉ ଏକ ନୂଆ ରୂପ ନେବାକୁ । ନୂଆ ଜନ୍ମ ପାଇଲା ଭଳି ‘ମାଟ୍ମୋ’ ପୁଣି ଘୁର୍ଣ୍ଣିବଳୟ ଅବସ୍ଥାକୁ ଆସି ବଳ ଜୁଟାଇଲା ।
ଏଥର ବାତ୍ୟା ରୂପ ନେବା ପରେ ଭାରତୀୟ ପାଣିପାଗ (ଆଇଏମ୍ଡି) ଏହାର ନାଁ ଦେଲା ‘ବୁଲ୍ବୁଲ୍’ । ଯାହାକି ଏକ ପାକିସ୍ତାନ ନାମକରଣ । ବର୍ତ୍ତମାନ ଏହି ବାତ୍ୟା ପଶ୍ଚିମବଙ୍ଗ, ବାଂଲାଦେଶ ଉପକୂଳକୁ ମାଡ଼ି ଚାଲିଛି । ଓଡ଼ିଶାରେ ବି ଏହାର ଧାସ ବାଜିଲାଣି ।
ପାଣିପାଗ ବିଶେଷଜ୍ଞ କହିବାନୁଯାୟର ଗୋଟିଏ ବାତ୍ୟା ଏଭଳି ଲମ୍ବା ଯାତ୍ରା କରି ଦୁଇ ଥର ପୃଥକ ପୃଥକ ସ୍ଥାନରେ ବାତ୍ୟାରେ ପରିଣତ ହେବା ବିରଳ ଘଟଣା । ଦକ୍ଷିଣ ପୂର୍ବ ଏସିଆ ପାର୍ କରି ଆଣ୍ଡାମାନ ସହରରେ ପୁନଃ ଜନ୍ମ ନେବାରେ ଏହା ହେଉଛି ଚତୁର୍ଥ ବାତ୍ୟା । ପୁନଃ ଜନ୍ମ ପରେ ମଧ୍ୟ ଏତେ ଶକ୍ତିଶାଳୀ ବାତ୍ୟା ହେବାର ଏହା ଦ୍ୱିତୀୟ ଘଟଣା । ଏହା ପୂର୍ବରୁ ୧୯୬୦ ମସିହାରେ ଏଭଳି ଏକ ବାତ୍ୟା ସୃଷ୍ଟି ହୋଇଥିଲା ।