ଜାତିସଂଘର ସଦସ୍ୟ ରାଷ୍ଟ୍ର ତାଲିକାରେ ୧୧୭ ତମ ସ୍ଥାନରେ ଭାରତ
ଜାତିସଂଘର ସଦସ୍ୟ ରାଷ୍ଟ୍ର ତାଲିକାରେ ୧୧୭ ତମ ସ୍ଥାନରେ ଭାରତ
admin
Jun 8, 2021 - 10:00
Updated: Jun 8, 2021 - 10:00
ନୂଆଦିଲ୍ଲୀ: ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ଦ୍ୱାରା ୨୦୩୦-କାର୍ଯ୍ୟସୂଚୀର ଅଂଶବିଶେଷ ୨୦୧୫ ମସିହାରେ ଗୃହୀତ ୧୭ ନିରନ୍ତର ବିକାଶ ଲକ୍ଷ୍ୟ (ଏସଡିଜି) ହାସଲ କରିବାରେ ଭାରତ ଗତବର୍ଷ ତୁଳନାରେ ଦୁଇ ସ୍ଥାନ ତଳକୁ ଖସି ଆସି ଚଳିତବର୍ଷ ୧୧୭ ତମ ସ୍ଥାନରେ ରହିଛି । ବିଶେଷ କରି ଅନାହାର ଦୂର ସହ ଖାଦ୍ୟ ସୁରକ୍ଷା(ଏସଡିଜି-୨), ଲିଙ୍ଗବୈଷମ୍ୟ ଦୂର କରାଇବା(ଏସଡିଜି-୫) ଏବଂ ନବୀକରଣକୁ ଉତ୍ସାହିତ କରିବା ଦିଗରେ ଭିତ୍ତିଭୂମି ନିର୍ମାଣ ହାସଲ କରିବାରେ ଭାରତ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିପାରିନଥିବାରୁ ଏପରି ତଳକୁ କଖ ଆସିଥିବା ଜଣାଯାଇଛି । ତେବେ ପରିତାପର ବିଷୟ, ଏହି ତାଲିକାରେ ଆମ ଦେଶ ଦକ୍ଷିଣ ଏସିଆର ଭୁଟାନ, ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶ ପରି ଅନ୍ୟ ଚାରିଟି କ୍ଷୁଦ୍ର ପଡେ଼ାଶୀ ରାଷ୍ଟ୍ରମାନଙ୍କ ତଳେ ରହିଛି । ଭାରତର ହାରାହାରି ଏସଡିଜି ମୂଲ୍ୟାଙ୍କନ ୬୧.୯ ପ୍ରତିଶତ ରହିଛି । ବିଭିନ୍ନ ଭାରତୀୟ ରାଜ୍ୟମାନଙ୍କ ସ୍ଥିତିକୁ ଦେଖିଲେ ଆଗାମୀ ୨୦୩୦ ସୁଦ୍ଧା ଝାଡ଼ଖଣ୍ଡ ଓ ବିହାର ଆଦି ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରସ୍ତୁତ ନଥିବା ଜଣାଯାଇଛି । ଅପରପକ୍ଷେ, କେରଳ, ହିମାଚଳପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟ ଲକ୍ଷ୍ୟ ହାସଲ ଦିଗରେ ଯନôବାନ ଥିବା ଜଣାଯାଇଛି । ସୂଚନା ଥାଉ କି, ବିଶ୍ୱସ୍ତରୀୟ ସହଭାଗିତା ଭିତ୍ତିରେ ବିକଶିତ ଓ ବିକାଶଶୀଳ ରାଷ୍ଟ୍ରମାନେ ଆଗାମୀ ୨୦୩୦ ସୁଦ୍ଧା ୧୭ଟି ଜରୁରୀକାଳୀନ ଏସଡିଜି ହାସଲ ପାଇଁ ସଂକଳ୍ପ କରିଥିଲେ । ସେଗୁଡ଼ିକ ମଧ୍ୟରେ ଦାରିଦ୍ର୍ୟ ଦୂର, ଅନାହାର ଶୂନ୍ୟତା, ଉତ୍ତମ ସ୍ୱାସ୍ଥ୍ୟ ତଥା ନିରୋଗ, ଉଚ୍ଚ ଗୁଣମାନର ଶିକ୍ଷା, ଲିଙ୍ଗବୈଷମ୍ୟ ଦୂର, ସ୍ୱଚ୍ଛ ଜଳ ଓ ପରିମଳ, ସହଜଲବଧ ସବୁଜ ଶକ୍ତି, ଉଚିତ କାର୍ଯ୍ୟ ତଥା ଆର୍ଥôକ ପ୍ରଗତି, ଉଦ୍ୟୋଗ, ନବୀକରଣ ଓ ଭିତ୍ତିଭୂମି, ବୈଷମ୍ୟ ଦୂରୀକରଣ, ଧାରଣଯୋଗ୍ୟ ସହରୀକରଣ ଓ ଯୋଗାଯୋଗ, ଦାୟିତ୍ୱସଂପନ୍ନ ଉପଯୋଗ ଓ ଉତ୍ପାଦନ, ପରିବେଶ ପଦକ୍ଷେପ, ଜଳଜୀବ, ସ୍ଥଳଜୀବ, ଶାନ୍ତି ଓ ନ୍ୟାୟ ପ୍ରତିଷ୍ଠା ଏବଂ ଲକ୍ଷ୍ୟ ହାସଲ ପାଇଁ ବିଶ୍ୱ ଭାଗୀଦାରିତାକୁ ସୁଦୃଢ଼ କରିବା ଆଦି ଉପାଦାନ ରହିଛି ।