ତାଲିବାନ ଦଖଲରେ କ୍ରିକେଟ ବୋର୍ଡ

ତାଲିବାନ ଦଖଲରେ କ୍ରିକେଟ ବୋର୍ଡ


କାବୁଲ : କାବୁଲସ୍ଥିତ ଆଫଗାନିସ୍ତାନ କ୍ରିକେଟ ବୋର୍ଡର ସଦର ମହକୁମାକୁ ମଧ୍ୟ ତାଲିବାନ ନିଜ ଦଖଲକୁ ନେଇଯାଇଛି । ପୂର୍ବତନ କ୍ରିକେଟର ଅବଦୁଲା ମଜାରିଙ୍କ ସହଯୋଗରେ ଏହି ଦଖଲ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଦେଶର ଖ୍ୟାତି ସମ୍ପନ୍ନ ଅନ୍ତର୍ଜାତୀୟ କ୍ରିକେଟର ରସିଦ୍ ଖାନ୍ ଏବଂ ମହମ୍ମଦ ନବି ପ୍ରମୁଖ ଏବେ ଚିନ୍ତିତ ହୋଇପଡ଼ିଛନ୍ତି । ଦେଶର କ୍ରିକେଟ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିଜର ଏହି ସଦସ୍ୟ ରାଷ୍ଟ୍ରର ସାମ୍ପ୍ରତିକ ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି । ତେବେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)ର ମୁଖ୍ୟ ନିର୍ବାହୀ ଅଧିକାରୀ ହମିଦ ସିନୱାରୀ କ୍ରିକେଟ ପ୍ରଶଂସକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି, ଦେଶରେ କ୍ରିକେଟ୍ ପ୍ରଭାବିତ ହେବ ନାହିଁ । ‘ତାଲିବାନ କ୍ରିକେଟକୁ ଭଲ ପାଆନ୍ତି, ଆରମ୍ଭରୁ ସେମାନେ ଆମକୁ ସମର୍ଥନ କରି ଆସିଛନ୍ତି । ଆମ କାର୍ଯ୍ୟକଳାପରେ ସେମାନେ ହସ୍ତକ୍ଷେପ କରନ୍ତି ନାହିଁ । କ୍ରିକେଟ୍ ଆଗକୁ ବଢ଼ିବାରେ ମଧ୍ୟ ସେମାନେ ସମର୍ଥନ କରିବେ ବୋଲି ଆଶା ରଖିଛୁ’ ବୋଲି ସିନୱାରୀ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ସେପ୍େଟମ୍ବର ୩ ତାରିଖରୁ ଶ୍ରୀଲଙ୍କାରେ ଆଫଗାନିସ୍ତାନ-ପାକିସ୍ତାନ ସୀମିତ ଓଭର ଶୃଙ୍ଖଳା ଖେଳାଯିବାକୁ ଧାର୍ଯ୍ୟ ରହିଛି । ଏଥି ସହିତ ଆଫଗାନିସ୍ତାନର ୧୯ ବର୍ଷରୁ କମ ଦଳ ସେପ୍େଟମ୍ବରରେ ବାଂଲାଦେଶ ଗସ୍ତ କରିବାର ରହିଛି । ଆମେ ନିୟମିତ ଏସିବି ଅଫିସ ଯାଉଛୁ, ଖେଳାଳିଙ୍କ ପାଇଁ କେବଳ କାବୁଲ ବିମାନବନ୍ଦର ଭିଡ଼ ପ୍ରତିବନ୍ଧକ ହୋଇପାରେ ବୋଲି ସିନୱାରୀ ଆଶଙ୍କା କରିଛନ୍ତି ।