ଧବଳେଶ୍ୱର ପୀଠକୁ ଅଧିକ ଆକର୍ଷଣୀୟ କରାଯିବ : କୃଷି ମନ୍ତ୍ରୀ
ଧବଳେଶ୍ୱର ପୀଠକୁ ଅଧିକ ଆକର୍ଷଣୀୟ କରାଯିବ : କୃଷି ମନ୍ତ୍ରୀ
ଭୁବନେଶ୍ୱର : ପ୍ରସିଦ୍ଧ ଶୈବକ୍ଷେତ୍ର ପ୍ରଭୁ ଶ୍ରୀଧବଳେଶ୍ୱର ପୀଠର ଭିତିଭୂମି ଓ ପାରିପାର୍ଶ୍ବିକ ଉନ୍ନତି କରାଯାଇ ଏହାକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଶ୍ରୀଧବଳେଶ୍ୱର ପୀଠରେ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ନିମନ୍ତେ କରାଯାଉଥିବା ଉନ୍ନୟନ କାର୍ୟ୍ୟର ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ କାର୍ୟ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି ।
ପ୍ରକଳ୍ପର ସ୍ଥପତି ଏସ୍ ଆଣ୍ଡ ଜେ ଅସୋସିଏଟସ୍ ଚଳିତ ମାସ ୯ ତାରିଖରେ ଦେବୋତ୍ତର ବିଭାଗର ଅଧିକାରୀଙ୍କ ସହିତ ପୀଠ ସ୍ଥାନ ପରିଦର୍ଶନ କରି ନିରୁପମା କ୍ୟାମ୍ପସ୍ ନିକଟରେ ଥିବା ଅବଶିଷ୍ଟ ୧୧ଗୋଟି କୋଠରୀର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରିବେ।
ପର୍ୟ୍ୟଟନ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସମେତ ଆଠଗଡ଼ର ଉପଜିଲ୍ଲାପାଳ ଏବଂ ରାସ୍ତା ଓ ଗୃହ ନିର୍ମାଣ ଡିଭିଜନ୍ ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଏକ ସପ୍ତାହ ମଧ୍ୟରେ ସ୍ଥାନ ପରିଦର୍ଶନ କରି ପ୍ରକଳ୍ପର ପ୍ଲାନ ଏବଂ ବ୍ୟୟ ଅଟକଳ ଚୂଡ଼ାନ୍ତ କରିବା ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଚାରବାଟିଆର ଅଧୀକ୍ଷଣ ଯନ୍ତ୍ରୀ ଏହି ପ୍ଲାନ୍ ଏବଂ ବ୍ୟୟ ଅଟକଳର ଆବଶ୍ୟକ ଯାଞ୍ଚ ପରେ ସପ୍ତାହକ ମଧ୍ୟରେ ପ୍ରଶାସନିକ ଅନୁମୋଦନ ନିମନ୍ତେ କଟକ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବେ। ଅନୁମୋଦିତ ପ୍ଲାନ ଏବଂ ବ୍ୟୟ ଅଟକଳକୁ କଟକ ଜିଲ୍ଲାପାଳ ଚଳିତ ଜୁଲାଇ ମାସ ତୃତୀୟ ସପ୍ତାହ ମଧ୍ୟରେ ପର୍ୟ୍ୟଟନ ବିଭାଗରେ ଦାଖଲ କରିବେ ।