ନିଜାମୁଦ୍ଦିନ ଘଟଣା: ଆଇନର ଉଲ୍ଲଂଘନ କରି ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ନିଜାମୁଦ୍ଦିନ ଘଟଣା: ଆଇନର ଉଲ୍ଲଂଘନ କରି ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ନିଜାମୁଦ୍ଦିନ ଘଟଣା: ଆଇନର ଉଲ୍ଲଂଘନ କରି  ୬ ଜଣଙ୍କ ବିରୋଧରେ ମାମଲା ରୁଜୁ
ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ତବଲିଗ୍‌ ଜମାତ ମରକଜ୍‌ ମସଜିଦରେ ଆୟୋଜିତ ଧର୍ମ ସମ୍ମିଳନୀରେ ଯୋଗଦେଇଥିବା ପ୍ରାୟ ୩ ହଜାରରୁ ଅଧିକ ଲୋକ ସେମାନଙ୍କ ନିଜ ରାଜ୍ୟକୁ ଫେରିଯାଇଛନ୍ତି । ସେମାନେ ସେଠାରୁ ସଂକ୍ରମିତ ହୋଇ ନିଜ ରାଜ୍ୟରେ ଆହୁରି ଅନେକ ଲୋକଙ୍କୁ ସଂକ୍ରମିତ କରିଥିବାର ସୂଚନା ମିଳିଛି । ଯାହାକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତମାସରେ ଏହି ଧର୍ମ ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ଅଞ୍ଚଳଟି ଏବେ କରୋନା ହଟସ୍ପଟ୍‌ ଭାବେ ପରିଚିତ ହୋଇଛି । କାର୍ଯ୍ୟକ୍ରମରେ ଯୋଗଦେଇଥିବା ଲୋକମାନେ ମାର୍ଚ୍ଚ ୧୩ରୁ ୧୯ ମଧ୍ୟରେ ୫ଟି ଟ୍ରେନରେ ଦିଲ୍ଲୀ ରେଳ ଷ୍ଟେସନରୁ ନିଜ ରାଜ୍ୟକୁ ଫେରିଯାଇଥିଲେ । ଏହି ଟ୍ରେନଗୁଡ଼ିକ ମଧ୍ୟରେ ଅଛି ଗୁଣ୍ଟୁରଗାମୀ ଦୂରୋନ୍ତ ଏକ୍ସପ୍ରେସ, ଚେନ୍ନାଇ ଯାଇଥିବା ଗ୍ରାଣ୍ଡ ଟ୍ରଙ୍କ ଏକ୍ସପ୍ରେସ, ଚେନ୍ନାଇ ଆସୁଥିବା ତାମିଲନାଡୁ ଏକ୍ସପ୍ରେସ, ନୂଆଦିଲ୍ଲୀ-ରାଞ୍ଚି ରାଜଧାନୀ ଏକ୍ସପ୍ରେସ ଓ ଆନ୍ଧ୍ରପ୍ରଦେଶ ଯାଉଥିବା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ । ତେବେ ଏହି ଟ୍ରେନରେ ଧର୍ମ ସମ୍ମିଳନୀରେ ଯୋଗଦେଇଥିବା କେତେ ଲୋକ ଯାତ୍ରା କରିଥିଲେ ତାହାର କୌଣସି ସ୍ପଷ୍ଟ ସୂଚନା ରେଲୱେ ପାଖରେ ନଥିବା ବେଳେ ପ୍ରତି ଟ୍ରେନରେ ୧୦୦୦ରୁ ୧୨୦୦ ଯାତ୍ରୀ ରହିଥିଲେ । ଏହା ସହିତ ବହୁ ସଂଖ୍ୟକ ରେଳ କର୍ମଚାରୀ ମଧ୍ୟ ଥିଲେ । ତେଣୁ ଏସବୁକୁ ଆକଳନ କଲେ ସେହି ୫ଟି ଟ୍ରେନର ପ୍ରାୟ ୬ ହଜାରରୁ ଅଧିକ ଯାତ୍ରୀଙ୍କ ଜୀବନକୁ ଏହି ଲୋକମାନେ ବିପଦରେ ପକାଇ ଦେଇଛନ୍ତି । ତେବେ ସେସବୁ ଯାତ୍ରୀଙ୍କୁ ଠାବ କରିବା ଓ ସେମାନଙ୍କୁ କ୍ୱାରେଣ୍ଟାଇନକୁ ଆଣିବା ନିଶ୍ଚିତ ଭାବେ କଷ୍ଟକର ହୋଇପଡିଛି । ଏହାଛଡା ସେମାନେ ନୂଆଦିଲ୍ଲୀ ଷ୍ଟେସନ ଓ ହଜରତ ନିଜାମୁଦ୍ଦିନ ଷ୍ଟେସନରେ ବୁଲାବୁଲି କରିଥିଲେ । ଏହି ଦୁଇ ଷ୍ଟେସନ ବେଶ୍‌ ଗହଳି ହୋଇଥିବାରୁ ସେମାନଙ୍କ ସଂସ୍ପର୍ଶରେ କେତେ ଯେ ଲୋକ ଆସିଥିବେ ତାହା କଳନା କରିବା କଷ୍ଟକର । ଏସବୁ ବିଚାରକୁ ନେଲେ ହଜାର ହଜାର ଲୋକ ସେମାନଙ୍କ ସଂସ୍ପର୍ଶରେ ଆସିଥିବାର ଆଶଙ୍କା କରାଯାଉଛି । ରେଲୱେ ପକ୍ଷରୁ ବିଭିନ୍ନ ରାଜ୍ୟକୁ ସେହି ଟ୍ରେନରେ ଯାତ୍ରା କରିଥିବା ଯାତ୍ରୀଙ୍କ ତାଲିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ କେଉଁମାନେ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ସେମାନଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରାଯାଉଛି । ଇତିମଧ୍ୟରେ ୧୯ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୮୩୦ ଜଣଙ୍କୁ ଚିହ୍ନଟ କରାଯାଇସାରିଛି । ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କ ନମୂନା ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ସେହିପରି ଆହୁରି ୧୪୦୦ ଲୋକଙ୍କୁ ଠାବ ଲାଗି ଉଦ୍ୟମ କରାଯାଉଛି । ଏହି କାର୍ଯ୍ୟକ୍ରମରେ ୩୨୦୦ ଲୋକ ଯୋଗଦେଇଥିଲେ । ତେବେ କଟକଣା ଆଇନର ଉଲ୍ଲଂଘନ କରାଯାଇ ଏହା ଆୟୋଜନ କରାଯାଇଥିବାରୁ ଦିଲ୍ଲୀ ପୁଲିସ ବୁଧବାର ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଚାରକ ମୌଲାନା ସାଦ ଏବଂ ତାଙ୍କର ସହଯୋଗୀ ଡକ୍ଟର ଜିସାନ, ମୁଫତି ସେହେଜାଦ, ଏମ୍‌ ସାଇଫି, ୟୁନୁସ ଓ ମହମ୍ମଦ ସଲମାନ । ସେମାନଙ୍କ ବିରୋଧରେ ମହାମାରୀ ଆଇନ ୧୮୯୭ର ଧାରା ୩ ଅନୁସାରେ ମାମଲା ରୁଜୁ ହୋଇଛି । ପୂର୍ବରୁ ମରକଜ ପ୍ରଶାସନ ବିରୋଧରେ ଦିଲ୍ଲୀ ପୁଲିସ ଏକ ମାମଲା ମଧ୍ୟ ରୁଜୁ କରିଥିଲା ।