ନୂଆ ବର୍ଷରେ ଥରାଇବ ଶୀତ

ନୂଆ ବର୍ଷରେ ଥରାଇବ ଶୀତ

ନୂଆ ବର୍ଷରେ ଥରାଇବ ଶୀତ
ଭୁବନେଶ୍ଵର - ପ୍ରବଳ ଥଣ୍ଡା ପଡିବାରୁ ସାରା ଓଡିଶା ଶୀତରେ ଥରୁଛି । ଯାହା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ରାତିରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଉଛି। ଏହିଭଳି ଥଣ୍ଡା ଆହୁରୀ ୩ଦିନ ଅନୁଭତ ହେବ । ନୂଆ ବର୍ଷ ଶୀତରେ ଥରିବ ସାରା ଓଡିଶା । ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲାର ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ତାପମାତ୍ରା ୪ ଡିଗ୍ରୀକୁ ଖସି ଆସିବାରୁ ଲୋକେ ପ୍ରବଳ ଥଣ୍ଡା ଅନୁଭବ କରିଥିଲେ। ଅନ୍ୟପଟେ ସୁନ୍ଦରଗଡ଼ ଜିଲାର ଟେନସାରେ ବରଫପାତ ହୋଇଥିବା ସୂଚନା ମିଳିଛି। ଏହାବ୍ୟତୀତ କେନ୍ଦୁଝର, ଝାରସୁଗୁଡ଼ା, ଟିଟିଲାଗଡ଼, ଦାରିଙ୍ଗବାଡ଼ି, ସମ୍ବଲପୁର, ବାଲେଶ୍ଵର, କଟକ, ହୀରାକୁଦ ଭଳି ପ୍ରମୁଖ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା। ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୧୨ ଡିଗ୍ରୀକୁ ଖସିଆସିଥିଲା। ସକାଳ ଓ ସନ୍ଧ୍ୟା ସମୟରେ ଲୋକେ ନିଆଁ ଜାଳି ବସି ରହୁଥିବା ଦେଖିବାକୁ ମିଳୁଛି। ସୂଚନା ଅନୁସାରେ, କେନ୍ଦୁଝରରେ ଦ୍ବିତୀୟ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହା ପଛକୁ ଝାରସୁଗୁଡ଼ାରେ ୫.୮ ଡିଗ୍ରୀ ରହିଥିଲା। ସେହିପରି ଟିଟିଲାଗଡ଼ ଓ ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ, ସମ୍ବଲପୁରରେ ୭.୪, ବାଲେଶ୍ଵର ୭.୬, କଟକ ୯.୬ ଓ ହୀରାକୁଦରେ ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଆଜିଠାରୁ ରାତିର ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଫଳରେ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ।