ପିଏମ କିଶାନ ଯୋଜନାରେ ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା : ବିଜେପି

ପିଏମ କିଶାନ ଯୋଜନାରେ ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା : ବିଜେପି

ପିଏମ କିଶାନ ଯୋଜନାରେ ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା : ବିଜେପି
ଭୁବନେଶ୍ୱର: ଆଜି ସନ୍ଧ୍ୟାରେ କାଳିଆ କିସ୍ତି ଟଙ୍କା ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଥିବାବେଳେ ବିଜେପି ପକ୍ଷରୁ କିନ୍ତୁ ଏହାକୁ ସମାଲୋଚନା କରାଯାଇଛି । ବିଜେପି ନେତା ଗୋଲକ ମହାପାତ୍ର ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟ ସାରା ବ୍ୟାପିଥିବା ଚାଷୀ ଅସନ୍ତୋଷକୁ ଚାପିବାକୁ ଏହା ରାଜ୍ୟ ସରକାରଙ୍କ ଏକ ଚାଲ । ମଣ୍ଡିରୁ ଧାନ ଉଠୁନି । ମଣ୍ଡିରେ ଓ ରାସ୍ତାରେ ଧାନ ରଖି ଚାଷୀ ବସିଛନ୍ତି । ରାଜ୍ୟ ତମାମ ଚାଷୀମାନେ ମନ୍ତ୍ରୀ ଓ ବିଧାୟକମାନଙ୍କୁ ଘେରିଲେଣି । ଚାଷୀ ଆନେ୍ଦାଳନକୁ ପ୍ରଶମିତ କରିବାକୁ ରାଜ୍ୟ ସରକାରଙ୍କ ଏହା ହେଉଛି ଏକ ହୀନ ପ୍ରୟାସ । ରାଜ୍ୟ ପାଖରେ ଯଦି ୫୩ ଲକ୍ଷ ଚାଷୀଙ୍କ ତାଲିକା ଅଛି ତେବେ କେନ୍ଦ୍ରକୁ କାହିଁକି ଦେଉନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ପିଏମ କିଶାନ ଯୋଜନାରେ ମାତ୍ର ୯ଲକ୍ଷ ଚାଷୀଙ୍କ ତାଲିକା ଦିଆଯାଇଛି । କେନ୍ଦ୍ର ସହାୟତାରୁ କାହିଁକି ରାଜ୍ୟ ଚାଷୀମାନଙ୍କୁ ବଞ୍ଚିତ କରାଯାଉଛି । ଅନେକ ଅଯୋଗ୍ୟଙ୍କୁ ତାଲିକାଭୁକ୍ତ କରି ସେମାନଙ୍କୁ କାଳିଆ କିସ୍ତି ଦିଆଯାଇଥିଲା । ପ୍ରଦତଃ ସେହି ୧୭୦ କୋଟି ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ଆଦାୟ ହେଲାଣି କି ବୋଲି ବିଜେପି ନେତା ଗୋଲକ ମହାପାତ୍ର ପ୍ରଶ୍ନ କରିଛନ୍ତି । ପ୍ରକାଶ ଯେ, ୨୦୧୯ ଜୁନ୍ ପରଠାରୁ ‘କାଳିଆ’ ସହାୟତା ମିଳି ନ ଥିବାରୁ ଏହାକୁ ନେଇ ବିରୋଧୀଙ୍କ ସମାଲୋଚନାର ଶରବ୍ୟ ହେଉଥିବା ରାଜ୍ୟ ସରକାର ଆଜି ଓଡ଼ିଶାର ୫୩ ଲକ୍ଷ ଚାଷୀଙ୍କୁ ୧୨ ଶହ କୋଟି ଟଙ୍କା ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡିବିଟି) ଜରିଆରେ ବାଣ୍ଟିବେ। ଚାଷୀଙ୍କ ବ୍ୟାଙ୍କ ଖାତାକୁ ଏହି ଅର୍ଥ ସିଧାସଳଖ ଦିଆଯିବ। ଗତ କିଛିଦିନ ଧରି ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ଜିଲାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି କିଛି ନୂତନ ଯୋଜନା ଓ ପ୍ରକଳ୍ପମାନ ଉଦଘାଟନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ ‘କାଳିଆ’ ସହାୟତା ଯୋଗାଇବା ପାଇଁ ଯୋଜନା ରହିଛି। ଏନେଇ ସରକାରୀ ସ୍ତରରେ ସବୁପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଚାଷୀ ମାନେ ତାଙ୍କର ବକେୟା ପ୍ରାପ୍ୟ ପାଇବେ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ରାଜ୍ୟରେ ୫୩ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଚାଷୀ ଅଯୋଗ୍ୟ ନେଇ ଅଭିଯୋଗ ରହିଥିଲା। ଏହାକୁ ଯାଞ୍ଚ କରାଯିବା ପରେ ପ୍ରାୟ ୪୯ ହଜାର ଚାଷୀ ବାଦ୍ ପଡ଼ିଛନ୍ତି। ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆକାଉଣ୍ଟକୁ ଡିବିଟି ଜରିଆରେ ଟଙ୍କା ହସ୍ତାନ୍ତର କରିବାର କାର୍ୟ୍ୟକ୍ରମ ଥିବା ଜଣାଯାଇଛି।