ଫେବୃୟାରୀ ୨୨ରୁ ମାଟ୍ରିକ୍ ପରୀକ୍ଷା ! ଏକକାଳୀନ ହେବ ମାଟ୍ରିକ୍, ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା

ଫେବୃୟାରୀ ୨୨ରୁ ମାଟ୍ରିକ୍ ପରୀକ୍ଷା ! ଏକକାଳୀନ ହେବ ମାଟ୍ରିକ୍, ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା

ଫେବୃୟାରୀ ୨୨ରୁ ମାଟ୍ରିକ୍ ପରୀକ୍ଷା !  ଏକକାଳୀନ ହେବ ମାଟ୍ରିକ୍, ମଧ୍ୟମା, ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା
କଟକ - ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା (ମାଟ୍ରିକ୍-୨୦୨୦) ଆସନ୍ତା ଫେବୃୟାରୀ ୨୨ତାରିଖରୁ ଆରମ୍ଭ ହେବ । ଏ ସଂକ୍ରାନ୍ତରେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ମାଟ୍ରିକ୍ ପରୀକ୍ଷା ସହିତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଏକକାଳୀନ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚଳିତବର୍ଷ ନୂତନ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା କରାଯାଉ ଥିବାରୁ ପରୀକ୍ଷାକୁ ସ୍ୱଚ୍ଛ ଓ ଶୃଙ୍ଖଳିତ କରାଯିବାକୁ ବୋର୍ଡ ପକ୍ଷରୁ ଯଥା ସମ୍ଭବ ସତର୍କତା ପାଇଁ ନକ୍ସା ତିଆରି ଚାଲିଛି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ମାସ ୧୧, ୧୨ ଓ ୧୩ ତାରିଖ ତିନିଦିନ ଧରି ବୋର୍ଡ ପରୀକ୍ଷା କମିଟି ବୈଠକ କଟକ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକକୁ ଡିଇଓମାନଙ୍କ ସମେତ ପରୀକ୍ଷା କମିଟି ସଦସ୍ୟଙ୍କୁ ନିମନ୍ତ୍ରଣ କରାଯାଇଥିଲା । କଟକ ଓ ବାଲେଶ୍ୱର ଡିଇଓଙ୍କ ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ ଯୋଗଦେଇ ନିଜ ନିଜ ଜିଲ୍ଲାର ପରୀକ୍ଷା କେନ୍ଦ୍ର, ନୋଡାଲ ସେଣ୍ଟର ତାଲିକା ବୋର୍ଡ ପାଖରେ ଦାଖଲ କରିଥିଲେ । କଟକ ଓ ବାଲେଶ୍ୱର ଜିଲ୍ଲାର ପରୀକ୍ଷା କେନ୍ଦ୍ରର ତାଲିକା ବୋର୍ଡ ପାଖରେ ପହଞ୍ଚି ନଥିବାରୁ ଚୂଡାନ୍ତ କେନ୍ଦ୍ର ତାଲିକା ତିଆରି ହୋଇପାରି ନଥିବା ସୂଚନା ମିଳିଛି । ପରୀକ୍ଷା କମିଟି ବୈଠକ ଅନୁସାରେ ଆସନ୍ତା ଫେବ୍ରୁଆରି ୨୨ତାରିଖରୁ ମାଟ୍ରିକ୍ ପରୀକ୍ଷା କରାଯିବାକୁ ଆଲୋଚନା ହୋଇଥିଲା । ପୂର୍ବବର୍ଷ ଭଳି ଆଉ ମାଟ୍ରିକ୍ ପରୀକ୍ଷାର ଅବ୍ ଜେକ୍ଟିଭ୍ ପାର୍ଟରେ ୫୦ ନମ୍ବର ବିଶିଷ୍ଟ ଓଏମ୍ଆର୍ ପ୍ରଶ୍ନପତ୍ର ଆସିବ ନାହିଁ । ଏହା ବଦଳରେ ଚଳିତ ବର୍ଷ ସଂକ୍ଷିପ୍ତ ଉତ୍ତରମୂଳକ (୧ନମ୍ବର ବିଶିଷ୍ଟ) ୫୦ଟି ପ୍ରଶ୍ନ ଆସିବ ଯାହାର ଉତ୍ତର ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନପତ୍ର ବୁକ୍ଲେଟରେ ଲେଖିବାକୁ ପଡ଼ିବ । କିନ୍ତୁ ପୂର୍ବବର୍ଷ ଭଳି ଏବର୍ଷ ଦୀର୍ଘ ଉତ୍ତରମୂଳକ ବିଭାଗ(ସବ୍ଜେକ୍ଟିଭ୍ ପାର୍ଟ) ପ୍ରଶ୍ନ ଆସିବ । ଏହି ଢାଞ୍ଚା ପରିବର୍ତ୍ତନ ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯିବାକୁ ଜୋରଦାର୍ ଉଦ୍ୟମ ଚାଲିଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ବୋର୍ଡର ଡେପୁଟି ସେକ୍ରେଟାରି, ଜିଲ୍ଲା ଶିକ୍ଷାଧିକାରୀ, ଏସ୍ପି, ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲାର ମାଟ୍ରିକ୍ ପରୀକ୍ଷା କେନ୍ଦ୍ର ଚୂଡାନ୍ତ ହୋଇଥାଏ । ୧୫୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ସ୍କୁଲକୁ ପରୀକ୍ଷା କେନ୍ଦ୍ର କରିବାକୁ ନିୟମ ରହିଥିବା ବେଳେ ଚଳିତ ବର୍ଷ ୭୦ ପିଲା ପରୀକ୍ଷା ଦେଉଥିବା ସ୍କୁଲକୁ ମଧ୍ୟ କେନ୍ଦ୍ର କରାଯାଇଛି । ଦୂରତା ଦୃଷ୍ଟିରୁ ବୋର୍ଡ ପକ୍ଷରୁ କେନ୍ଦ୍ର ଚୟନରେ ଏପରି କୋହଳ କରାଯାଇଥିବା ସୂଚନା ମିଳିଛି ।