ଫୋକସରେ ସୋରାଡା ନିର୍ବାଚନମଣ୍ଡଳୀ
ଫୋକସରେ ସୋରାଡା ନିର୍ବାଚନମଣ୍ଡଳୀ
admin
Mar 18, 2019 - 06:59
Updated: Mar 18, 2019 - 06:59
ଭଞ୍ଜନଗର: ଏକଦା ଗଞ୍ଜାମ ଜିଲ୍ଲା ସୋରାଡା ନିର୍ବାଚନମଣ୍ଡଳୀ ଥିଲା କଂଗ୍ରେସ ଗଡ । ଏହି ନିର୍ବାଚନ ମଣ୍ଡଳୀରେ ପ୍ରଥମ ବିଧାୟକ ଭାବେ କଂଗ୍ରେସ ଦଳରୁ ବିଜୁ ପଟ୍ଟନାୟକ ବିଜୟଲାଭ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ସବୁଠାରୁ ଅଧିକ ଥର କଂଗ୍ରେସ ହାତକୁ ଏହି ନିର୍ବାଚନ ମଣ୍ଡଳୀ ଯାଇଛି । କିନ୍ତୁ ଲଗାତର ଦୁଇ ଦୁଇ ଥର ଏଠାରୁ ବିଜେଡି ଜିତିଲାଣି । ଦୁଇ ଥରିଆ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଟିକେଟ ପାଇବା ପାଇଁ ଆଶାୟୀ ଅଛନ୍ତି । ଆଉ କିଛି ପୁରୁଣା ନେତାଙ୍କ ନଜର ବି ବିଜେଡି ଟିକେଟ ଉପରେ ରହିଛି । ସେପଟେ ବିଜେପି ଶାସକ ଦଳର ଅସନ୍ତୁଷ୍ଟଙ୍କୁ ହାତେଇବା ପାଇଁ ଯୋଜନା ଆରମ୍ଭ କରିଛି ।
ପୂର୍ବରୁ ସୋରଡା ନିର୍ବାଚନ ମଣ୍ଡଳୀରେ ଧରାକୋଟ ବ୍ଳକ ଥିଲା । ଏଣୁ ବିଧାୟକ ପଦବି ଅନେକ ବାର ରାଜପରିବାଙ୍କ ହାତକୁ ଯାଇଛି । ରାଜା ଅନ୍ତନ ନାରାୟଣ ସିଂହ ଦେଓ ସ୍ୱାଧୀନ ଭାବେ ଏବଂ ଜନତା ଓ ବିଜେପି ଦଳ ମଧ୍ୟ ଲଢେଇ କରି ଏହାରୁ ବିଜୟଲାଭ କରିଛନ୍ତି । ୨୦୦୦ ମସିହାରେ ଶେଷ ଥର ପାଇଁ କଂଗ୍ରେସରୁ ଉଷାରାଣୀ ପଣ୍ଡା ବିଜୟଲାଭ କରିଥିଲେ । ଏହାପରେ କଂଗ୍ରେସ ଗଡରେ ଅଣ କଂଗ୍ରେସ ଶାସନ ଚାଲିଆସିଛି ।୨୦୦୪ ମସିହାରୁ ବିଜେପି ପ୍ରାର୍ଥୀ ଭାବେ ରାଜା କିଶୋର ଚନ୍ଦ୍ର ସିଂହଦେଓ ବିଜୟ ଲାଭ କରିଥିଲେ । କିନ୍ତୁ ୨୦୦୯ ମସିହାରେ ସୀମାନିର୍ଦ୍ଧାରଣ ପରେ ଧରାକୋଟ ବ୍ଳକ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ଚାଲିଯାଇଥିଲା । ଡାଫଳରେ ରାଜ ପରିବାର ସୋରଡା ନିର୍ବାଚନମଣ୍ଡଳୀରୁ ଦୃଷ୍ଟି ଫେରାଇ ନେଇଥିଲେ ।
ବେଲଗୁଣ୍ଡା ବ୍ଳକ ଓ ଏନଏସି ଏବଂ ସୋରାଡା ବ୍ଳକ ଓ ଏନଏସିି ମିଶି ଗଠନ ହୋଇଛି ବର୍ତମାନା ସୋରାଡା ନିର୍ବାଚନ ମଣ୍ଡଳୀ । ସୀମା ନିଦ୍ଧାରଣ ପରେ ଏହି ଆସନ ବିଜେଡି ହାତରେ । ୨୦୦୯ ମସିହାରେ କଂଗ୍ରେସ ଟିକେଟ ଆଶାୟୀ ଥିବା ନୀଳମଣି ବିଷୋୟୀଙ୍କୁ ଟିକେଟ ମିଳିନଥିବାରୁ ସେ ସ୍ୱାଧୀନ ଭାବେ ଲଢିଥିଲେ । ବିଧାୟକ ପୂର୍ଣ୍ଣଚନ୍ଦ୍ର ସଦୟ ମୁବାରକ ତୃତୀୟ ସ୍ଥାନରେ ରହିଥିଲେ । ୨୦୧୪ ମସିହାରେ ବି ନୀଳମଣିଙ୍କ ଭାଇ ବସନ୍ତ ବିଷୋୟୀ କଂଗ୍ରେସରୁ ଟିକେଟ ପାଇଁ ନିର୍ବାଚନ ଲଢିଥିଲେ । ସେଥର ପୁଣି ବିଜେଡିରୁ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ବିଜୟ ଲାଭ କରିଥିଲେ । ନୀଳମଣି ବିଷୋୟୀ କଂଗ୍ରେସରୁ ଓହରିବା ପରେ ଦଳର ଭୋଟ ବ୍ୟାଙ୍କ ପ୍ରଭାବିତ ହୋଇଛି । ପୁରୁଣା କଂଗ୍ରେସ ନେତା ଏବେ କଂଗ୍ରେସ ଗଡକୁ ସୁଦୃଢ କରିବା ଲାଗି ଅଂଟା ଭିଡିଛନ୍ତି । କଂଗ୍ରେସ ଏଠାରେ ନୂଆ ନେତା ଦେବା ପାଇଁ ପାର୍ଥୀ ଖୋଜୁଛି । ସେହିଭଳି ବିଜେପି କର୍ମୀ ଗାଁ ଗାଁ ବୁଲି ଯୁବ ଗୋଷ୍ଠୀ ମାଧ୍ୟମରେ ନିଜର ସମର୍ଥକ ବଢାଇବାରେ ଲାଗିଛି ।
ଚଳିତଥର ନିର୍ବାଚନରେ ବିଧାୟକ ଶ୍ରୀ ସ୍ୱାଇଁ ହ୍ୟାଟ୍ରିକ ମାରିବା ପାଇଁ ଜଗି ବସିଛନ୍ତି । ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପରେ ବେଲଗୁଣ୍ଠା ବ୍ଳକରେ ବିଜେଡିର ପ୍ରମୁଖ ଦାୟିତ୍ୱ ନେଇଥିବା ପରିବାରକୁ ଦଳରୁ ନିଳମ୍ବିତ କରିଥିଲେ । କିନ୍ତୁ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ମୁଖିଆ ସ୍ୱାମୀ ରଞ୍ଜନ ଖଣ୍ଡୁଆଳ ଓ ପତ୍ନୀ ରମା ଖଣ୍ଡୁଆଳକୁ ନିଳମ୍ବିନ ପତ୍ୟାହାର କରି ପୁଣି ବିଜେଡିର ସାମିଲ କରିଛନ୍ତି । ଏଣୁ ତାଙ୍କୁ ଟିକେଟ ମିଳିବା ନେଇ ସାଧାରଣରେ ଚର୍ଚ୍ଚା ହୋଇଛି ।
ସେହିପରି ପୂର୍ବତନ ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ନିର୍ବାଚନୀ କସରତ ଆରମ୍ଭ କରିବଥିବା ବେଳେ ଓ ବରଗଡ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟ ଅଧ୍ୟକ୍ଷା ନମିତା ପଶୁପାଳଙ୍କ ବିଭିନ୍ନ ସ୍ଥାନରେ ବିରାଟ ହୋଡିଂ ଲଗାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଶାସକ ଦଳର ଟିକେଟ ପାଇବା ପାଇଁ ହାଇକଣ୍ଡଙ୍କ ନିଷ୍ପତିକୁ ଅପେକ୍ଷା ରହିଛି ।
କଂଗ୍ରେସର ପିସିସି ସଭ୍ୟ ସଂଗ୍ରାମ ମହାନ୍ତି ଓ ଆଇନଜୀବୀ ଓମ୍ ପ୍ରକାଶ ସାହୁ ଆଶାୟୀ ପାର୍ଥୀ ରହିଛନ୍ତି । ବିଜେପିରୁ ପୂର୍ବତନ ଛାତ୍ର ନେତା ତଥା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ଦାସ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ପଣ୍ଡା ପ୍ରମୁଖ ଟିକେଟ ପାଇବା ପାଇଁ ସଂଗଠନ ଚଳାଇଛନ୍ତି ।